(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ଅଡ଼ୁଆରେ ବିଜେଡି ଦଳିତ ସେଲ୍‌ ସଭାପତି ବିଷ୍ଣୁ ଦାସ। କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ଓଡ଼ିଶା ପୋଲିସର ଦକ୍ଷତା ଉପରେ ଆଙ୍ଗୁଳି ଉଠାଇ ବିଷ୍ଣୁ ବିଜେଡି ସୁପ୍ରିମୋଙ୍କ ରୋଷର ଶିକାର ହୋଇଥିବା ଚର୍ଚ୍ଚା ହେଉଛି। ଫଳରେ ବିଷ୍ଣୁଙ୍କୁ ଆଜି ନବୀନ ନିବାସରୁ ନିରାଶ ହୋଇ ଫେରିବାକୁ ପଡ଼ିଛି।

ବିଜେଡି ଦଳିତ ସେଲ୍‌ ସଭାପତି ବିଷ୍ଣୁ ଦାସ ଏବେ ଅଡ଼ୁଆରେ ପଡ଼ିଛନ୍ତି। କୁନ୍ଦୁଲି ଗଣଦୁଷ୍କର୍ମରେ ଏସ୍‌ଓଜି ଯବାନଙ୍କ ସଂପୃକ୍ତି ନେଇ ବିଷ୍ଣୁ ମନ୍ତବ୍ୟ ଦେବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖପ୍ପା ହୋଇଥିବା କୁହାଯାଉଛି। ଆଉ ଏହାକୁ ଅଧିକ ସତେଜ କରିଛି ଆଜିର ଘଟଣା। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଙ୍କ ସହ ଆଲୋଚନା ନକରି ବିରକ୍ତି ହୋଇ ଫେରାଇ ଦେଇଥିବା ଚର୍ଚ୍ଚାର ବିଷୟ ହୋଇଛି।

ଆଜି ନବୀନ ନିବାସରେ ଚାଲିଥିବା ସମ୍ବର୍ଦ୍ଧନା ସଭା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋର୍ଦ୍ଧା ଜିଲ୍ଲା ଯୁବ ବିଜେଡି ତରଫରୁ ସମ୍ବର୍ଦ୍ଧିତ କରାଯାଉଥିଲା। ଏତିକି ବେଳେ ବିଷ୍ଣୁ ଦାସ ପ୍ରବେଶ କରିଥିଲେ ନବୀନ ନିବାସରେ। ସିଧାଯାଇ ନବୀନଙ୍କୁ ଭେଟିଥିଲେ। ହେଲେ ନବୀନ ତାଙ୍କୁ ଦେଖି ନଦେଖିବା ଭଳି ହେବା ସହ ବିରକ୍ତି ଭାବ ପ୍ରକାଶ କରିଥିଲେ। ଏହି ଘଟଣାକୁ ନିଜେ ବିଷ୍ଣୁ ଦାସ ମଧ୍ୟ ସ୍ବୀକାର କରିଛନ୍ତି।

ବିଷ୍ଣୁ ଦାସ କହିଛନ୍ତି, “କୁନ୍ଦୁଲି ପୀଡିତା ରିପୋର୍ଟ ବିଷୟରେ କଥା ହେବାକୁ ମୁଁ ନବୀନ ନିବାସ ଯାଇଥିଲି। ହେଲେ ବିଳମ୍ବରେ ଯାଇଥିବାରୁ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ଜାହିର କରିଛନ୍ତି।”

ରାଜନୀତି ପଣ୍ଡିତ କିନ୍ତୁ ଭିନ୍ନ ମତ ଦେଉଛନ୍ତି। କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ବିଷ୍ଣୁ ଏସ୍‌ଓଜି ଯବାନଙ୍କ ନାଁ ନେଇଥିଲେ। ଫଳରେ ରାଜ୍ୟ ସରକାର ଅଡ଼ୁଆରେ ପଡ଼ିଥିଲେ। କାରଣ ଏସ୍‌ଓଜି ଯବାନ ଓଡ଼ିଶା ପୋଲିସ ଅଧୀନରେ ରହିଛି। ଆଉ ନିଜେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଗୃହ ବିଭାଗର ମୁଖ୍ୟ। ଖାଲି ସେତିକି ନୁହେଁ, ଏହାକୁ ନେଇ ବିବାଦ ଦେଖାଦେବାରୁ ବିଷ୍ଣୁ କଥା ବଦଳାଇ ଓଡ଼ିଶା ପୋଲିସର ତଦନ୍ତ ଉପରେ ପ୍ରଶ୍ନବାଚୀ ଉଠାଇଥିଲେ। ପୋଲିସ ଠିକ୍‌ରେ ତଦନ୍ତ କରୁ ନଥିବା ସେ କହି ଘଟଣାକୁ ଭିନ୍ନ ମୋଡ଼ ଦେଇଥିଲେ। ଏହି ଘଟଣାକୁ ନେଇ ବିଜେଡି ସୁପ୍ରିମୋ ବିଷ୍ଣୁଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି।

କୁନ୍ଦୁଲି ଗଣଦୁଷ୍କର୍ମକୁ ୨୭ ଦିନ ବିତିଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତଙ୍କ ଟେର୍ ପାଇନି। କେବଳ ଅନ୍ଧାରରେ ବାଡ଼ି ବୁଲାଉଛି। ଏପଟେ କଂଗ୍ରେସ ରାଜଭବନରେ ରାଜ୍ୟପାଳ ଡକ୍ଟର ଏସ୍‌ ସି ଜମୀରଙ୍କୁ ସ୍ମାରକପତ୍ର ଦେଇ ନ୍ୟାୟ ଦାବି କରିଛି। ନ୍ୟାୟ ନମିଳିଲେ ଆନ୍ଦୋଳନ ଦିଲ୍ଲୀରେ ହେବ ବୋଲି କଂଗ୍ରେସ କହିଛି।

Comment