ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିରୋଧୀ ଦଳ ନେତା ନରସିଂହ ମିଶ୍ର ମେଣ୍ଟ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ରାଜ୍ୟର ୧ ନମ୍ବର ଦଳ ସହ ୨ ନମ୍ବର ଦଳର ମେଣ୍ଟ ହେବା ଅସମ୍ଭବ କହିବା ପରେ ମେଣ୍ଟ ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଛେଦ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମେଣ୍ଟକୁ ନା କହିବା ପରେ ଆଜି କଂଗ୍ରେସ ନେତା ନରସିଂହ ମିଶ୍ର ମୁହଁ ଖୋଲିଛନ୍ତି। ବିଜେଡି-ବିଜେପିକୁ ପଛରେ ପକାଇ ଓଡ଼ିଶାରେ କଂଗ୍ରେସ ପୁଣି କ୍ଷମତାକୁ ଫେରିବ ବୋଲି ଏହି ବରିଷ୍ଠ ନେତା ଆଶାବାଦୀ ଅଛନ୍ତି।
ଏହି ବରିଷ୍ଠ ନେତାଙ୍କ ଏଭଳି ସ୍ପଷ୍ଟୋକ୍ତିକୁ ରାଜନୀତି ପର୍ଯ୍ୟବେକ୍ଷକ ଭିନ୍ନ ଦୃଷ୍ଟି ଦେଖୁଛନ୍ତି। ୧୭ ବର୍ଷ ହେଲା ଯେଉଁ ଦଳ ନିଜ ଘର ସଜାଡ଼ିବାରେ ସମର୍ଥ ହୋଇପାରିଲା ନାହିଁ ସେ ଦଳ କେମିତି ବିଜେଡି ଏବଂ ବିଜେପକୁ ଟକ୍କର ଦେଇ କ୍ଷମତାକୁ ଫେରିବ ତା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି।
ନରସିଂହ କହିଛନ୍ତି, “୨୦୧୯ ନିର୍ବାଚନ ପାଇଁ ଆକଳନ କରିବାର ମୋର ପାରଙ୍ଗମତା ନାହିଁ। ବିଜେଡି ବିରୋଧରେ ଲୋକେ ଅସନ୍ତୋଷ ପ୍ରକାଶ କଲେଣି। ୨୦୧୪ ନିର୍ବାଚନ ବେଳେ ବିଜେଡି ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି। ଲୋକେ ଏବେ ସବୁ ବୁଝିଲେଣି। କଂଗ୍ରେସ ହେଉଛି ଓଡ଼ିଶାର ୨ ନମ୍ବର ଦଳ ଆଉ ବିଜେଡି ହେଉଛି ୧ ନମ୍ବର। ଏଣୁ ୨ ଓ ୧ ନମ୍ବର ଦଳ ଭିତରେ ଆସନ ବୁଝାମଣା ସମ୍ଭବ ନୁହେଁ। ବିଜେଡିକୁ ପରିବର୍ତ୍ତନ କରିବା ପାଇଁ କଂଗ୍ରେସ ଚେଷ୍ଟା କରିବ। ଓଡ଼ିଶାରେ କଂଗ୍ରେସ ସରକାରର ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରିବୁ।”
ବିରୋଧୀ ଦଳ ନେତାଙ୍କର ଏହି ମନ୍ତବ୍ୟକୁ ନେଇ ରାଜନୀତି କରିଡ଼ରରେ ଚର୍ଚ୍ଚା ଜୋର୍‌ ଧରିଛି। ରାଜନୀତି ପଣ୍ଡିତଙ୍କ କହିବା କଥା ହେଲା ଯେ, ୨୦୦୦ ମସିହାରୁ କଂଗ୍ରେସ କ୍ଷମତାଠରୁ ଦୂରେଇ ରହିଛି। ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଅମଳରୁ ଲାଗି ରହିଥିବା କନ୍ଦଳରୁ ଏପର୍ଯ୍ୟନ୍ତ ଏହି ଜାତୀୟ ଦଳ ମୁକୁଳି ପାରିନାହିଁ। ୧୭ ବର୍ଷ ଭିତରେ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା କମିଛି ପଛେ ବଢ଼ିବାର ନଜିର ନାହିଁ। ଏଣୁ କଂଗ୍ରେସ ବିଜେଡିର ଦୁର୍ଗ ଏବଂ ବିଜେପିର ବୃଦ୍ଧି ପାଉଥିବା ଶକ୍ତିକୁ ଭେଦ କରି କ୍ଷମତାକୁ ଫେରିବା ଏତେ ସହଜ ନୁହେଁ।
୧୭ ବର୍ଷରେ କମିଛି ବିଧାୟକଙ୍କ ସଂଖ୍ୟା
୨୦୦୦ରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୨୬ ରହିଥିବା ବେଳେ ୨୦୦୪ରେ ଥିଲା ୩୮। ୨୦୦୯ରେ ବିଧାୟକଙ୍କ ସଂଖ୍ୟା ୨୭ ଥିବା ବେଳେ ୨୦୧୪ରେ ସଦସ୍ୟ ସଂଖ୍ୟା କମିଯାଇ ୧୬ରେ ସୀମିତ ରହିଛି।
୨୦୧୪ ପରଠୁ ଓଡ଼ିଶା କଂଗ୍ରେସର ହାତଲ ଆହୁରି ଖରାପ ହୋଇଯାଇଛି। ପିସିସି ସଭାପତିରେ ପରିବର୍ତ୍ତନ ହୋଇଥିଲେ ଢ଼ଧ୍ୟ ଦଳରୁ କନ୍ଦଳ ଦୂର ହୋଇପାରିନି। ଫଳରେ ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ମାଟି କାମୁଡ଼ିଥିଲା। ୨ ନମ୍ବର ସ୍ଥାନରେ ଥିବା କଂଗ୍ରେସ ୩ ନମ୍ବରକୁ ଖସି ଆସିଛି।
ଦଳ ଛାଡ଼ିଛନ୍ତି ଅନେକ ନେତା
ରାଜ୍ୟ କଂଗ୍ରେସରେ ଦକ୍ଷ ନେତାଙ୍କ ଅଭାବରୁ ବହୁ ନେତା ଓ କର୍ମୀ ଦଳ ଛାଡ଼ି ଅନ୍ୟ ଦଳରେ ପ୍ରବେଶ କରିଛନ୍ତି। ୨୦୧୪ରୁ ଆରମ୍ଭ ହୋଇଥିବା ଦଳ ଛାଡ଼ିବା ପରମ୍ପରାରେ ଏପର୍ଯ୍ୟନ୍ତ ରୋକ୍ ଲାଗିପାରିନି। ତତ୍କାଳୀନ ବିରୋଧୀ ଦଳ ନେତା ଭୁପିନ୍ଦର ସିଂ ଦଳ ଛାଡ଼ି ବିଜେଡିରେ ମିଶିଥିବା ବେଳେ ବ୍ରଜରାଜନଗରର କଂଗ୍ରେସ ନେତା ଅନୁପ ସାଏ ମଧ୍ୟ ଦଳ ଛାଡ଼ିଛନ୍ତି। ସେହିପରି ତତ୍କାଳୀନ କଂଗ୍ରେସ ନେତା ତଥା ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ହେମେନ୍ଦ୍ର ନାରାୟଣ ସିଂ ମଧ୍ୟ ବିଜେଡିରେ ସାମିଲହୋଇ ଟିକେଟ ନେଇଥିଲେ। ନିକଟରେ ଢେଙ୍କାନାଳ, ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି, ସୁଲୋଚନା ଦାସ, ଦିବଙ୍ଗତ ବିଧାୟକ ଲୁଲୁ ମହାପାତ୍ରଙ୍କ ପରିବାର କଂଗ୍ରେସ ଛାଡ଼ି ବିଜେପିରେ ମିଶିବା ପରେ କଂଗ୍ରେସ ଶିବିରରେ କମ୍ପନ ଆରମ୍ଭ ହୋଇଛି। ଏହାକୁ ମୁକାବିଲା କରି ଦଳ କିପରି କ୍ଷମତାକୁ ଫେରିବ ତାକୁନେଇ ରାଜନୀତି କରିଡ଼ରରେ ଚର୍ଚ୍ଚା ଜୋର୍ ଧରିଛି।

Comment