ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପ୍ରଶାସନକୁ ଚକଡ଼ା ପୋକ ଚିନ୍ତା
  • କୀଟନାଶକ ଦୋକାନରେ ରେଡ୍‌ କଲା ଟିମ୍‌
  • ଫସଲ ନଜାଳିବାକୁ ସମ୍ବଲପୁର ଜିଲ୍ଲାପାଳଙ୍କ ପରାମର୍ଶ
  • ମୃତ ଚାଷୀଙ୍କ ପରିବାରକୁ ଭେଟିଲା ପ୍ରଶାସନ

ଚାଷୀଙ୍କ ମୁଣ୍ଡ ବିନ୍ଧାଇଲାଣି ଚକଡ଼ା ପୋକ। କୀଟନାଶକ କାମ କରୁ ନଥିବାରୁ ଚାଷୀ ନିଜ ହାତରେ ଫସଲ ଜାଳି ଦେଉଛି। ଏହାକୁ ନେଇ ବରଗଡ଼ରୁ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ହଟଚମଟ ସୃଷ୍ଟି ହେବା ପରେ ଆଜି ୩ ଜଣିଆ ବୈଷୟିକ ଟିମ୍‌ ବରଗଡ଼ ଗସ୍ତରେ ଯାଇଛନ୍ତି। ପୋକ ଲାଗିଥିବା ଧାନ ଫସଲକୁ ଦେଖିଛନ୍ତି। ସ୍ଥାନୀୟ କୃଷି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। କୀଟନାଶକ ଉପରେ ସନ୍ଦେହ କରି ଏହି ୩ ଜଣିଆ ଟିମ୍‌ ବିଭିନ୍ନ କୀଟନାଶକ ଦୋକାନ ଉପରେ ଚଢ଼ାଉ କରିଛନ୍ତି।

ବରଗଡ଼ ଜିଲ୍ଲାପାଳ ଖଗେଶ୍ୱର ପାଢ଼ୀ କହିଛନ୍ତି, “ଚାଷୀମାନେ ମାନସିକ ଭାରସାମ୍ୟ ହରାଇ ନିଜ ଫସଲକୁ ଜାଳି ଦେଉଛନ୍ତି। ପୋକ ଲାଗିଥିବା ଚାଷ ଜମିରେ ସର୍ଭେ କରାଯାଉଛି। ଯେଉଁ ଚାଷୀଙ୍କର ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଛି ସେମାନଙ୍କୁ କ୍ଷତିପୂରଣ ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି।”

ଏପଟେ ଚାଷ ଜମିରେ ନିଆଁ ନଲାଗଇବାକୁ ସମ୍ବଲପୁର ଜିଲ୍ଲାପାଳ ନିବେଦନ କରିଛନ୍ତି। ଚାଷଜମିରେ ନିଆଁ ଲଗାଇଦେଲେ କ୍ଷୟକ୍ଷତି ଆକଳନ କରିବା କଷ୍ଟକର ବୋଲି ସେ କହିଛନ୍ତି।

ଆତ୍ମହତ୍ୟା କରିଥିବା ଚାଷୀ ବୃନ୍ଦା ସାହୁଙ୍କ ପରିବାରକୁ ପ୍ରଶାସନ ଭେଟିଛି। ଘଟଣାର ତଦନ୍ତ ପାଇଁ ତହସିଲଦାର, କୃଷି ଅଧିକାରୀ, ପୋଲିସ ବୃନ୍ଦାଙ୍କ ଘରେ ପହଞ୍ଚି ପଚରାଉଚରା କରିଛନ୍ତି।

Comment