(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ଓଡ଼ିଶାର ଚାଷୀ ପ୍ରସଙ୍ଗକୁ ଅସ୍ତ୍ର କରିଛି ବିଜେପି। ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇବା ଲାଗି ବିଜେପି ସଜବାଜ ହେଉଛି। କେନ୍ଦ୍ର ନେତାଙ୍କୁ ଓଡ଼ିଶା ଆଣି ବିଜେପି ପତିଆରା ଜାହିର୍‌ କରିବାକୁ ଯାଉଛି।

  • ଶୁକ୍ରବାର ଆସିବେ ବେଜେପି କେନ୍ଦ୍ରୀୟ ଟିମ୍‌
  • ୭ଟି ଜିଲ୍ଲା ଗସ୍ତ କରିବେ
  • କ୍ଷୟକ୍ଷତି ଆକଳନ କରିବେ
  • ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଦେବେ ରିପୋର୍ଟ

କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ଆସୁଛନ୍ତି ଓଡ଼ିଶା ଗସ୍ତରେ। ସେ ଆସନ୍ତା ୧୨ ତାରିଖରେ ଓଡ଼ିଶା ଆସିବେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସର୍ବାଧିକ କ୍ଷତିଗ୍ରସ୍ତ ବରଗଡ଼ ଜିଲ୍ଲା ଯିବେ। କ୍ଷୟକ୍ଷତି ବୁଲି ଦେଖିବା ସହ ଚାଷୀଙ୍କ ସହ ଆଲୋଚନା କରିବେ। ଏହାଛଡ଼ା ସେ ଅନ୍ୟ ପ୍ରଭାବିତ ଜିଲ୍ଲା ମଧ୍ୟ ଗସ୍ତ କରିବେ। ଚାଷୀ ପ୍ରସଙ୍ଗ ଏବଂ ଫସଲହାନି ସମ୍ପର୍କରେ ସେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଓଡ଼ିଶା ଆସୁଛନ୍ତି ବିଜେପିର କେନ୍ଦ୍ରୀୟ ଟିମ୍‌। ୬ ଜଣିଆ ଟିମ୍‌ ଶୁକ୍ରବାର ଓଡ଼ିