ଓଡ଼ିଶାଲାଇଭ୍‍ ବ୍ୟୁରୋ

କୋଣାର୍କ ଫେଷ୍ଟିଭାଲ୍‌। ଡିସେମ୍ବର ମାସର ଶୀତୁଆ ସନ୍ଧ୍ୟାରେ ଦର୍ଶକ ଏବଂ ପର୍ଯ୍ୟଟକଙ୍କୁ ମତୁଆଲା କରେ। ରଙ୍ଗିନ୍ ଆଲୁଅର ଲୁଚକାଳି ଖେଳରେ ଓଡ଼ିଶୀ ଓ ଶାସ୍ତ୍ରୀୟ ନୃତ୍ୟର ତାଳେତାଳେ ବିଭୋର ହୋଇଯାଆନ୍ତି ଦର୍ଶକ। ୧୯୮୯ରେ ଆରମ୍ଭ ହୋଇଥିବା ଏହି ଫେଷ୍ଟିଭାଲ୍‌ ଏବେ ବିଶ୍ବ ଦରବାରରେ ପାଇଛି ସ୍ବତନ୍ତ୍ର ସ୍ଥାନ।

“ଓଡ଼ିଶା ବାହାରେ ମୁଁ ଅନେକ ଥର ବିଭିନ୍ନ ଷ୍ଟେଜରେ ଓଡ଼ିଶୀ ସଙ୍ଗୀତ ପରିବେଷଣ କରିଛି। ଖଜୁରାହୋ ଫେଷ୍ଟିଭାଲ, ଏଲୋରା ଫେଷ୍ଟିଭାଲ, ହାମ୍ପି ଫେଷ୍ଟିଭାଲରେ ମୋତେ ସୁଯୋଗ ମିଳିଛି। ଏସବୁ ଫେଷ୍ଟିଭାଲ ପରେ କୋଣାର୍କ ଫେଷ୍ଟିଭାଲ୍ ଆରମ୍ଭ ହୋଇଥିଲେ ମଧ୍ୟ ଏହା ବହୁତ ଆଗକୁ ଗଲାଣି। ବହୁ ପ୍ରତିଭା ସମ୍ପନ୍ନ କଳାକାରଙ୍କୁ ଏହି ମଞ୍ଚ ସୁଯୋଗ ଦେଇଥିବାରୁ କୋଣାର୍କ ଫେଷ୍ଟିଭାଲ୍‌ ଅନ୍ତର୍ଜାତୀୟ ସ୍ତରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି”, କହିଛନ୍ତି ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ସଙ୍ଗୀତା ଗୋସାଇଁ।

କଣ୍ଠଶିଳ୍ପୀ ସଂଗୀତା ଗୋସାଇଁ କହିଛନ୍ତି ଯେ, କୋଣାର୍କ ଫେଷ୍ଟିଭାଲ୍‌ ସହ ମୁଁ ଆରମ୍ଭରୁ ଜଡ଼ିତ। ମୋତେ ଏହି ମଞ୍ଚରେ ଓଡ଼ିଶୀ ସଙ୍ଗୀତ ପରିବେଷଣ ସହ ଆଙ୍କରିଂ କରିବାର ସୁଯୋଗ ମିଳିଥିଲା। ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ ହୋଇଥିବା କୋଣାର୍କ ନୃତ୍ୟ ଉତ୍ସବ ଏବେ କୋଣାର୍କ ଫେଷ୍ଟିଭାଲ୍‌ରେ ରୂପାନ୍ତରିତ ହୋଇଛି। ସବୁଠୁ ବଡ଼ କଥା ହେଉଛି କୋଣାର୍କ ଫେଷ୍ଟିଭାଲ୍‌ର ମଞ୍ଚ ହେଉଛି ବହୁତ ବଡ଼। ଏହି ମଞ୍ଚରେ ଗ୍ରୁପ୍ ଡ୍ୟାନ୍ସ ପ୍ରଦର୍ଶନ ପାଇଁ ସୁବିଧା ହେଉଛି।

କୋଣାର୍କ ଡ୍ୟାନ୍ସ ଫେଷ୍ଟିଭାଲ୍ ଯେବେ ପରିକଳ୍ପନା କରାଯାଇଥିଲା ସେତେବେଳେ କେବଳ ସୋଲୋ ଓ ଡୁଏଟ୍‌ ଡ୍ୟାନ୍ସ ସହ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଉଥିଲା। ଏହି ଡ୍ୟାନ୍ସକୁ ଦୃଷ୍ଟିରେ ରଖି ମଞ୍ଚ ପ୍ରସ୍ତୁତ କରାଯାଉଥିଲା।

