(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ଏବେ ନେତାଙ୍କ ବଦଳରେ ଓଡ଼ିଶା ବିଜେପି ଟାର୍ଗଟେ କରିଛି ଅଫିସରଙ୍କୁ। ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ସିଧାସଳଖ ନିଶାନା କରିଛନ୍ତି ରାଜ୍ୟ ବିଜେପି ନେତା। ଏମାନେ ଶାସକ ଦଳର ହାତବାରିସି ସାଜିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ଏଣୁ ବିଜେପୁର ଉପ-ନିର୍ବାଚନ ପୂର୍ବରୁ ବରଗଡ଼ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ବଦଳି କରିବା ଦାବିରେ ବିଜେପି ପ୍ରଭାରି ଅରୁଣ ସିଂଙ୍କ ନେତୃତ୍ବରେ ଏକ ଟିମ୍‌ ଆଜି ଦିଲ୍ଲୀ ଯାଇ ନିର୍ବାଚନ କମିଶନରଙ୍କ ଦ୍ବାରସ୍ଥ ହୋଇଛନ୍ତି।

ବିଜେପୁର ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲାଗି ବରଗଡ଼ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରିବାକୁ ବିଜେପି ନିର୍ବାଚନ କମିଶନରଙ୍କ ନିକଟରେ ଫେରାଦ ହୋଇଛି।

ବିଜେପି କହିଛି ଯେ, ବିଜେପୁର ଉପ-ନିର୍ବାଚନ ପୂର୍ବରୁ ବରଗଡ଼ ଜିଲ୍ଲାପାଳ ଏବଂ ଏସ୍‌ପି ଦଳୀୟ ପ୍ରଚାର କାର୍ଯ୍ୟକୁ ପରୋକ୍ଷ ଭାବେ ସହଯୋଗ କରୁଛନ୍ତି। ଜିଲ୍ଲାପାଳ ସରକାରୀ ନିୟମକୁ ଉଲ୍ଲଂଘନ କରି ବିଜେଡି କର୍ମୀଙ୍କୁ ବିଭିନ୍ନ ଯୋଜନାର କାର୍ଯ୍ୟାଦେଶ ବାଣ୍ଟୁଛନ୍ତି। ସେହିପରି ବର୍ତ୍ତମାନର ବରଗଡ଼ ଏସ୍‌ପିଙ୍କ କାର୍ଯ୍ୟକାଳରେ ଦୁଇ ଦୁଇ ଜଣ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା। ହେଲେ ପୋଲିସ ନୀରବ ରହିଥିଲା। ନିର୍ବାଚନକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଏହି ଦୁଇ ଜଣଙ୍କୁ ବଦଳି କରାଯାଉ।

ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, “ବରଗଡ଼ ଜିଲ୍ଲାପାଳ ଏବଂ ଏସ୍‌ପି ବିଜେଡିର ଜିଲ୍ଲା ସଭାପତି ଓ ସାଧାରଣ ସମ୍ପାଦକ ଭାବେ କାମ କରୁଛନ୍ତି। ସାଧାରଣ ଲୋକେ ନ୍ୟାୟ ପାଉ ନାହାନ୍ତି। ଏଣୁ ଏହି ଦୁଇ ଜଣଙ୍କୁ ତୁରନ୍ତ ବଦଳି କରାଯାଉ।”

ଏପଟେ ବିଜେଡି ବିଜେପିର ଏହି ଉଦ୍ୟମକୁ ସମାଲୋଚନା କରିଛି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, “ଗୋଲକ ମହାପାତ୍ରଙ୍କ ଘଟଣା ପରେ ବିଜେପି ଭୟଭୀତ ହୋଇଯାଇଛି। ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ବିଜେପି ନିର୍ବାଚନ କମିଶନରଙ୍କ ଦ୍ବାରସ୍ଥ ହେବା ଦୁର୍ଭାଗ୍ୟଜନକ।”

 

 

Comment