(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ସସ୍‌ପେନ୍ସରେ କୁନ୍ଦୁଲି ଗଣଦୁଷ୍କର୍ମ। ଘଟଣାକୁ ୨୮ ଦିନ ବିତିଥିଲେ ମଧ୍ୟ ତଦନ୍ତକାରୀ ଟିମ୍‌ ହଟାଇପାରିନି ପରଦା। ଫଳରେ ଦିନକୁ ଦିନ ଅଧିକ ରହସ୍ୟାବୃତ୍ତ ହୋଇଯାଉଛି ମାମଲା। ଏତିକି ବେଳେ ଏଚଆର୍‌ପିସି ଏଡିଜିଙ୍କ ବିବାଦୀୟ ବୟାନ୍‌ ଘଟଣାକୁ କରିଛି ଆହୁରି ଜଟିଳ।

“କୁନ୍ଦୁଲିର ନାବାଳିକା କୌଣସି ଗଣଦୁଷ୍କର୍ମର ଶିକାର ହୋଇ ନାହାନ୍ତି। ଗଣଦୁଷ୍କର୍ମ ସମ୍ପର୍କରେ ମେଡିକାଲ ରିପୋର୍ଟରୁ ସେମିତି କିଛି ତଥ୍ୟ ମିଳୁନାହିଁ”,- ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଏଚଆର୍‌ପିସି ଏଡିଜି ମହେନ୍ଦ୍ର ପ୍ରତାପ।

ଏଡିଜିଙ୍କ ଏହି ବୟାନ ଏବେ ପୁଣିଥରେ ଚର୍ଚ୍ଚାର ବିଷୟ ହୋଇଛି ଏବଂ ପୋଲିସ ବିଭାଗର ତଦନ୍ତ ଉପରେ ପ୍ରଶ୍ନବାଚୀ ଉଠିଛି।

କୁନ୍ଦୁଲି ନାବାଳିକା ବଳାତ୍କାର ଦିନକୁ ଦିନ ହୋଇଯାଉଛି ରହସ୍ୟାବୃତ୍ତ। ପୋଲିସ ଅଫିସର ଏବଂ ରାଜନେତାଙ୍କ ବୟାନ ଘଟଣାକୁ କରୁଛି ଆହୁରି ଜଟିଳ। ଫଳରେ ସତ ସାମ୍‌ନାକୁ ଆସିବା ବଦଳରେ କିଛି ବିଭ୍ରାନ୍ତିକର ମନ୍ତବ୍ୟ ସାମ୍‌ନାକୁ ଆସୁଛି। ଏହାକୁ ନେଇ ପୀଡିତା ପରିବାର ଦ୍ବନ୍ଦ୍ବରେ ପଡ଼ିଛନ୍ତି।

ଏଚ୍‌ଆର୍‌ପିସି ଏଡିଜିଙ୍କ ବୟାନ୍‌ ଯଦି ସତ ହୋଇଥାଏ ତାହାଲେ ଏହାକୁ ନେଇ ଏବେ ବିଭିନ୍ନ ମହଲରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

ଗଣଦୁଷ୍କର୍ମ ହୋଇଛି ବୋଲି ପୀଡ଼ିତା ପରିବାର କାହିଁକି ଅଭିଯୋଗ କଲେ?

୨୮ ଦିନ ଧରି ପୋଲିସ କେଉଁ ଆଧାରରେ କରୁଥିଲା ତଦନ୍ତ?

ପୀଡ଼ିତାଙ୍କୁ କାହିଁକି ୧୫ ଦିନ କାଳ ରଖାଯାଇଥିଲା ମେଡ଼ିକାଲରେ?

ଡାକ୍ତରୀ ଟିମ୍‌ ମେଡ଼ିକାଲରେ କଣ ଚିକିତ୍ସା କରୁଥିଲେ?

ବିଜେଡି ଦଳିତ ସେଲ୍‌ ଆବାହକ ବିଷ୍ଣୁ ଦାସ ଯବାନଙ୍କ ସଂପୃକ୍ତି ରହିଛି ବୋଲି କାହିଁକି କହିଲେ?

ଏସବୁ ଅସମାହିତ ପ୍ରଶ୍ନକୁ ନେଇ ଏବେ କୁନ୍ଦୁଲି ଘଟଣା ଗୋଳିଆ ହୋଇଯାଇଛି। କୋରାପୁଟ ଏସ୍‌ପି କନଓ୍ବର ବିଶାଲ ସିଂ କହିଛନ୍ତି, “କ୍ରାଇମବ୍ରାଞ୍ଚ ତତ୍ତ୍ବାବଧାନରେ ଘଟଣାର ତଦନ୍ତ ଚାଲିଛି। କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ଆଧାର କରି ତଦନ୍ତ ଚାଲିଛି। ଡାକ୍ତରଙ୍କ ରିପୋର୍ଟ ଓ ପୀଡିତାଙ୍କ ବୟାନ୍ ମେଳ ଖାଉ ନାହିଁ।”

ଏପଟେ ପୋଲିସ ଡିଜି ମଧ୍ୟ ଯବାନଙ୍କ ସଂପୃକ୍ତି ନାହିଁ ବୋଲି ଆରମ୍ଭରୁ କହି ଆସୁଛନ୍ତି। କୁନ୍ଦୁଲି ଗଣଦୁଷ୍କର୍ମରେ ପ୍ରତିଦିନ ଟ୍ବିଷ୍ଟ ଆସୁଥିବାରୁ ଘଟଣା ଭିନ୍ନ ମୋଡ଼ ନେଉଛି।

ଅକ୍ଟେବାର ୧୦ରେ ଘଟିଥିଲା ଏହି ଅଭାବନୀୟ କାଣ୍ଡ। ପୀଡିତାଙ୍କ ଭାଇ ଏହି ଘଟଣାରେ ଯବାନଙ୍କୁ ଦାୟୀ କରିଥିଲେ। ଏହାକୁ ନେଇ ପୋଲିସ ଆରମ୍ଭ କରିଥିଲା ତଦନ୍ତ। ତେବେ ଘଟଣା ଉପରୁ ପରଦା ହଟିପାରିନି। ଘଟଣା ପଛର ରହସ୍ୟକୁ ଏପର୍ଯ୍ୟନ୍ତ ତଦନ୍ତକାରୀ ଟିମ୍‌ ଉନ୍ମୋଚନ କରିପାରି ନାହାନ୍ତି।

 

Comment