ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାଷୀ ସମସ୍ୟାକୁ ଅସ୍ତ୍ର କରିଛି ରାଜ୍ୟ କଂଗ୍ରେସ। ଚାଷୀଙ୍କ ହକ୍‌ ପାଇଁ କଂଗ୍ରେସ ଲଢ଼େଇ କରିବ ବୋଲି କହିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ଶୁକ୍ରବାରଠାରୁ ଏହି ଆନ୍ଦୋଳନ ଆରମ୍ଭ ହେବ ବୋଲି ପ୍ରସାଦ କଂଗ୍ରେସଭବନରେ ଆୟୋଜିତ ପ୍ରେସମିଟ୍‌ରେ କହିଛନ୍ତି।

ରାଜ୍ୟ ସରକାର ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିବା ପରେ ବରଗଡ଼ ଜିଲ୍ଲାରେ ଚାଷୀ ଆତ୍ମହତ୍ୟା ଆରମ୍ଭ ହୋଇଛି। ଗତ ସପ୍ତାହେ ମଧ୍ୟରେ ୪ ଜଣ ଚାଷୀ ଆତ୍ମହତ୍ୟା କରିବା ରାଜ୍ୟ ସରକାରଙ୍କ ପ୍ୟାକେଜକୁ ଉପହାସ କରିଛି ବୋଲି ପ୍ରସାଦ କହିଛନ୍ତି। ମରୁଡ଼ି ପ୍ରଭାବରେ ଚାଷୀ ହନ୍ତସନ୍ତ ହୋଇଥିବା ବେଳେ ଚକଡ଼ା ପୋକ ଚାଷୀର ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି।

ଏକର ଏକର ଚାଷଜମିରେ ଚକଡ଼ା ପୋକ ଲାଗିବାରୁ ଚାଷୀ ଫସଲ ଜାଳି ଦେଉଛି। ଏହି ନିଆଁ ଏବେ ଜିଲ୍ଲାରୁ ଜିଲ୍ଲାକୁ ଡେଉଁଛି। ଚକଡ଼ା ପୋକ ଚିନ୍ତାରେ ବରଗଡ଼ ଜିଲ୍ଲାର ଚାଷୀ ବୃନ୍ଦା ସାହୁ ଜୀବନ ହାରିଛନ୍ତି। ଏହାକୁ ନେଇ କଂଗ୍ରେସ ଆନ୍ଦୋଳନ କରିବ ବୋଲି ପ୍ରସାଦ କହିଛନ୍ତି।

ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ, “ଚାଷୀଙ୍କ ସମସ୍ୟାକୁ ନେଇ କଂଗ୍ରେସ ଆସନ୍ତା କାଲିଠାରୁ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେବ। ୭ ତାରିଖରେ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିବ।”

ଏହାସହ ମୃତ ଚାଷୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବା ସହ ଭାଗଚାଷୀଙ୍କୁ ଇନ୍‌ପୁଟ ସବ୍‌ସିଡ୍‌ ଛାଡ଼ କରିବାକୁ କଂଗ୍ରେସ ଦାବି କରିଛି। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର କୃଷି ଋଣ ଛାଡ଼ କରିବାକୁ ପ୍ରସାଦ ଦାବି କରିଛନ୍ତି।

 

Comment