ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ରାଜନୀତିରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ଜଣାଶୁଣା ବିଜେଡି-ବିଜେପି। ଉଭୟ ଉଭୟଙ୍କୁ କାଉଣ୍ଟର କରିବାକୁ କେବେ ପଛଘୁଞ୍ଚା ଦେଇ ନାହାନ୍ତି। ଏସବୁ ସତ୍ତ୍ୱେ ‘ପଦ୍ମ ଆଓ୍ବାର୍ଡ-୨୦୧୭’ ପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ ବିଜେଡି ନେତା ପ୍ରଶାନ୍ତ ନନ୍ଦଙ୍କ ନାମ ସୁପାରିଶ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଜୁଏଲ ଦୁଇ ଥର ପ୍ରଶାନ୍ତଙ୍କ ନାମ ପଦ୍ମ ପୁସ୍କାର ପାଇଁ ସୁପାରିଶ କରିଥିଲେ।
ଜୁଏଲ ଓରାମ କହିଛନ୍ତି,”ପ୍ରଶାନ୍ତ ନନ୍ଦ ଜଣେ ବରିଷ୍ଠ କଳାକାର। ସେ ଏକାଧାରାରେ ଅଭିନେତା, ପ୍ରଯୋଜକ ଏବଂ ନିର୍ଦ୍ଦେଶକ ମଧ୍ୟ। ଏଣୁ ଏଭଳି ଜଣେ ବରିଷ୍ଠ କଳାକାରଙ୍କୁ ‘ପଦ୍ମ’ ପୁରସ୍କାର ମିଳିବା ଉଚିତ୍‌। ତାଙ୍କ ନାମ ପୂର୍ବରୁ ମୁଁ ଦୁଇଥର ସୁପାରିଶ କରିଥିଲି। ଚଳିତବର୍ଷ ମଧ୍ୟ ସୁପାରିଶ କରିଛି। ଏଥିରେ କୌଣସି ରାଜନୈତିକ ଅଭିସନ୍ଧି ନାହିଁ।”
ଜୁଏଲ ଓରାମଙ୍କ ଏହି ପ୍ରସ୍ତାବକୁ ପ୍ରଶାନ୍ତ ନନ୍ଦ ପ୍ରଶଂସା କରିଛନ୍ତି। ସେ କହିଛନ୍ତି,”ପଦ୍ମ ପୁରସ୍କାର ପାଇଁ ଜୁଏଲବାବୁ ପୂର୍ବରୁ ମୋ ନାମ ଦୁଇ ଥର ପ୍ରସ୍ତାବ ଦେଇଛନ୍ତି। ଚଳିତବର୍ଷ ଯଦି ସେ ପୁଣି ମୋ’ ନା ଏହି ସମ୍ମାନଜନକ ପୁରସ୍କାର ପାଇଁ ସୁପାରିଶ କରିବେ ତାହାଲେ ଏହା ହେଉଛି ତାଙ୍କର ମହାନତା।”
କିଟ୍ ଏବଂ କିସ୍‌ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାମ ମଧ୍ୟ ପଦ୍ମ ପୁରସ୍କାର ପାଇଁ ଜୁଏଲ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।
୨୦୧୪ ଏବଂ ୨୦୧୬ରେ ଜୁଏଲ ଓରାମ ପ୍ରଶାନ୍ତ ନନ୍ଦଙ୍କ ନାମ ପଦ୍ମ ପୁରସ୍କାର ପାଇଁ ସୁପାରିଶ କରିଥିଲେ। ଚଳିତବର୍ଷ ମଧ୍ୟ ଅନୁରୂପ ସୁପାରିଶ କରିଛନ୍ତି। ଜୁଏଲ ଯେଉଁ ନିର୍ବାଚନମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ପ୍ରଶାନ୍ତ ନନ୍ଦ ସେହି ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହିଛନ୍ତି।

 

2 COMMENTS

  1. Prasant Nanda, an actor par excellence deserves a recognition like Padma Award. Thanks to Juel Oram for nominating him leaving behind politics.

Comment