(ଓଡ଼ିଶାଲାଇଭ୍‌ ବ୍ୟୁରୋ)

 କୁନ୍ଦୁଲି ଗଣଦୁଷ୍କର୍ମରେ ଟୁଇଷ୍ଟ ଆସିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଅନ୍ଧାରରେ ବାଡ଼ି ବୁଲାଉଥିବା ବେଳେ ଏସ୍‌ଓଜି ଯବାନଙ୍କ ଉପରେ ଆଙ୍ଗୁଳି ଉଠାଇଛନ୍ତି ବିଜେଡି ଦଳିତ ମୋର୍ଚ୍ଚା ସଭାପତି ବିଷ୍ଣୁ ଦାସ। ଏହାକୁ ନେଇ ଏବେ ରାଜ୍ୟ ସରକାର ପଡ଼ିଛନ୍ତି ଅଡ଼ୁଆରେ ।

ଭିନ୍ନ ମୋଡ଼ ନେଇଛି କୁନ୍ଦୁଲି ଗଣଦୁଷ୍କର୍ମ ମାମଲା। ଗଣଦୁଷ୍କର୍ମର ଖଳନାୟକଙ୍କ ପତ୍ତା ପୋଲିସ ପାଉ ନଥିବା ବେଳେ ଆଜି ବିଜେଡି ଦଳିତ ମୋର୍ଚ୍ଚା ସଭାପତି ବିଷ୍ଣୁ ଦାସ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ୍। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ପ୍ରେସ୍‌ମିଟ୍‌ ଆୟୋଜନ କରି ବିଷ୍ଣୁ ସିଧାଳସଳଖ ରାଜ୍ୟ ସରକାରଙ୍କ ଏସ୍‌ଓଜି ଯବାନଙ୍କ ଉପରେ ଆଙ୍ଗୁଳି ଉଠାଇଛନ୍ତି। ଗଣଦୁଷ୍କର୍ମରେ ଏସ୍‌ଓଜି ଯବାନଙ୍କ ସଂପୃକ୍ତି ଥିବା ଅନୁଭବ ହେଉଛି ବୋଲି ଦଳିତ ମୋର୍ଚ୍ଚା ରିପୋର୍ଟରେ ଉଲ୍ଲେଖ ରହିଥିବାରୁ ଏହାକୁ ନେଇ ରାଜନୀତି ପୁଣି ଗୋଳିଆ ହୋଇଯାଇଛି।

କନ୍ଦୁଲି ଘଟଣାରେ ଆଜି ପର୍ଯ୍ୟନ୍ତ ମୁହଁ ଖୋଲି ନଥିବା ବିଜେପି ବିଷ୍ଣୁଙ୍କ ବୟାନ ପରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗଟେ କରିଛି। ଅଭିଯୁକ୍ତଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ବିଜେପି କହିଛି।

କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ଏସ୍‌ଓଜି କିମ୍ବା ମାଓବାଦୀଙ୍କ ସଂପୃକ୍ତି ନାହିଁ। ଏହା କହିଥିଲେ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ଏହି ମାମଲାକୁ ରେଡ୍‌ ଫ୍ଲାଗ କ୍ୟାଟେଗୋରୀରେ ରଖି କ୍ରାଇମବ୍ରାଞ୍ଚ ଟିମ୍‌ ଆରମ୍ଭ କରିଥିଲା ତଦନ୍ତ। ତଦନ୍ତ ବେଳେ ତଦନ୍ତକାରୀ ଟିମ୍‌ କେବଳ ଅନ୍ଧାରରେ ବାଡ଼ି ବୁଲାଇଥିଲା। ମୁଖ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାରେ ସମର୍ଥ ହୋଇ ନଥିଲା ପୋଲିସ। ତଦନ୍ତ ଶେଷ ହୋଇ ନଥିବା ବେଳେ ବିଷ୍ଣୁ ଦାସଙ୍କ ଏହି ଚାଞ୍ଚଲ୍ୟକର ବୟାନ ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଛି।

