(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ବରଗଡ଼ର ବୃନ୍ଦା ସାହୁଙ୍କ ପରେ ଆଜି ବ୍ରହ୍ମପୁର ସାନଖେମୁଣ୍ଡିର ଚାଷୀ ଅଳୟ ଜେନା କୀଟନାଶକ ପିଇ ଜୀବନ ହାରିଛନ୍ତି। ଏପଟେ ଚକାଡ଼ା ପୋକର ଦୌରାତ୍ମ୍ୟ ସହି ନପାରି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ଚାଷୀ ୪ ଏକର ଜମିରେ ନିଆଁ ଲଗାଇ ଦେଇଛନ୍ତି।

ଦିନକୁ ଦିନ ଜଟିଳ ହୋଇଛି ଚାଷୀ ସମସ୍ୟା। ଫସଲ ହାନୀକୁ ନେଇ ଜଣକ ପରେ ଜଣେ ଚାଷୀ ହାରୁଛନ୍ତି ଜୀବନ। ବରଗଡ଼ର ବୃନ୍ଦା ସାହୁଙ୍କ ପରେ ଆଜି ବ୍ରହ୍ମପୁରର ସାନଖେମୁଣ୍ଡି ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। ସାନଖେମୁଣ୍ଡି ଅଞ୍ଚଳର ଏରଣ୍ଡ୍ରା ଗାଁର ଅଳୟ ଜେନା କୀଟନାଶକ ପିଇ ହାରିଛନ୍ତି ଜୀବନ। ଜୀବନ ହାରିବାର କାରଣ ଫସଲ ନଷ୍ଟ ବୋଲି ପରିବାରବର୍ଗ ପକ୍ଷରୁ କୁହାଯାଇଛି।

ଅଳୟ ପ୍ରାୟ ୨ ଏକର ଜମିରେ ଚାଷ କରିଥିଲେ ଧାନ। ଜମିରେ ଧାନ କେଣ୍ଡା ପାଚିଯାଇ ହସୁଥିଲା। ଆଉ ୧୫ ଦିନ ପରେ ଅମଳ ହୋଇ ଘରକୁ ଆସିଥାନ୍ତା ଧାନ। ହେଲେ ଚକଡ଼ା ପୋକ ସବୁ ସାରିଦେଲା। ଧାନ ଭିତରେ ପଶି ଚାଉଳ ଖାଇଯିବାରୁ ଅଳୟ ଉପାୟ ଶୂନ୍ୟ ହୋଇଯାଇ କୀଟନାଶକ ପିଇ ଦେଇଥିଲେ। ଗୁରୁବାର ରାତିରେ ଫସଲ ନଷ୍ଟ ଯୋଗୁ କୀଟନାଶକ ପିଇଥିବା ଅଳୟ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ। ଶେଷରେ ତାଙ୍କର ଆଜି ମୃତ୍ୟୁ ଘଟିଛି।

ଏପଟେ ଫସଲରେ ନିଆଁ ଲଗାଇ ଚାଷୀ ନିଜର ଅସନ୍ତୋଷ ଜାହିରକରି ଚାଲିଛି। ବରଗଡ଼, ସମ୍ବଲପୁର, କଟକ, ରାୟଗଡ଼ା, ଗଞ୍ଜାମ ପରେ ଆଜି କଳାହାଣ୍ଡି ଜିଲ୍ଲାରେ ଚାଷୀ ଫସଲ ପୋଡ଼ିଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଣ୍ଡି ଗାଁର କେଶବ ପାଣିଗ୍ରାହୀ ୪ ଏକର ଜିମରେ ନିଆଁ ଲଗାଇ ଦେଇଛନ୍ତି। ଫସଲରେ ଚକଡ଼ା ପୋକ ଲାଗିଥିବାରୁ ଚାଷୀ ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି।

Comment