ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛତ୍ରପୁର କାଉନ୍‌ସିଲର ହତ୍ୟାକାଣ୍ଡକୁ ନେଇ ବିଜେପି ଏବେ ଅଡ଼ୁଆରେ। ବିଜେପି ନେତା ଗୋଲକ ମହାପାତ୍ରଙ୍କ ନାଁରେ ଅଭିଯୋଗ ଆସିବା ପରେ ବିଜେଡି ଏବେ ବିଜେପିକୁ ପାଲଟା ଆକ୍ରମଣ କରିଛି। ଏହାକୁ ନେଇ ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି ହୋଇଛି।

  • ପ୍ରତାପ ଦେବଙ୍କ ପ୍ରଶ୍ନକୁ ନେଇ ବିଜେପି ଶିବିରରେ କମ୍ପନ
  • ନିଆଁ ନଥିଲେ ଧୂଆଁ ଉଠେନି କହିଲେ ପ୍ରତାପ
  • ଗୋଲକଙ୍କ ପାଇଁ ଅଡ଼ୁଆରେ ବିଜେପି
ଛତ୍ରପୁର କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପି ନେତା ଗୋଲକ ମହାପାତ୍ରଙ୍କ ସଂପୃକ୍ତି ଚର୍ଚ୍ଚା ହେବା ପରେ ବିଜେପିକୁ ଘେରିଛି ବିଜେଡି। ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀକରି ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ପ୍ରତାପ ଦେବ। ଉତ୍ତରାଖଣ୍ଡ ରାଜ୍ୟ ଅତିଥିଭବନରେ ଅଭିଯୁକ୍ତ କିପରି ରହିଲେ ବୋଲି ଶ୍ରୀ ଦେବ ପ୍ରଶ୍ନ କରିଛନ୍ତି।
ପ୍ରତାପ ଦେବ ପ୍ରଶ୍ନ କରିଛନ୍ତି ଯେ ଅଭିଯୁକ୍ତମାନେ ବ୍ରହ୍ମପୁରରୁ ଭୁବନେଶ୍ୱର ଦେଇ ଉତ୍ତରାଖଣ୍ଡ କେମିତି ଗଲେ? ସେଠାରେ ସେମାନେ ରାଜ୍ୟ ଅତିଥିଭବନରେ କେମିତି ରହିଲେ? ଉତ୍ତରାଖଣ୍ଡରେ ବିଜେପି ସରକାର ଚାଲିଛି। ଏଣୁ ଓଡ଼ିଶା ବିଜେପିର କୌଣସି ନେତା ଏହି ବ୍ୟବସ୍ଥା କରିନାହାନ୍ତି ତ? ଯଦି ଗୋଲକ ମହାପାତ୍ର ସମସ୍ତ ତଦନ୍ତକୁ ସମ୍ମୁଖୀନ କରିବାକୁ କହୁଛନ୍ତି ତାହାଲେ ସେ ଘନଘନ ପ୍ରେସମିଟ୍ କରୁଛନ୍ତି କାହିଁକି?”
ପ୍ରତାପ ଦେବଙ୍କ ଏହି ପ୍ରଶ୍ନକୁ ନେଇ ଏବେ ବିଜେପି ଶିବିରରେ କମ୍ପନ ସୃଷ୍ଟି ହୋଇଛି। ନିଆଁ ନଥିଲେ ଧୂଆଁ ଉଠେନି ବୋଲି ଶ୍ରୀ ଦେବ କହିଛନ୍ତି।
ବିଜେଡି ନେତା ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ କୃଷ୍ଣଚନ୍ଦ୍ର ନାୟକ ଏବଂ ଦୁର୍ଯ୍ୟୋଧନ ରେଡ୍ଡିଙ୍କୁ ପୋଲିସ ୨୯ ତାରିଖରେ ଉତ୍ତରାଖଣ୍ଡରୁ ଗିରଫ କରିଥିଲା। ଏହି ଦୁଇ ଅଭିଯୁକ୍ତ ଗିରଫ ହେବା ପରେ ଗୋଲକ ମହାପାତ୍ରଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା। ଏହାକୁ ଏବେ ବିଜେଡି ଅସ୍ତ୍ର କରିଛି। ଗତ ଦୁଇଦିନ ହେଲା ବିଜେପିକୁ ବାଣ ମାରି ବିଜେଡି ଘାଇଲା କରୁଛି। କଥା କଥାକେ ବିଜେଡିକୁ ଟାର୍ଗେଟ କରୁଥିବା ବିଜେପି ଏବେ ଗୋଲକଙ୍କ ପାଇଁ ଅଡ଼ୁଆରେ ପଡ଼ିଛି।

Comment