ବିଷ୍ଣୁ ଦାସ କହିଛନ୍ତି, ” ଦଳିତ ମୋର୍ଚ୍ଚା କିଛିଦିନ ତଳେ କୁନ୍ଦୁଲି ଗସ୍ତ କରି ରିପୋର୍ଟ ସଂଗ୍ରହ କରିଥିଲା। ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି। ଦୋଷୀ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ବିଷ୍ଣୁଙ୍କର ଏହି ବୟାନକୁ ବିଜେପି ଦଳିତ ମୋର୍ଚ୍ଚା ପ୍ରଭାରି ଦିଲ୍ଲୀପ ମଲ୍ଲିକ ଗଣ୍ଠି କରିଛନ୍ତି। ଏହାକୁନେଇ ସେ ବିଜେଡି ସରକାରକୁ ପାଲଟା ବାଣ ମାରିଛନ୍ତି। ଏଥିରେ ମାଓବାଦୀ କିମ୍ବା ଯବାନଙ୍କ ସଂପୃକ୍ତି ନାହିଁ ବୋଲି ପୋଲିସ ଡିଜି କହୁଥିବା ବେଳେ ବିଷ୍ଣୁ ଦାସ ଏସ୍‌ଓଜି ଯବାନଙ୍କ ଉପରେ ଆଙ୍ଗୁଳି ଉଠାଇଛନ୍ତି। ଏଣୁ କେବେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ।”

ଏପଟେ କଂଗ୍ରେସ ଅନୁସୂଚିତ ଜାତି ଓ ଜନଜାତି ସେଲ୍‌ ପକ୍ଷରୁ ମଧ୍ୟ ବିଷ୍ଣୁ ଦାସଙ୍କ ବୟାନକୁ ଟାର୍ଗଟେ କରାଯାଇଛି। ଡିଜି କାହା ଇଙ୍ଗିତରେ ଯବାନଙ୍କ ସଂପୃକ୍ତି ନାହିଁ ବୋଲି ମନା କରିଥିଲେ ତାକୁନେଇ ଦଳ ପ୍ରଶ୍ନ ଉଠାଇଛି।

ନାବାଳିକା ଜଣକ ତା ଭାଇ ସହ ପଟାଙ୍ଗିର ସୋରିଷପଦର ଜଙ୍ଗଲ ଦେଇ ଘରକୁ ଫେରୁଥିଲେ। ଏହି ସମୟରେ ୩ ଜଣ ଯୁବକ ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଦୁଷ୍କର୍ମ କରିଥିବା ୩ ଜଣ ଯବାନ ବୋଲି ସେତେବେଳେ ପୀଡିତାର ଭାଇ ଅଭିଯୋଗ କରିଥିଲେ। ମାତ୍ର ସେତେବେଳେ ଉଭୟ ସିଆର୍‌ପିଏଫ୍‌ ଡିଜି ଏବଂ ପୋଲିସ ଡିଜି ଏହାକୁ ଖଣ୍ଡନ କରିଥିଲେ।

କୋରାପୁଟ ଏସ୍‌ପି ଦେଲେ ସ୍ପଷ୍ଟୀକରଣ

ବିଷ୍ଣୁ ଦାସଙ୍କ ବୟାନ ଉପରେ କୋରାପୁଟ ଏସ୍‌ପି କନଓ୍ବର ବିଶାଲ ସିଂ ସ୍ପଷ୍ଟୀକରଣ ଦେଇଛନ୍ତି। କହିଛନ୍ତି, ଅକ୍ଟୋବର ୧୦ରୁ ଉକ୍ତ ଅଞ୍ଚଳକୁ ଏସ୍‌ଓଜି, ବିଏସ୍‌ଏଫ୍‌ କିମ୍ବା କୋବ୍ରା ଯବାନ ଯାଇ ନାହାନ୍ତି। ଘଟଣାର ତଦନ୍ତ ଚାଲିଛି। ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ।

 

 

 

Comment