ଓଡ଼ିଶାଲାଇଭ୍‍ ବ୍ୟୁରୋ

ଲଘୁଚାପଜନିତ ଲଗାଣ ବର୍ଷା ବାଲେଶ୍ୱରବାସୀଙ୍କ ପାଇଁ ଦୁଃଖ ଆଣି ଦେଇଛି। ବର୍ଷା କମିଯାଇଥିଲେ ମଧ୍ୟ ଦୁର୍ଦ୍ଦଶାରୁ ଲୋକେ ମୁକୁଳିପାରି ନାହାନ୍ତି। ବାଲେଶ୍ୱର ସହର ସମେତ ବିଭିନ୍ନ ବ୍ଲକର ଲୋକେ ପାଣି ଘେରରେ ରହି ରାତି କାଟୁଛନ୍ତି।

ବାଲେଶ୍ୱର, (କୃଷ୍ଣ କୁମାର ମହାନ୍ତି): ଲଘୁଚାପଜନିତ ଲଗାଣ ବର୍ଷା ବାଲେଶ୍ୱରବାସୀଙ୍କ ପାଇଁ ଦୁଃଖ ଆଣିଦେଇଛି। ବର୍ଷା କମିଯାଇଥିଲେ ମଧ୍ୟ ଦୁର୍ଦ୍ଦଶାରୁ ଲୋକେ ମୁକୁଳିପାରିନାହାନ୍ତି। ବାଲେଶ୍ୱର ସହର ସମେତ ବିଭିନ୍ନ ବ୍ଲକର ଲୋକେ ପାଣି ଘେରରେ ରହି ରାତି କାଟୁଛନ୍ତି।
ଲଗାଣ ବର୍ଷାରେ ବେହାଲ୍ ହୋଇଯାଇଛି ବାଲେଶ୍ୱର ଜିଲ୍ଲାର ଅବସ୍ଥା। ଉପରମୁଣ୍ଡରେ ବର୍ଷା ଯୋଗୁଁ ବୁଢାବଳଙ୍ଗ, ଜଳକା ଓ ବାଉଁଶ ନଦୀରେ ଆସିଛି ବନ୍ୟା। ବଢ଼ି ପାଣି ତଳିଆ ଅଞ୍ଚଳରେ ପ୍ରବେଶ କରିଛି। ଲୋକେ ପାଣିରୁ ରକ୍ଷା ପାଇବା ପାଇଁ ନିରାପଦ ସ୍ଥାନକୁ ଯାଉଥିବାବେଳେ ସୋରର ତଳନଗର ଅଂଚଳରେ ଘଟିଥିଲା ଅଘଟଣ। ୭ ବର୍ଷର ନାବାଳିକା ବନ୍ୟା ଜଳରେ ଭାସିଯାଇଥିଲା।
ସେହିପରି ରବିବାର ସନ୍ଧ୍ୟା ସୁଦ୍ଧା ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ମଥନୀଠାରେ ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହୋଇଥିଲା। ବୁଢ଼ାବଳଙ୍ଗ ନଦୀର ବିପଦ ସଙ୍କେତ ୮.୧୩ ମି.ମି. ଥିବାବେଳେ ଏହା ୭.୯୪ ମି.ମି. ଉପରେ ଓ ସୁବର୍ଣ୍ଣରେଖା ନଦୀର ବିପଦ ସଙ୍କେତ ୧୦.୩୬ ଥିବାବେଳେ ଏହା ୬.୦୧ ମି.ମି. ଉପରେ ପ୍ରବାହିତ ହେଉଛି। ବୁଢାବଳଙ୍ଗ ଓ ଜଳକା ନଦୀର ଜଳ ସ୍ତର କ୍ରମଶଃ ବୃଦ୍ଧିପାଇବା ଯୋଗୁଁ ଉତ୍ତର ବାଲେଶ୍ୱରର ବାଲିଆପାଳ, ବସ୍ତା, ଜଳେଶ୍ୱର, ଭୋଗରାଇ ଏବଂ ରେମୁଣା ବ୍ଲକର ଅନେକ ଗ୍ରାମ ଜଳମଗ୍ନ ହୋଇଯାଇଛି।
ବସ୍ତା ବ୍ଲକର ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ ପାଣିଘେରରେ ରହିଛି। ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । ବସ୍ତା ବ୍ଲକର ଗଡ଼ପଦା, ରାଉତପଡ଼ା, ମଥାନି,  ଚକୁରି, ସଦାନନ୍ଦପୁର, ବରୁଣସିଂ, ବ୍ରାହ୍ମଣଦା ପ୍ରଭୃତି ପଞ୍ଚାୟତରୁ ବହୁ ଗାଁ ପାଣିଘେରରେ ରହିଛି। ବର୍ଷା ଓ ଜୋର୍‌ରେ ପବନ ବହିବାରୁ ବାଲେଶ୍ୱର ଜିଲ୍ଲା ସୀମାରେ ୨୦୦ବର୍ଷର ବରଗଛ ଉପୁଡ଼ି ପଡ଼ିଛି। ସେହିପରି ସଦର ବ୍ଲକ ଗେଙ୍ଗୁଟି ଗ୍ରାମପଞ୍ଚାୟତର ବସନ୍ତପୁର ଗ୍ରାମରେ ଏକ ଗଛ ଡାଳ ଭାଙ୍ଗି ବିଶ୍ୱନାଥ ଓଝା ନାମକ ଜଣେ ଶ୍ରମିକଙ୍କ ଉପରେ ପଡ଼ିଯିବାରୁ ସେ ଗୁରୁତର ଆହତ ହୋଇଯାଇଥିଲେ। ପାଣି ଘେରରେ ଥିବା
ଅନ୍ୟପଟେ ବୁଢ଼ାବଳଙ୍ଗ ନଦୀରେ ବନ୍ୟାଜଳ ଆସିବାରୁ ବାଲେଶ୍ୱର ସହରର ତଳି ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି। କେଶରପୁର, କସମିଳା, ଗୋପାଳଗାଁ, ମାଣିଖମ୍ବ, ଚୂନଭାଟିର ତଳସାହି, ଚାନ୍ଦମାରିପଡିଆ ରତଳ ଅଞ୍ଚଳରେ ପ୍ରାୟ ୧୫୦୦ରୁ ଅଧିକ ପରିବାର ପାଣିଘେରରେ ରହିଛନ୍ତି।
ଚୁନଭାଟିର ୪ଟି ବସ୍ତିରେ ବନ୍ୟାଜଳ ପ୍ରବେଶ କରିବାରୁ ପ୍ରାୟ ୮୦୦ ପରିବାରର ପାଖାପାଖି ୩୦୦୦ ଲୋକ ପ୍ରଭାବିତ ହୋଇଛନ୍ତି। ରେମୁଣା ବ୍ଲକର ଦହପଡ଼ା ଅଞ୍ଚଳରେ ଥିବା ଜଳବନ୍ଦୀ ଶ୍ରମିକଙ୍କୁ ଜିଲ୍ଲା ପ୍ରଶାସନ ଓ ଏନ୍‌ଡିଆର୍‌ଏଫ୍‌ ସହାୟତାରେ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମୁର୍ମୁସାହି, ଜେନାସାହି, ତଳସାହି ଓ ମଝିସାହିରେ ପାଣି ଲହଡ଼ି ଭାଙ୍ଗିବାରୁ ଶୁକ୍ରବାର ରାତିରୁ ଘରେ ଚୁଲି ଜଳିନାହିଁ। ୨୭ ନମ୍ବର ୱାର୍ଡ଼ କାଉନସିଲର ପଦ୍ମଲୋଚନ ଲେଙ୍କା ଏବଂ ସମାଜସେବୀ ବେଣୁ ମାଧବ ପଣ୍ଡା ବିପନ୍ନ ଲୋକଙ୍କୁ ରିଲିଫ୍ ବଣ୍ଟନ କରିଛନ୍ତି। ରବିବାରଠାରୁ ଦୁଇଦିନ ପର୍ଯ୍ୟନ୍ତ ବିପନ୍ନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବା ସହ ବସ୍ତି ରାସ୍ତା ଗୁଡ଼ିକୁ ବ୍ୟକ୍ତିଗତ ଉଦ୍ୟମରେ ମରାମତି କରାଯିବ ବୋଲି ସମାଜସେବୀ ଶ୍ରୀ ପଣ୍ଡା କହିଛନ୍ତି।
ନିଜାମପୁର ପଞ୍ଚାୟତର ବାଙ୍କଚିରା ନିକଟରେ ବୁଢାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ବାଉଁଶ ନଦୀରେ ଜଳପତ୍ତନ ବଢିବା ଯୋଗୁଁ ମେରଦା ଓ ଅଁଳା ପଞ୍ଚାୟତର ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇଛି । ଫଳରେ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି।

