ଓଡ଼ିଶାଲାଇଭ୍ ବ୍ୟୁରୋ

- ୭ ଦିନିଆ ରିମାଣ୍ଡରେ ଗଲେ ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ
- ପଲିଟିକାଲ୍ ଲିଙ୍କ୍ର ଖିଅ ଖୋଜିବ ପୋଲିସ
- ପୋଲିସ ଡିଜିଙ୍କୁ ସ୍ମାରକପତ୍ର ଦେଲା ବିଜେପି
- ସିବିଆଇ ତଦନ୍ତ ସହ ଗଞ୍ଜାମ ଏସ୍ପିଙ୍କ ବଦଳି ଦାବି
ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡ ଭିନ୍ନ ମୋଡ଼ ନେଉଛି। ବିଜେପି-ବିଜେଡି ଭିତରେ ଆରୋପ ପ୍ରତ୍ୟାରୋପ ଥମୁ ନଥିବା ବେଳେ ଆଜି ମୁଖ୍ୟ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ନାୟକ ଏବଂ ଦୁର୍ଯ୍ୟୋଧନ ରେଡ୍ଡିଙ୍କୁ ଗଞ୍ଜାମ ପୋଲିସ ୭ ଦିନିଆ ରିମାଣ୍ଡରେ ନେଇଛି। ୭ ଦିନ ଧରି ପୋଲିସ ଦୁଇ ଅଭିଯୁକ୍ତଙ୍କଠାରୁ ପଲିଟିକାଲ ଲିଙ୍କ୍ ଖିଅ ଖୋଜିବା ସହ ଅପରାଧ ପଛରେ ଥିବା ଷଡ଼ଯନ୍ତ୍ରର କାରଣ ଖୋଜିବ।
ସେପ୍ଟେମ୍ବର ୧୬ ତାରିଖରେ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ। ଛତ୍ରପୁର ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ତାଙ୍କ ଘରେ ଥିବା ବେଳେ କିଛି ଅଜଣା ଯୁବକ ହାତରେ ମାରଣାସ୍ତ୍ର ଧରି ଧାଇଁ ଆସିଥିଲେ ଲକ୍ଷ୍ମୀଦତ୍ତଙ୍କ ଘରକୁ। କେହି କିଛି ଭାବିବା ଆଗରୁ ଲକ୍ଷ୍ମୀଦତ୍ତଙ୍କୁ ଆକ୍ରମଣ କରିଥିଲେ ଏହି ଯୁବକ। ଶେଷରେ ଲକ୍ଷ୍ମୀଦତ୍ତ ପ୍ରାଣ ହରାଇଥିଲେ। ଏହାକୁନେଇ ଗଞ୍ଜାମ ପୋଲିସ ଆରମ୍ଭ କରିଥିଲା ଖୋଳତାଡ଼। ୭ ଦିନ ପରେ ଧରା ପଡ଼ିଥିଲେ ୧୩ ଜଣ ଅଭିଯୁକ୍ତ। ସେମାନଙ୍କଠାରୁ ପୋଲିସ ଘଟଣା ପଛର କାରଣ ସମ୍ପର୍କରେ ଜାଣିବା ପରେ ପୋଲିସ ପଞ୍ଝାରେ ଧରା ପଡ଼ିଥିଲେ ଆଉ ୫ ଅଭିଯୁକ୍ତ। ହେଲେ ମୁଖ୍ୟ ଷଡ଼ଯନ୍ତ୍ରକାରୀ କୃଷ୍ଣଚନ୍ଦ୍ର ଏବଂ ଦୁର୍ଯ୍ୟୋଧନଙ୍କ ଟେର୍ ପାଉ ନଥିଲା ପୋଲିସ। ଶେଷରେ ଅକ୍ଟୋବର ୨୯ରେ ଡେରାଡୁନରୁ ପୋଲିସ ଧରିଲା ଏହି ଦୁଇ ଷଡ଼ଯନ୍ତ୍ରକାରୀଙ୍କୁ। ଉଭୟ ଗିରଫ ହେବା ପରେ ବିଜେପି ନେତା ଗୋଲକ ମହାପାତ୍ର ବିବାଦରେ ଛନ୍ଦି ହୋଇଯାଇଛନ୍ତି। ଘଟଣା ସମ୍ପର୍କରେ ଅଧିକ ପଚରା ଉଚରା ପାଇଁ ପୋଲିସ ଉଭୟଙ୍କୁ ରିମାଣ୍ଡରେ ନେଇଛି।
ଏପଟେ ବିଜେପିର ଏକ ଟିମ୍ ଆଜି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି। ଘଟଣାର ସିବିଆଇ ତଦନ୍ତ ସହ ଗଞ୍ଜାମ ଏସ୍ପି ଆଶିଷ ସିଂଙ୍କ ବଦଳି ଦାବି କରିଛନ୍ତି। ସୋମବାର ବିଜେପି ପ୍ରତିନିଧି ଦଳ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଥିଲେ।