(ଓଡ଼ିଶାଲାଇଭ୍‍ ବ୍ୟୁରୋ)

ନୋଟବନ୍ଦୀର ବର୍ଷ ପୂର୍ତ୍ତି ଅବସରରେ ବୁଧବାର ବିଜେପି ଦେଶ ତମାମ୍‍ କଳାଧନ ବିରୋଧୀ ଦିବସ ପାଳନ କରିଛି। ଏହି ଅବସରରେ ବିଜେପି ନେତାମାନେ ନୋଟବନ୍ଦୀକୁ ବିରୋଧ କରୁଥିବା ନେତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।

ବିହାରରେ ଆର୍‍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ଉପାଧ୍ୟକ୍ଷ ରାହୁଲ ଗାନ୍ଧି, ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‍ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।

ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବ ଏବଂ ବିଏସପି ନେତ୍ରୀ ମାୟାବତୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

ଏପଟେ ନୂଆଦିଲ୍ଲୀରେ ମଧ୍ୟ ବିଜେପି ଯୁବମୋର୍ଚ୍ଚା କଳାଧନ ବିରୋଧୀ ଦିବସ ପାଳନ କରିଛି। ଯୁବମୋର୍ଚ୍ଚାର ସଦସ୍ୟମାନେ ଏକ ରାଲିରେ କଂଗ୍ରେସ ଅଫିସ ଅଭିମୁଖେ ଯିବାକୁ ଉଦ୍ୟମ କରିଥିଲେ। ହେଲେ ପୋଲିସ ସେମାନଙ୍କୁ ଅଧା ରାସ୍ତାରେ ଅଟକାଇଥିଲେ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‍ ଶାହା, ରେଳମନ୍ତ୍ରୀ ପୀୟୁଷ ଗୋଏଲ ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଦେଶର ବିଭିନ୍ନ ରାଜ୍ୟକୁ ଯାଇ କଳାଧନ ବିରୋଧୀ ଦିବସ ଉପରେ ବିବୃତି ରଖିଛନ୍ତି।

Comment