(ଓଡ଼ିଶାଲାଇଭ୍‌ ବ୍ୟୁରୋ)

  • କନ୍ଦୁଲି ଗଣଦୁଷ୍କର୍ମକୁ ଭିନ୍ନ ମୋଡ଼ ଦେଲେ ବିଷ୍ଣୁ ଦାସ
  • ଓଡ଼ିଶା ପୋଲିସ ଉପରେ ଆଙ୍ଗୁଳି ଉଠାଇଲେ ବିଷ୍ଣୁ
  • କହିଲେ ପୋଲିସ ତଦନ୍ତ ଉପରେ ଭରସା ନାହିଁ
  • କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ଦାବି

ରାଜ୍ୟ ଗୃହ ବିଭାଗର ମୁଖ୍ୟ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ଗୃହ ବିଭାଗ ଅଧୀନରେ ରହିଛି ଓଡ଼ିଶା ପୋଲିସ୍‌। ହେଲେ ବିଜେଡି ନେତା ବିଷ୍ଣୁ ଦାସ ଗତ ଦୁଇଦିନ ହେଲା ଓଡ଼ିଶା ପୋଲିସ ଉପରେ ଆଙ୍ଗୁଳି ଉଠାଇ ରାଜ୍ୟ ସରକାରଙ୍କୁ ଅକଳିଆରେ ପକାଇଛନ୍ତି।

କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ଏସ୍‌ଓଜି ଯବାନଙ୍କ ଲିଙ୍କ୍‌ ରହିଥିବା କହି ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଥିବା ବିଷ୍ଣୁ ଆଜି କଥା ବଦଳାଇଛନ୍ତି। କୋବ୍ରା ଓ ଗ୍ରୋହାଉଣ୍ଡ ଯବାନଙ୍କ କଥା କହୁକହୁ ପାଟିରୁ ଭୁଲ୍‌ରେ ଏସ୍‌ଓଜି ଯବାନଙ୍କ ନାଁ ଖସି ଆସିଥିଲା ବୋଲି ବିଷ୍ଣୁ ସଫେଇ ଦେଇଛନ୍ତି। ହେଲେ ଓଡ଼ିଶା ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ଏହି ବରିଷ୍ଠ ନେତା। ପୋଲିସ ତଦନ୍ତ ଉପରେ ଭରସା ନଥିବାରୁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରିବାକୁ ବିଷ୍ଣୁ ଦାବି କରିଛନ୍ତି।

ବିଷ୍ଣୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “ଏସ୍‌ପି ଏବଂ ଡିଆଇଜି ପୀଡ଼ିତା ଉପରେ ଚାପ ପ୍ରୟୋଗ କରୁଛନ୍ତି। ପରିବାରବର୍ଗ ବି ଚାପରେ ରହୁଛନ୍ତି। ଫଳରେ ସତ ଲୋକଲୋଚନକୁ ଆସିପାରୁ ନାହିଁ।”

ବିଷ୍ଣୁ ଦାସଙ୍କ ଭଳି ବରିଷ୍ଠ ନେତା ବାରମ୍ବାର କଥା ବଦଳାଇବା ଏବଂ ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥା ଉପରେ ଆଙ୍ଗୁଳି ଉଠାଇବାକୁ ଅନ୍ୟ ବିଜେଡି ନେତାମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ବିଷ୍ଣୁଙ୍କ ବାଣରେ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହେଉଛି।

ଏପଟେ ବିଷ୍ଣୁଙ୍କ କଥାକୁ ଅସ୍ତ୍ର କରି ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ବାଣ ମାରି ଚାଲିଛନ୍ତି। ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ କଂଗ୍ରେସ ଏସ୍‌ସି/ଏସ୍‌ଟି ସେଲ୍‌ ପକ୍ଷରୁ ରାଜଭବନ ସମ୍ମୁଖରେ ୩ ଦିନ ହେଲା ଧାରଣା ଦିଆଯାଇଛି। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏ ଲେଢ଼ଇ ଜାରି ରହିବ ପୂର୍ବତନ ସାଂସଦ ପ୍ରଦୀପ ମାଝି କହିଛନ୍ତି।

କୋରାପୁଟ ଏସ୍‌ପି କନଓ୍ବର ବିଶାଲ ସିଂ ମତ ଦେଇଛନ୍ତି। ଏହି ଗଣଦୁଷ୍କର୍ମରେ ଏସ୍‌ଓଜି, କୋବ୍ରା ଏବଂ ବିଏସ୍‌ଏଫ୍‌ ଯବାନଙ୍କ ସଂପୃକ୍ତି ଥିବା ତଥ୍ୟ ମିଳିନାହିଁ। ଘଟଣାର ତଦନ୍ତ ଚାଲିଛି।”

 

 

 

Comment