ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଝିଅ ସୋନିକା ରୟ ଫିଲିପାଇନ୍‌ସଠାରେ ହେବାକୁ ଥିବା ‘ମିସ୍‌ ଏସିଆ ପାସିଫିକ୍‍ ଇଣ୍ଟରନ୍ୟାସନାଲ ୨୦୧୭’ ସୁନ୍ଦରୀ ପ୍ରତିଯୋଗିତାରେ ଭାରତ ପାଇଁ ଏହି ମୁକୁଟ ହାତେଇବାକୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆସନ୍ତା ନଭେମ୍ବର ୧୦ ତାରିଖରୁ ୩୦ ତାରିଖ ଯାଏଁ ହେବାକୁ ଥିବା ଏହି ପ୍ରତିଯୋଗିତାରେ ସେ ଭାରତର ପ୍ରତିନିଧିତ୍ୱ କରିବା ଓଡ଼ିଶା ପାଇଁ ଗର୍ବର ବିଷୟ। ନିକଟରେ ସେ ଓଡ଼ିଶାର ରାଜ୍ୟପାଳ ଏସ୍‌. ସି. ଜମିରଙ୍କୁ ଭୁବନେଶ୍ୱରସ୍ଥିତ ରାଜଭବନରେ ଭେଟିଥିଲେ।
“ମାନନୀୟ ରାଜ୍ୟପାଳ ମତେ ଅଭିନନ୍ଦନ ଜଣାଇବା ସହିତ ଆଗାମୀ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ। ତାହା ମୋ ପାଇଁ ବହୁତ ସମ୍ମାନସ୍ପଦ ମୁହୂର୍ତ୍ତ ଥିଲା”, କହିଛନ୍ତି ସୋନିକା। ଆଉ ପ୍ରାୟ ୧୨ ଦିନ ବାକି ରହିଥିବା ବେଳେ ଏହି ପ୍ରତିଯୋଗିତା ପାଇଁ ସେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ବୋଲି ଜଣାଇଛନ୍ତି। ଏହି ପ୍ରତିଯୋଗିତାକୁ ଯିବା ପୂର୍ବରୁ ସେ ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଭେଟିବାକୁ ମଧ୍ୟ ଆଶା ରଖିଛନ୍ତି।
“ଏଇ ପ୍ରତିଯୋଗିତା ଜିତିବା ପାଇଁ ମୁଁ ଦିନକୁ ପ୍ରାୟ ୧୨ ଘଣ୍ଟା ପରିଶ୍ରମ କରୁଛି। ନିଜକୁ ଫିଟ୍‍ ତଥା ପରଫେକ୍ଟ ସେପ୍‌ରେ ରଖିବା ପାଇଁ ଜିମ୍‍ ଯିବା ସହିତ ଡାନ୍‌ସ ଓ ସ୍ୱିମିଙ୍ଗ ମଧ୍ୟ କରୁଛି। ସୁନ୍ଦରୀ ପ୍ରତିଯୋଗିତାରେ ସାଧାରଣ ଜ୍ଞାନ ତଥା ସାମାଜିକ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନର ଉତ୍ତର ଦେବା ପାଇଁ ଗ୍ରୁପ୍‍ ଡିସକସନ କ୍ଲାସ ମଧ୍ୟ କରୁଛି”, କହିଛନ୍ତି ସୋନିକା।
ଫେମିନା ମିସ୍‍ ଇଣ୍ଡିଆ-୨୦୧୭ରେ ସେ ଶ୍ରେଷ୍ଠ ୩ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ଏହି ପ୍ରତିଯୋଗିତାର ମୁକୁଟ ଜିତିଥିଲେ କ୍ରିଷ୍ଟିନା ବିଜୁ। ମିସ୍‍ ଏସିଆ ପାସିଫିକ୍‍ ଇଣ୍ଟରନ୍ୟାସନାଲ ମୁକୁଟ ପୂର୍ବରୁ ୩ ଜଣ ଭାରତୀୟ ସୁନ୍ଦରୀ ହାତେଇଛନ୍ତି। ସେମାନେ ହେଲେ ବଲିଉଡ ଅଭିନେତ୍ରୀ ଜିନତ ଅମନ, ତାରା ଆନି ଫୋନସେକା ଏବଂ ୨୦୦୦ ମସିହାରେ ଦିଆ ମିର୍ଜା। ଏଥର ଦେଖିବାକୁ ବାକି ରହିଲା ଓଡ଼ିଆ ଝିଅ ସୋନିକା ଭାରତ ପାଇଁ ଏହି ଗୌରବ ପୁଣି ହାତେଇବାରେ ସକ୍ଷମ ହେଉଛନ୍ତି ନା ନାହିଁ।

Comment