ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସାମର ଜଣେ ଅତି ପରିଚିତ ଲେଖକଙ୍କ ସମ୍ବଲପୁରରେ ଥିବା ପୁରୁଣା ବାସଗୃହକୁ ନେଇ ଓଡିଶା ଏବଂ ଆସାମ  ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ  ପତ୍ର ଲେଖି ଏହି ସ୍ମୃତିର ରକ୍ଷଣାବେକ୍ଷଣ ପାଇଁ ଅନୁରୋଧ କରିଛନ୍ତି। ଚିଠି ଲେଖିବା ସହ ସୋନୋୱାଲ ନବୀନଙ୍କ ସହିତ ଏ ନେଇ ଫୋନରେ ମଧ୍ୟ କଥାବାର୍ତ୍ତା କରିଥିଲେ। ଫୋନ ପାଇବା ପରେ ନବୀନ ପଟ୍ଟନାୟକ ତାଙ୍କୁ ଏ ସମ୍ପର୍କରେ ପ୍ରତିଶ୍ରୁତି ଦେଇଛନ୍ତି।
ଇତିମଧ୍ୟରେ ଆସାମର ସଂସ୍କୃତି ମନ୍ତ୍ରୀ ନବ କୁମାର ଦଳେଇ  ଓ ତାଙ୍କ ମିଡିଆ ପରାମର୍ଶଦାତା ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେହି ଚିଠିଟି ପ୍ରଦାନ କରିଛନ୍ତି। ଖାଲି ସେତିକି ନୁହେଁ ଅଲ ଆସାମ ଷ୍ଟୁଡେଣ୍ଟ ୟୁନିଅନ୍‌ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉକ୍ତ କୀର୍ତ୍ତିଟିର ସଂରକ୍ଷଣ ପାଇଁ ଦାବି କରିଛନ୍ତି।

ଏହି ବିବାଦୀୟ ଗୃହଟି ହେଉଛି ଆସାମର ବିଶିଷ୍ଟ ଲେଖକ ଲକ୍ଷ୍ମୀକାନ୍ତ ବେଜ୍ ବରୁଆଙ୍କର। ସମ୍ବଲପୁର ସହରର ନେଲ୍‌ସନ୍ ମଣ୍ଡେଲା ଛକ ନିକଟରେ ଏହି ଘରଟି ରହିଛି। ଏହି ଘରଟି ପ୍ରାୟ ଭାଙ୍ଗିଯିବା ଉପରେ। ଖବର ଅନୁସାରେ ବେଜ୍ ବରୁଆଙ୍କ ପୁରୁଣା ଘର ସହ ପ୍ରାୟ ୩ ଏକର ପ୍ଲଟ୍‌ ରହିଛି। ଏହି ଜମିକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ମହାନଦୀ ଉପରେ ଏକ ନୂଆ ପୋଲ ନିର୍ମାଣ ପାଇଁ ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଛି।

ତେବେ ବେଜ୍ ବରୁଆଙ୍କ ସହିତ ଆସାମବାସୀଙ୍କ ମାନସିକ ଓ ସାଂସ୍କୃତିକ ସମ୍ପର୍କ ଥିବା କାରଣରୁ ଏହାକୁ ଏକ ସଂଗ୍ରହାଳୟରେ ପରିଣତ କରିବା ପାଇଁ ଆସାମ ସରକାର ଚାହୁଁଛନ୍ତି। ଆଲୋଚ୍ୟ ଜମି ଓ ଘରଟି ବର୍ତ୍ତମାନ ଜନୈକ ଓଁକାର ଲାଲ ପୋଦାରଙ୍କ ନାମରେ ଅଛି ଓ ବହୁଦିନ ଧରି ଏହି ସମ୍ପତ୍ତିକୁ  ନେଇ କୋର୍ଟରେ ମାମଲା ଚାଲିଛି।

ବେଜ୍ ବରୁଆ ଭାରତୀୟ ଜାତୀୟ କଂଗ୍ରେସର ଜଣେ ଜଣାଶୁଣା ନେତା ଥିଲେ। ୧୮୮୫ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ସେ ଆସାମ ଛାତ୍ର ସମ୍ମିଳନୀର ପ୍ରଥମ ସଭାପତି ଥିଲେ। ୨୦୧୪ରେ ବେଜ୍ ବରୁଆଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଇଥିଲା।ସେ ଅହମିୟା ସାହିତ୍ୟର ଜଣେ ବିଶିଷ୍ଟ ଲେଖକ ଥିଲେ।

 

Comment