(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ଫୟାରବ୍ରାଣ୍ଡ ନେତା ଲୁଲୁ ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଆଜି ପାଳନ କରାଯାଇଛି। ତେବେ ଏହି ଫାୟାରବ୍ରାଣ୍ଡ ନେତାଙ୍କୁ ଢାଲ କରି ଉଭୟ କଂଗ୍ରେସ-ବିଜେପି ନିଜର ପତିଆରା ଜାହିର୍‌ କରିବାକୁ ଚାହିଁଛନ୍ତି। ଏହି ଦୁଇ ଜାତୀୟ ଦଳର ଛକାପଞ୍ଝା ଭିତରେ ଲୁଲୁ କାହାର ତାକୁ ନେଇ ପ୍ରଶ୍ନବାଚୀ ଉଠିଛି।

ଚାହଁ ଚାହୁଁ ବିତିଗଲା ବର୍ଷେ। ଶତାଧିକ ଶୁଭେଚ୍ଛୁ, ସମର୍ଥକଙ୍କୁ ଛାଡ଼ି ଆର ପାରିକୁ ଚାଲିଗଲେ ଫାୟାରବ୍ରାଣ୍ଡ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଓରଫ୍ ଲୁଲୁ। ଆଜି ତାଙ୍କର ଶୁଭେଚ୍ଛୁ ରାଜ୍ୟ ବ୍ୟାପୀ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ କରିଛନ୍ତି। ହେଲେ ଏହାକୁ ନେଇ ରାଜନୀତି ଦେଖାଦେଇଛି। ଲୁଲୁଙ୍କୁ ଢ଼ାଲ କରି ଉଭୟ ବିଜେପି-କଂଗ୍ରେସ ରାଜନୈତିକ ଫାଇଦା ନେବା ଲାଗି ଗୋଟି ଚାଳନା କରିଛନ୍ତି। ଏବେ ଲୁଲୁ କାହାର ତାକୁ ନେଇ ପ୍ରଶ୍ନବାଚୀ ଉଠିଛି।

ଲୁଲୁଙ୍କ ରାଜ୍ୟ ସ୍ତରୀୟ ଶ୍ରାଦ୍ଧ ବାର୍ଷିକୀ ଆଜି କଂଗ୍ରେସ ପାଳନ କରିଛି। ଜୟଦେବ ଭବନରେ ଆୟୋଜିତ ସ୍ମୃତି ସଭାରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମେତ ଦଳର ବହୁ ତୁଙ୍ଗ ନେତା ଯୋଗଦେଇ ଲୁଲୁଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ହେଲେ ଲୁଲୁଙ୍କ ପରିବାରକୁ ଏହି ସଭାରେ ଦେଖିବାକୁ ମିଳି ନଥିଲା। ଏପଟେ ଲୁଲୁଙ୍କ ଗାଁ ବ୍ରହ୍ମଗିରିର ଗଡ଼ରୋଡଙ୍ଗଠାରେ ଲୁଲୁ ପରିବାର ପକ୍ଷରୁ ଆୟୋଜନ କରାଯାଇଥିଲା ସ୍ମୃତି ସଭା। ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲୁଲୁଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରି ଧର୍ମେନ୍ଦ୍ର ତାଙ୍କ ବ୍ରହ୍ମଗିରି ଦଖଲର ବିଗୁଲ୍ ବଜାଇଛନ୍ତି। ଏହି ଅବସରରେ ଲୁଲୁଙ୍କ ଝିଅ ଉପାସନା ଏବଂ ଭାଇ ଲଳିତେନ୍ଦୁ ମହାପାତ୍ର ଉପସ୍ଥିତ ଥଲେ। ଶ୍ରାଦ୍ଧ ବାର୍ଷିକୀ ଅବସରରେ କଂଗ୍ରେସ ଏବଂ ବିଜେପି ଲୁଲୁଙ୍କୁ ନେଇ ଯେଉଁ ଶକ୍ତି ପ୍ରଦର୍ଶନ କରିଛନ୍ତି ତାହାକୁ ରାଜନୀତି ପଣ୍ଡିତ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି। ଲୁଲୁ ଏବେ କଂଗ୍ରେସ-ବିଜେପିର ଛକାପଞ୍ଝା ରାଜନୀତିରେ ଅସ୍ତ୍ର ପାଲଟି ଯାଇଥିବା ଚର୍ଚ୍ଚା ହେଉଛି।

କଂଗ୍ରେସକୁ ନିଜର ସବୁକିଛି ଭାବି ନେଇଥିଲେ ଫାୟାରବ୍ରାଣ୍ଡ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଓରଫ୍ ଲୁଲୁ। ଛାତ୍ର ରାଜନୀତିରୁ ଆରପାରିକୁ ଯିବା ପର୍ଯ୍ୟନ୍ତ ସେ କଂଗ୍ରେସକୁ ହିଁ ଭଲ ପାଉଥିଲେ। ତାଙ୍କ ଶିରା ପ୍ରସିରାରେ ପ୍ରବାହିତ ହେଉଥିଲା କଂଗ୍ରେସର ରକ୍ତ। ଦଳର କୌଣସି ଉଚ୍ଚ ପଦ ପଦବୀରେ ନଥିଲେ ବି ଲୁଲୁ ଶେଷ ନିଶ୍ବାସ ଛାଡ଼ିବା ଯାଏଁ କଂଗ୍ରେସକୁ ଭଲ ପାଉଥିଲେ। ହେଲେ ତାଙ୍କ ଅବର୍ତ୍ତମାନରେ ଲୁଲୁ ପରିବାର ଅକ୍ଟୋବର ୧୪ରେ ବିଜେପିରେ ସାମିଲ୍‌ ହୋଇଛନ୍ତି। ଏପଟେ ଲୁଲୁ ପରିବାରକୁ ସାମିଲ୍‌ କରି ବିଜେପି ବ୍ରହ୍ମଗିରିରେ ପତିଆରା ଜାହିର କରିବାକୁ ଚାହୁଁଛି।

ଲୁଲୁ ପରିବାର ବିଜେପିରେ ସାମିଲ ହୋଇଥିଲେ ମଧ୍ୟ କଂଗ୍ରେସ ବି ତାଙ୍କୁ ଛାଡ଼ି ପାରନି। ବ୍ରହ୍ମଗିରି ଭୋଟରଙ୍କୁ କବ୍‌ଜା କରିବା ଲାଗି ଦଳ ସ୍ମୃତିସଭା ଆୟୋଜନ କରିଥିବା ଚର୍ଚ୍ଚା ହେଉଛି। ଲୁଲୁଙ୍କୁ ଢାଲ କରି ଉଭୟ ଜାତୀୟ ଦଳ ବ୍ରହ୍ମଗିରି ଦଖଲ ପାଇଁ ଅଙ୍କ କଷୁଥିବା ବେଳେ ଲୁଲୁ କାହାର ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comment