ଓଡ଼ିଶାଲାଇଭ୍‍ ବ୍ୟୁରୋ

ପ୍ରଭୁ ଚାଓ୍ୱଲାଙ୍କୁ କହିଲେ ନବୀନ?
  • କାହା ସହ ମେଣ୍ଟ ହେବାର ପ୍ରଶ୍ନ ଉଠୁନାହିଁ
  • ୨୦୧୯ରେ ବିଜେଡି ଏକାକୀ ସରକାର କରିବ
  • ଅମିତ ଶାହଙ୍କ ୧୨୦ ନାରା ନିରାଧାର
  • ଲୋକଙ୍କ ହିତ ପାଇଁ ନିରନ୍ତର କଠିନ ପରିଶ୍ରମ କରୁଛି ସରକାର
  • ଦାମବାବୁଙ୍କ ‘ଦିଦି’ ମନ୍ତବ୍ୟକୁ ନାପସନ୍ଦ
  • ବ୍ୟକ୍ତିଗତ ଭାବେ କାହା ବିରୋଧରେ ମୁଁ କୁହେନାହିଁ
ପୂର୍ବରୁ ସାଂସଦ ଭର୍ତ୍ତୃହରି ମହତାବ ଏବଂ ନିକଟରେ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ, କଂଗ୍ରେସ ସହ ସମ୍ଭାବ୍ୟ ମେଣ୍ଟ ନେଇ ମନ୍ତବ୍ୟ ଦେବା ପରେ ରାଜ୍ୟ ରାଜନୀତିରେ ହଟଚମଟ ହୋଇଥିଲା। ତେବେ ସେହି ଆଲୋଚନା​‌ ଉପରେ ପୂରା ବିରାମ ଲଗାଇ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ସ୍ପଷ୍ଟ ଭାବେ କହିଛନ୍ତି, କଂଗ୍ରେସ ଓ ବିଜେପି ଠାରୁ ବିଜେଡି ସମଦୂରତା ରକ୍ଷା କରିବ। ୨୦୧୯ ନିର୍ବାଚନରେ କାହା ସହ ମେଣ୍ଟ ହେବାର ପ୍ରଶ୍ନ ଉଠୁନାହିଁ। ଏକାକୀ ରାଜ୍ୟରେ ପୁଣିଥରେ ସରକାର ଗଢିବ ବିଜେଡି। ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ ପକ୍ଷରୁ ଆୟୋଜିତ ସାହିତ୍ୟ ମହୋତ୍ସବରେ ଯୋଗଦେଇ ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ସହ ଆଲୋଚନା ସମୟରେ ନବୀନ କହିଛନ୍ତି ଯେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମିଶନ ୧୨୦ ଏକ ବୃଥା ଗଣିତ। ଏଭଳି ଆକଳନରେ ସେ ବିଶ୍ୱାସ କରନ୍ତି ନାହିଁ। ଓଡ଼ିଶାର ଜନସାଧାରଣଙ୍କ ହିତ ପାଇଁ ତାଙ୍କ ସରକାର କଠିନ ପରିଶ୍ରମ କରିଆସୁଛି। ତେଣୁ ବିଜେଡି ପୁଣିଥରେ ନିର୍ବାଚନ ଜିତି ସରକାର ଗଠନ କରିବ।
ମନ୍ତ୍ରୀ ଦାମ ରାଉତଙ୍କ ‘ସ୍ୱାମୀ ଛାଡି ଅଙ୍ଗନବାଡ଼ି’ ମନ୍ତବ୍ୟ ଉପରେ ବି ମତ ରଖିଛନ୍ତି ନବୀନ। ସେ କହିଛନ୍ତି ରାଜନୀତିରେ ଏଭଳି ମନ୍ତବ୍ୟ ଦେବା ଗ୍ରହଣୀୟ ନୁହେଁ। ସେ କେବେହେଲେ ବ୍ୟକ୍ତିଗତ ଭାବେ କୌଣସି ବ୍ୟକ୍ତି ବିରୋଧରେ ପଦଟିଏ କୁହନ୍ତି ନାହିଁ। ଦାମବାବୁଙ୍କ ସହ ଏହି ବିବାଦୀୟ ମନ୍ତବ୍ୟ ନେଇ ସେ କଥା ହୋଇଛନ୍ତି ବୋଲି କହିଛନ୍ତି ନବୀନ।