ଜଳବନ୍ଦୀ ଲୋକଙ୍କୁ ସଚେତନ କଲେ ଶିକ୍ଷକ

ବର୍ଷା ଯୋଗୁଁ ଶାସଙ୍ଗ ପଞ୍ଚାୟତର ୪ଟି ଗାଁର ଲୋକେ ଜଳବନ୍ଦୀ ରହିଥିଲେ। ସେମାନଙ୍କୁ ସ୍ଥାନୀୟ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ତଥା ଶିଶୁ ସାହିତ୍ୟିକ ହରପ୍ରସାଦ ପାଳ ସଚେତନ କରିଛନ୍ତି। ପାଣିକୁ ଫୁଟାଇ ଥଣ୍ଡା କରି ପିଇବା, ପାଇଖାନା ବ୍ୟବହାର କରିବା ଓ ମଶାରି ଟାଙ୍ଗି ଶୋଇବାକୁ ପରାମର୍ଶ ଦେଇଥିଲେ। ବିଶେଷକରି ୨୭ ଓ ୨୩ ନମ୍ବର ଓ୍ଵାର୍ଡ ବାସିନ୍ଦାଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି। ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା।  ସତ୍ୟସାଇ ଗ୍ରୂପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ନିର୍ଦ୍ଦେଶକ ବେଣୁମାଧବ ପଣ୍ଡା, କାଉନସିଲର୍ ପଦ୍ମଲୋଚନ ଲେଙ୍କାଙ୍କ ତତ୍ତ୍ଵାବଧାନରେ ଏହି ରନ୍ଧାଖାଦ୍ୟ ବଣ୍ଟା ଯାଇଥିଲା।

 

Comment