(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ଶିଶୁ ଦିବସରେ ଛାତ୍ରଛାତ୍ରୀଙ୍କ ସହ ମନ ଖୋଲା କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଗଣଶିକ୍ଷା ବିଭାଗ ତରଫରୁ କରାଯାଉଛି ବ୍ୟାପକ ପ୍ରସ୍ତୁତି। ହେଲେ ବିଜେପି ଏହାକୁ ମୋଦିଙ୍କୁ ନକଲ କହି ସମାଲୋଚନା କରିଛି।

୧୭ ବର୍ଷର ଶାସନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ଏକ ଅଭିନବ ପଦକ୍ଷେପ ନେବାକୁ ଚାହୁଁଛନ୍ତି। ନଭେମ୍ବର ୧୪ ଶିଶୁ ଦିବସରେ ନବୀନ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ମନ ଖୋଲା କଥା ହେବେ। ଏଥିପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟକୁ ଓପେପା ପକ୍ଷରୁ ଚିଠି କରାଯାଇଛି।

ଶିଶୁ ଦିବସକୁ ଦୃଷ୍ଟିରେ ରଖି ସ୍କୁଲରେ ଗଣଶିକ୍ଷା ବିଭାଗ ପକ୍ଷରୁ ଚାଲିଛି ପ୍ରବନ୍ଧ ଲିଖନ ପ୍ରତିଯୋଗିତା। ପ୍ରତିଯୋଗୀମାନେ ଏଥିରେ ଭାଗ ନେଇ ପ୍ରବନ୍ଧ ଲେଖୁଛନ୍ତି। ଏହାସହ ବକ୍ତୃତା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯିବ। ଏସବୁ ଶେଷ ହେବା ପରେ ଶିଶୁ ଦିବସ ବଡ଼ ଜାକଜମକରେ ବିଭିନ୍ନ ସ୍କୁଲ୍‌ରେ ପାଳନ କରାଯିବ।

ଶିଶୁ ଦିବସ ଦିନ ମୁଖ୍ୟମନ୍ତ୍ରୀ ରହିବେ ସଚିବାଳୟରେ। ସଚିବାଳୟରେ ବସି ମୁଖ୍ୟମନ୍ତ୍ରୀ ସ୍କୁଲ ପିଲାଙ୍କ ସହ ଭିଡିଓ କନ୍‌ଫରେନ୍ସ ଜରିଆରେ ବିଭିନ୍ନ ପ୍ରସଙ୍ଗରେ କଥା ହେବେ। ପିଲାଙ୍କ ମତାମତ ବି ଗ୍ରହଣ କରିବେ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ପଞ୍ଚାୟତ ଓ ବ୍ଲକ ସ୍ତରରେ ଭିଡିଓ କନ୍‌ଫରେନ୍ସିଂର ବ୍ୟବସ୍ଥା କରାଯାଉଛି। ଭିଡିଓ କନ୍‌ଫରେନ୍ସ ବାର୍ତ୍ତାଳାପ ଚାଲିଥିବା ବେଳେ ଶିକ୍ଷକମାନେ ମଧ୍ୟ ଉପସ୍ଥିତ ରହିବେ।

ଗଣିଶିକ୍ଷା ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ର କହିଛନ୍ତି, “ଶିଶୁ ଦିବସ ପାଇଁ ବିଭିନ୍ନ ସ୍କୁଲରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ ପିଲାଙ୍କ ସହ ବାର୍ତ୍ତାଳାପ କରିବାର କାର୍ଯ୍ୟକ୍ରମ ରହିଥିବାରୁ ବିଭିନ୍ନ ପଞ୍ଚାୟତ ଏବଂ ବ୍ଲକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଉଛି।”

ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ବିଜେପି ସମାଲୋଚନା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଜେଡି ସୁପ୍ରିମୋ ନକଲ କରୁଥିବା କହିଛି।

ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, “୧୭ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଏଭଳି ପଦକ୍ଷେପ ନେବା ଦୁର୍ଭାଗ୍ୟଜନକ। ମୁଖ୍ୟମନ୍ତ୍ରୀ ମୋଦିଙ୍କୁ ନକଲ କରୁଛନ୍ତି। ମୋଦି ମନ କି ବାତ କରି ବିଭିନ୍ନ ପ୍ରସଙ୍ଗରେ ମତ ରଖିବା ପରେ ନବୀନ ଏହି ପନ୍ଥାକୁ ଆପଣାଇବାକୁ ଚାହୁଁଛନ୍ତି।

ବିଜେପିକୁ ମଧ୍ୟ ବିଜେଡି ଜବାବ ଦେଇଛି। ପ୍ରତାପ ଦେବ କହିଛନ୍ତି, “ବିଜେପି ଓଡ଼ିଶାକୁ ନକଲ କରୁଛି। ପ୍ରଥମେ ମମତା ଯୋଜନା ଓଡ଼ିଶାରେ ଆରମ୍ଭ ହୋଇଥିଲା। ବିଜେପି ସରକାରକୁ ଆସିବା ପରେ ସେ ଏହାକୁ ଆପଣାଇଲେ।”

Comment