ଆରମ୍ଭରୁ କୋଣାର୍କ ଡ୍ୟାନ୍ସ ଫେଷ୍ଟିଭାଲ୍‌ ୩ ଦିନ ଧରି ଚାଲୁଥିଲା। ହେଲେ ଏହି ଫେଷ୍ଟିଭାଲର କିଛି ନିର୍ଦ୍ଦିଷ୍ଟ ସମୟ ସୀମା ନଥିଲା। ପରେ ଏହାର କଳେବର ବଢ଼ିଥିଲା। ମନଲୋଭା ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆକୃଷ୍ଟ କଲା। ଫଳରେ ଦର୍ଶକ କୋଣାର୍କ ଡ୍ୟାନ୍ସ ଫେଷ୍ଟିଭାଲକୁ ଭଲ ପାଇବା ଆରମ୍ଭ କଲେ। ଦର୍ଶକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି ଫେଷ୍ଟିଭାଲ ପ୍ରତିବର୍ଷ ଡିସେମ୍ବର ମାସକୁ ସ୍ଥିରୀକୃତ ହୋଇଛି।ଡିସେମ୍ବର ୧ରୁ ୫ ତାରିଖ ମଧ୍ୟରେ କୋଣାର୍କ ଫେଷ୍ଟିଭାଲ୍‌ ଅନୁଷ୍ଠିତ ହେଉଛି।

୫ ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଫେଷ୍ଟିଭାଲ୍‌ରେ ଓଡ଼ିଶୀ ନୃତ୍ୟ ସହ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରାଯାଉଛି। ପୂର୍ବରୁ ପ୍ରତିଦିନ ଅଲଗା ଢ଼ାଞ୍ଚାରେ ନୃତ୍ୟ ପରିବେଷଣ ହେଉଥିଲା। କୋଣାର୍କ ଫେଷ୍ଟିଭାଲର ବିଶେଷ ଆକର୍ଷଣ ହେଉଛି ଏହାର ଷ୍ଟେଜ୍। ମଞ୍ଚର ଠିକ ପଛପଟେ ରହିଛି ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର। ଗ୍ୟାଲେରୀରେ ଦର୍ଶକ ବସି ନୃତ୍ୟ ଦେଖିବା ପାଇଁ ଉପଯୁକ୍ତ ଚେୟାରର ବ୍ୟବସ୍ଥା। କୋଣାର୍କ ନୃତ୍ୟ ପାଇଁ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଅତ୍ୟନ୍ତ ଉଚ୍ଚ ମାନର।

କୋଣାର୍କ ଫେଷ୍ଟିଭାଲର ଆଉ ଏକ ବିଶେଷ ଦିଗ ହେଲା କୋଣାର୍କର ପ୍ରାଚୀନ କୀର୍ତ୍ତିରାଜି, ଝାଉଁବଣ ଏବଂ ସମୁଦ୍ର। ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। କୋଣାର୍କ ଫେଷ୍ଟିଭାଲରେ ନୃତ୍ୟ କରିବାକୁ ଆସୁଥିବା ନୃତ୍ୟଶିଳ୍ପୀମାନେ ବହୁତ ଖୁସି ଅନୁଭବ କରନ୍ତି। ସେମାନେ କୋଣାର୍କରେ ନିଜର ପ୍ରତିଭା ପ୍ରଦର୍ଶନ ପରେ ସେମାନେ ଆତ୍ମସନ୍ତୋଷ ପାଇଥାନ୍ତି। ଏହି ମଞ୍ଚରେ ମଣିପୁରୀ, କଥକ, ଭାରତନାଟ୍ୟମ୍, ଓଡ଼ିଶୀ ପରି ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରାଯାଇଥାଏ। ଗୋଟିଏ ଗ୍ରୁପ୍ ନୃତ୍ୟ କଲା ପରେ ସେ ଗ୍ରୁପକୁ ନିୟମ ଅନୁଯାୟୀ ତିନି ବର୍ଷ ଅପେକ୍ଷା କରିବାକୁ ପଡ଼େ। ଗତ ଦୁଇ ତିନି ବର୍ଷ ହେବ କୋଣାର୍କ ସ୍ୟାଣ୍ଡ୍ ଆର୍ଟ ଫେଷ୍ଟିଭାଲ ଆରମ୍ଭ ହୋଇଛି। ଯାହାଫଳରେ ଅଧିକ ଭିଡ଼ ପରିଲିକ୍ଷିତ ହେବା ସହ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଘଟିଛି।

କୋଣାର୍କ ଫେଷ୍ଟିଭାଲକୁ ଡିଜିଟାଲ ମାଧ୍ୟମରେ ପ୍ରଚାର ପ୍ରସାର କରିପାରିଲେ ଏହାକୁ ବିଶ୍ୱବାସୀ ସହଜରେ ଦେଖିପାରିବେ।

Comment