ଓଡ଼ିଶାଲାଇଭ୍ ବ୍ୟୁରୋ

ବମିଖାଲ ଓଭରବ୍ରିଜ ଭୁଶୁଡ଼ିବା ଘଟଣାରେ ବ୍ଲାକ ଲିଷ୍ଟେଡ ହେଉ ‘ପଣ୍ଡା ଇନ୍‌ଫ୍ରା’ କମ୍ପାନି। ୩ ଇଞ୍ଜିନିୟରଙ୍କ ବିରୋଧରେ ନିଆଯାଉ କାର୍ଯ୍ୟାନୁଷ୍ଠାନ। ଏମିତି କଡ଼ା ସୁପାରିଶ କରିଛନ୍ତି ରୋଡ ଆଣ୍ଡ ଡିଜାଇନ୍ ମୁଖ୍ୟଯନ୍ତ୍ରୀ। ଓଭରବ୍ରିଜ ଭୁଶୁଡ଼ିବା ଘଟଣାର ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରି ଠିକା ସଂସ୍ଥା ପଣ୍ଡା ଇନଫ୍ରା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିଶ କରାଯାଇଛି।
ତଦନ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଓଭରବ୍ରିଜ ନିର୍ମାଣ ବେଳେ ନିୟମାବଳିକୁ ଜଳାଞ୍ଜଳି ଦେଇଥିଲା ଠିକା ସଂସ୍ଥା। ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସିଜିୟୋର(ଏସ୍‌ଓପି) ଗ୍ରହଣ କରାଯାଇ ନଥିବା ବେଳେ ନିର୍ମାଣ ଆରମ୍ଭ ପୂର୍ବରୁ ପଣ୍ଡା ଇନ୍‌ଫ୍ରା ଠିକା ସଂସ୍ଥା ବ୍ରିଜର ଡିଜାଇନ୍‌ କନଣ ହେବ ତାହା ପ୍ରଦାନ କରି ନଥିଲା। ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଶ୍ରମିକଙ୍କ ନିରାପତ୍ତାକୁ ଗୁରୁତ୍ବ ଦିଆଯାଇ ନଥିଲା।
ଏହି ଦୁର୍ଘଟଣା ପାଇଁ ଯନ୍ତ୍ରୀ ଦୁଃଖବନ୍ଧୁ ବେହେରା, ବଂଶୀଧର ପ୍ରହରାଜ ଏବଂ କିଶୋର ରାଉତଙ୍କୁ ଦାୟୀ କରାଯାଇଛି।
ସେପ୍ଟେମ୍ବର ୧୦ରେ ଭୁବନେଶ୍ବର ବମିଖାଲ ଓଭରବ୍ରିଜ ଭୁଶୁଡ଼ି ଯାଇଥିଲା। ଫଳରେ ୧୫ ଜଣ ଶ୍ରମିକ ଆହତ ହେବା ସହ ଜଣେ ପଥଚାରୀ ମୃତ୍ୟୁବରଣ କରିଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା।
ଏହି ଦୁର୍ଘଟଣାରେ ୩ ଜଣ ଯନ୍ତ୍ରୀଙ୍କୁ ସରକାର ନିଲମ୍ବନ କରିଥିବା ବେଳେ ଠିକା ସଂସ୍ଥା ପଣ୍ଡା ଇନ୍‌ଫ୍ରାର ପରିଚାଳନା ନିର୍ଦ୍ଦଶେକ ପ୍ରତାପ ପଣ୍ଡା ଗିରଫ ହୋଇଛନ୍ତି।

 

Comment