(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ରାଜନୀତି ପଶାପାଲିରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ। ଚାଷୀଙ୍କୁ ନେଇ ଥମୁନି ଆରୋପ ପ୍ରତ୍ୟାରୋପ। ଗତ ୪ ଦିନ ହେଲା ଚାଲିଥିବା ବାକ୍‌ଯୁଦ୍ଧରେ ଆଜି ପ୍ରବେଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେଡିକୁ କଟୁ ସମାଲୋଚନା କରିବା ପରେ ବିଜେଡି କେନ୍ଦ୍ରମନ୍ତ୍ରୀଙ୍କୁ ଦେଇଛି ଜବାବ।

ଚାଷୀ ଆତ୍ମହତ୍ୟାକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି। ବିଜେପି-ବିଜେଡି କଥା କଟାକଟି ଭିତରେ ମୁଣ୍ଡ ଖେଳାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପି କାର୍ଯ୍ୟାଳୟରେ ଆୟୋଜିତ ପ୍ରେସ୍‌ମିଟ୍‌ରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ନବୀନ ପଟ୍ଟନାୟକଙ୍କ ନାଁ ନନେଇ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି। ବିଜେଡି ସରକାରକୁ ଚାଷୀ ହତ୍ୟାକାରୀ ସରକାର କହି ଧର୍ମନ୍ଦ୍ରେ ଚାଷୀ ରାଜନୀତି ନିଆଁରେ ଘିଅ ଢାଳିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ବିଜେଡି ହେଉଛି ଭ୍ରଷ୍ଟ, ଦୁର୍ନୀତିଗ୍ରସ୍ତ, ଅପାରଗ ଏବଂ ଚାଷୀ ହତ୍ୟାକାରୀ ସରକାର। ଏ ସରକାର ଅମଳରେ ଅନେକ ଚାଷୀ ଜୀବନ ହାରିଲେଣି। ଚାଷୀଙ୍କୁ ମାରି ରାଜ୍ୟ ସରକାର ପ୍ୟାକେଜ ଘୋଷଣା କରୁଛନ୍ତି। ରାଜ୍ୟରେ ଏକ ପ୍ରଚାର ସର୍ବସ୍ବ ସରକାର ଚାଲିଛି।”

ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟ ଉପରେ ଜବାବ ଦେଇଛି ବିଜେଡି। ଚାଷୀଙ୍କ ପାଇଁ ରାଜ୍ୟ ସରକାର ଅନେକ କିଛି କରିଛନ୍ତି। କେନ୍ଦ୍ରମନ୍ତ୍ରୀ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ଚାଷୀଙ୍କୁ ନେଇ ଶସ୍ତା ରାଜନୀତି କରୁଛି ବୋଲି ଦଳୀୟ ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବ କହିଛନ୍ତି।

ପ୍ରତାପ ଦେବ କହିଛନ୍ତି, “ନବୀନ ପଟ୍ଟନାୟକ ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ। ଚାଷୀଙ୍କ ପାଇଁ ଆମ ସରକାର ବହୁ ପଦକ୍ଷେପ ନେଇଛନ୍ତି। ହେଲେ ଧର୍ମନ୍ଦ୍ରେ ପ୍ରଧାନ ହେଉଛନ୍ତି ଜଣେ କେନ୍ଦ୍ରମନ୍ତ୍ରୀ। ତାଙ୍କ ସରକାର ସାଢ଼େ ୩ ବର୍ଷ ହେଲା ସରକାରରେ ରହିଛି। ୩ ବର୍ଷ ଭିତାରେ ଭାରତରେ କେତେ ଚାଷୀ ଆତ୍ମହତ୍ୟା କଲେଣି? ସେ ସମ୍ପର୍କରେ କେନ୍ଦ୍ର ସରକାର କଣ କରିଛନ୍ତି? ଅନ୍ୟକୁ ଆଙ୍ଗୁଳି ଉଠାଇବା ପୂର୍ବରୁ ବିଜେପି ପ୍ରଥମେ ନିଜକୁ ସମୀକ୍ଷା କରୁ।”

ଚାଷୀ ଆତ୍ମହତ୍ୟାକୁ ନେଇ ବିଜେଡି-ବିଜେପି ଭିତରେ ଚାଲିଥିବା ବାକ୍‌ଯୁଦ୍ଧ ଥମିବାର ନାଁ ଧରୁନି। ଚାଷୀ ଆତ୍ମହତ୍ୟା ପଛରେ ବିଜେପିର ହାତ ରହିଥିବା ବିଜେଡି ଅଭିଯୋଗ ଆଣୁଥିବା ବେଳେ ବିଜେପି ମଧ୍ୟ ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇବା ଲାଗି ସୁଯୋଗ ହାତଛଡ଼ା କରୁନି।

Comment