ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନ ପୂର୍ବରୁ ମଙ୍ଗଳବାର ବିଜେପିର ଦିନିକିଆ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକାରିଣୀରେ ବିଜେପୁର ବିଜୟ, ମିଶନ୍-୧୨୦ ଏବଂ ବିଜେଡି ପଦଯାତ୍ରାକୁ କାଉଣ୍ଟର କରିବା ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ବିଜେଡି ପଦଯାତ୍ରା ୧୧ତାରିଖରେ ଶେଷ ହେଉଥିବା ବେଳେ ୧୨ରୁ ବିଜେପି ୧୦୦୧ ମଣ୍ଡଳରେ ‘ହକ୍‌ ପାଇଁ ଲଢ଼େଇ’ ଡାକରା ଦେଇଛି।

ତୃଣମୂଳ ସ୍ତରର ଲୋକଙ୍କ ସହ ଯୋଡ଼ି ହେବା ପାଇଁ ବିଜେଡି ଗାନ୍ଧି ଜୟନ୍ତୀରୁ ଆରମ୍ଭ କରିଛି ‘ଜନ ସମ୍ପର୍କ ପଦଯାତ୍ରା’। ଏହି ଯାତ୍ରା ଅକ୍ଟୋବର ୧୧ରେ ଶେଷ ହେବ। ୧୦ ଦିନ ଧରି ବିଜେଡି ନେତା ଗାଁ ଗାଁ ବୁଲି ରାଜ୍ୟ ସରକାରଙ୍କ ସଫଳତା ଏବଂ କେନ୍ଦ୍ର ସରକାରଙ୍କ ବିଫଳତା ସମ୍ପର୍କରେ ପ୍ରଚାର କରିବେ। ତେବେ ଏହାକୁ ବିଜେପି ସହଜରେ ଗ୍ରହଣ କରିପାରି ନାହିଁ। ବିଜେଡି ପାଦେ ଆଗଉଥିବା ବେଳେ ବିଜେପି ଆଉ ଦୁଇ ପାଦ ଟପିବାକୁ ଚାହୁଁଛି। ଏହାର ପ୍ରମାଣ ଆଜି ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଦିନିକିଆ କାର୍ଯ୍ୟକାରିଣୀରୁ ସ୍ପଷ୍ଟ ହୋଇଛି।
ବିଜେଡିର ‘ପଦଯାତ୍ରା’କୁ କାଉଣ୍ଟର କରିବା ପାଇଁ ବିଜେପି ‘ହକ୍‌ ପାଇଁ ଲଢ଼େଇ’ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏନେଇ କାର୍ଯ୍ୟକାରିଣୀରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି।
ସବୁଠୁ ବଡ଼ କଥା ହେଉଛି ବିଜେଡିର ପଦଯାତ୍ରା ଅକ୍ଟୋବର ୧୧ରେ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀରେ ଶେଷ ହେଉଛି। ୧୦ ଦିନ ବ୍ୟାପୀ ବିଜେଡି ବିଭିନ୍ନ ନିର୍ବାଚନମଣ୍ଡଳୀରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଷୋଦ୍‌ଗାର କରିବେ। ଏଣୁ ବିଜେଡିକୁ କଡ଼ା ଜବାବ ଦେବା ପାଇଁ ଏବଂ କେନ୍ଦ୍ର ବିରୋଧରେ ବିଜେଡି ଅଭିଯୋଗର ଛାପ ଲୋକଙ୍କ ଉପରେ ନପଡ଼ିବା ପାଇଁ ବିଜେପି ୧୨ ତାରିଖରୁ ଅଭିଯାନ ଆରମ୍ଭ କରୁଛି। ୧୦୦୧ ମଣ୍ଡଳରେ ୧୮ ତାରିଖ ପର୍ଯ୍ୟନ୍ତ ବିଜେପି ‘ଓଡ଼ିଆଙ୍କ ହକ୍‌ ପାଇଁ ଲଢ଼େଇ କରିବ’।
କାର୍ଯ୍ୟକାରିଣୀରେ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି। ତୃଣମୂଳ ସ୍ତରରେ ଚାଲିଥିବା ଦୁର୍ନୀତିକୁ ବିରୋଧ କରିବା ପାଇଁ ଦଳ ଆଗକୁ ବାହାରିଛି। ପୂର୍ତ୍ତ, ଜଳସମ୍ପଦ ବିଭାଗରେ ଦୁର୍ନୀତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଳମ୍ବ, ଭତ୍ତା ପ୍ରଦାନରେ ଅନିୟମିତତା ଆଦି ପ୍ରସଙ୍ଗ କାର୍ଯ୍ୟକାରିଣୀରେ ସ୍ଥାନ ପାଇଛି। ଚାଷୀଙ୍କୁ ସରକାର ଉପେକ୍ଷା କରୁଥିବାରୁ କାର୍ଯ୍ୟକାରିଣୀରେ ଘୋର ଉଦ୍‌ବେଗ ପ୍ରକାଶ ପାଇଛି। ଏଣୁ ରାଜ୍ୟ ସରକାରଙ୍କ ଏହି ଚରମ ଅବହେଳା ବିରୋଧରେ ଲଢ଼େଇ କରିବାକୁ ବିଜେପି ସଜବାଜ ହୋଇଛି।
ସେହିପରି ବିଜେପୁର ଉପ ନିର୍ବାଚନରେ ଦଳ କିପରି ବିଜୟୀ ହେବ ତାକୁ ନେଇ କାର୍ଯ୍ୟକାରିଣୀରେ ମନ୍ଥନ ଚାଲିଥିଲା। ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ରାଜ୍ୟ ପ୍ରଭାରୀ ଅରୁଣ ସିଂ ଦଳୀୟ କର୍ମକର୍ତ୍ତାଙ୍କୁ ଏନେଇ ମନ୍ତ୍ର ଫୁଙ୍କିଥିଲେ। ଏହାସହ ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ‘ମିଶନ୍-୧୨୦’କୁ ସଫଳତାର ସହ କାର୍ଯ୍ୟକାରୀ କରିବା ଲାଗି କାର୍ଯ୍ୟକାରିଣୀରେ ଗୁରୁତ୍ବ ଦିଆଯାଇଛି। ଆଗକୁ ବିଜେପୁର ଉପ ନିର୍ବାଚନ ରହିଥିବାରୁ ଏହି ଦିନିକିଆ କାର୍ଯ୍ୟକାରିଣୀ ଦଳ ପାଇଁ ବହୁ ଗୁରୁତ୍ବ ବହନ କରୁଛି।

 

Comment