ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବିଜେପିରେ ମିଶିଲେ ରାଜନଗରର ପୂର୍ବତନ ବିଧାୟକ ଅଲେଖ ଜେନା
  • ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର
  • କେନ୍ଦ୍ରାପଡ଼ାକୁ ଭଲ ରାସ୍ତାଟିଏ ନହେବା ଦୁର୍ଭାଗ୍ୟଜନକ
  • ବିନା ବିଜୟରେ ବିଜେପିର ୨ୟ ମିଶ୍ରଣ ପର୍ବ
କେନ୍ଦ୍ରାପଡ଼ା, (ଆଳୟ ସାମନ୍ତରାୟ): ବିଜେପିରେ ଫାଟ। ଏହାର ପ୍ରମାଣ ହେଉଛି କେନ୍ଦ୍ରାପଡ଼ାରେ ଆଜି ଅନୁଷ୍ଠିତ ହୋଇଥିବା ବିଜେପିର ମିଶ୍ରଣ ପର୍ବ। ମିଶ୍ରଣ ପର୍ବକୁ ବିଜେପି ଧୁମ୍‌ଧାମ୍‌ରେ ଆୟୋଜନ କରିଥିବା ବେଳେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଅନୁପସ୍ଥିତିକୁ ନେଇ ପୁଣିଥରେ କେନ୍ଦ୍ରାପଡ଼ା ରାଜନୀତି ସରଗରମ୍‌ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଥିବା ବେଳେ ବିଜୟ ନଆସିବା ଦଳର କନ୍ଦଳକୁ ପଦାରେ ପକାଇଛି।
ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଗଡ଼ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ବିଜେପି ଆଜି ବଡ଼ ଧରଣର ମିଶ୍ରଣ ପର୍ବ ଆୟୋଜନ କରିଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ରେ ପ୍ରଧାନଙ୍କ ଉପସ୍ଥିତିରେ ବିଜେଡି ଏବଂ କଂଗ୍ରେସର ବହୁ ନେତା, କର୍ମୀ ବିଜେପିରେ ସାମିଲ୍‌ ହୋଇଛନ୍ତି। ରାଜନଗରର ପୂର୍ବତନ ବିଧାୟକ ଅଲେଖ ଜେନା ଆଜି ବିଜେପିରେ ଯୋଗଦେଇଛନ୍ତି। ଏହାସହ ବିଜେଡିର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନଗେନ୍ଦ୍ର ବେହେରା, ମହାକାଳପଡ଼ା କଂଗ୍ରେସ ନେତା ବିଜୟ ପ୍ରଧାନ ମଧ୍ୟ ବିଜେପିରେ ସାମିଲ୍‌ ହୋଇଛନ୍ତି।
ଏହି ଅବସରରେ ଧର୍ମନ୍ଦ୍ରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଧର୍ମନ୍ଦ୍ରେ ତାଙ୍କ ଭାଷଣରେ କହିଛନ୍ତି ଯେ, “ନବୀନ ପଟ୍ଟନାୟକ କହୁଛନ୍ତି ବିଜୁବାବୁଙ୍କ ଅଧୁରା ସ୍ବପ୍ନକୁ ପୂରଣ କରୁଛି। ଓଡ଼ିଶାକୁ ୧ ନମ୍ବର କରିବାକୁ ଚାହୁଁଛି। ହେଲେ ୧୭ ବର୍ଷର ଶାସନ ଅମଳରେ କେନ୍ଦ୍ରାପଡ଼ା ସଦରମହକୁମାକୁ ଭଲ ରାସ୍ତାଟିଏ ନହେବା ଦୁର୍ଭାଗ୍ୟଜନକ। ଅଲେଖ ଜେନା ବିଜେପିରେ ସାମିଲ୍‌ ହୋଇଥିବାରୁ କେନ୍ଦ୍ରାପଡ଼ାରେ ଏକ ନୂଆ ରାଜାନୈତିକ ସମୀକରଣ ସୃଷ୍ଟି ହେବ।”
ମିଶ୍ରଣ ପର୍ବରେ ଦିବଙ୍ଗତ ନେତା ଲୁଲୁ ମହାପାତ୍ରଙ୍କ ଭାଇ ଲଳିତେନ୍ଦୁ ମହାପାତ୍ର, ଝିଅ ଉପାସନା ମହାପାତ୍ର, ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁ, ବିଜେପି ନେତା ବିଷ୍ଣୁ ଦାସ, ଭୁବନ ମୋହନ ଜେନା, ଜ୍ଞାନଦେବ ବେଉରା, ଉତ୍କଳ ପରିଡ଼ା, ଦୋଳଗୋବିନ୍ଦ ନାୟକ, ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ବିଜୟ ମହାପାତ୍ରଙ୍କୁ ଅଣଦେଖା କରି ବିଜେପି କେନ୍ଦ୍ରାପଡ଼ାରେ ଦ୍ବିତୀୟ ଥର ପାଇଁ ମିଶ୍ରଣ ପର୍ବ ଆୟୋଜନ କରିଛି। ଏହାକୁ ନେଇ ଏବେ କେନ୍ଦ୍ରାପଡ଼ା ରାଜନୀତି ସରଗରମ୍ ରହିଛି। ବିନା ବିଜୟରେ ବିଜେପି କେତେବାଟ ଆଗଉଛି ତାକୁନେଇ ଚର୍ଚ୍ଚା ଜୋର୍‌ ଧରିଛି।

 

Comment