ତାଙ୍କ ଟୁଇଟର ପେଜରେ କାହିଁକି ଜୟ ଜଗନ୍ନାଥ ଲେଖିଛନ୍ତି ବୋଲି ପ୍ରଭୁ ଚାଓ୍ୱଲାଙ୍କ ଏକ ପ୍ରଶ୍ନ ଉତ୍ତର ଦେଇ ନବୀନ କହିଛନ୍ତି, ସେ ଆଧ୍ୟାତ୍ମିକତାରେ ବିଶ୍ୱାସ ରଖନ୍ତି ଏବଂ ଶ୍ରୀଜଗନ୍ନାଥଙ୍କ ଉପରେ ତାଙ୍କର ଅଗାଧ ବିଶ୍ୱାସ ରହିଛି।
ସରକାରଙ୍କ ସଫଳ ଲୋକାଭିମୁଖୀ କାର୍ଯ୍ୟକ୍ରମ ସଂପର୍କରେ ନବୀନ କହିଛନ୍ତି, “ଦାରିଦ୍ର୍ୟ ଦୂରୀକରଣ ନେଇ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। କୃଷକମାନଙ୍କ ରୋଜଗାର ଦୁଇଗୁଣିତ ହୋଇଛି। ରାଜ୍ୟରେ କେହି ଭୋକିଲା ରହିବେ ନାହିଁ, ସେଥିପାଇଁ ଖାଦ୍ୟ ସୁରକ୍ଷା ଅଭିଯାନରେ ବିପିଏଲ ପରିବାରକୁ ଏକ ଟଙ୍କାରେ ଚାଉଳ ଯୋଗାଇ ଦିଆଯାଉଛି।” ଆସନ୍ତା ଦୁଇବର୍ଷ ମଧ୍ୟରେ ରାଜ୍ୟରେ ଆଉ ଚାଳଘର ରହିବ ନାହିଁ, ଏଥିପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଆଗେଇ ଚାଲିଥିବା କହିଛନ୍ତି ନବୀନ।
ସେହିପରି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା ସବୁଠାରୁ ବଡ଼ ସଫଳତା ପାଇଛି ବୋଲି କହିଛନ୍ତି ନବୀନ। ସେ କହିଛନ୍ତି,୧୯୯୯ର ସୁପର ସାଇକ୍ଲୋନ ପରେ ତାଙ୍କ ସରକାର କ୍ଷମତାକୁ ଆସିଥିଲା। ଏଭଳି ଦୁର୍ବିପାକର ମୁକାବିଲା ପାଇଁ ସରକାର ଗୁରୁତ୍ଵ ଦେଇଆସିଛନ୍ତି। ଫାଇଲିନ ବେଳେ ଯେଭଳି ଭାବେ ସରକାର ବିପର୍ଯ୍ୟୟର ମୁକାବିଲା କଲେ, ତାକୁ ସାରା ଦୁନିଆ ଦେଖିଛି। ଏହି ବାତ୍ୟାରେ କାହାର ଜୀବନହାନୀ ହୋଇନାହିଁ। ଏଥିପାଇଁ ମିଳିତ ଜାତିସଂଘ ଦ୍ୱାରା ପ୍ରଶଂସିତ ହୋଇଛି  ଓଡ଼ିଶା।
ସେହିପରି ସଫଳତାର ସହ ଏସିଆନ୍ ଗେମ୍ସ ଭଳି କ୍ରୀଡ଼ା ମହାକୁମ୍ଭ ଆ​‌ୟୋଜନ କରି ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପ୍ରଶଂସିତ ହୋଇଛି ବୋଲି କହିଛନ୍ତି ନବୀନ।
୨୦୧୯ ନିର୍ବାଚନରେ କ’ଣ ରହିବ ତାଙ୍କ ସରକାରଙ୍କ ଆଭିମୁଖ୍ୟ, ପ୍ରଭୁ ଚାଓ୍ୱଲାଙ୍କ ଏହି ପ୍ରଶ୍ନର ଉତ୍ତର ଦେଇ ନବୀନ କହିଛନ୍ତି ରାଜ୍ୟବାସୀଙ୍କ ପାଇଁ କଠିନ ପରିଶ୍ରମ ନିରନ୍ତର ଜାରି ରହିବ।
ଥ୍ରୀ ‘ଟି’ – ଟ୍ରାନ୍ସପରେନ୍ସୀ, ଟିମ୍ ଓ୍ୱର୍କ ଓ ଟେକ୍ନୋଲଜି ଭଳି ଶବ୍ଦ ବ୍ୟବହାର କରି ସେ ମୋଦିଙ୍କ ଅନୁକରଣ କରୁଛନ୍ତି କି ବୋଲି ଏକ ପ୍ରଶ୍ନ ଉତ୍ତର ଦେଇ ନବୀନ କହିଛନ୍ତି, ସେ ମୋଦିଙ୍କ ଅନୁକରଣରେ ବିଶ୍ୱାସ କରନ୍ତି ନାହିଁ।

1 COMMENT

Comment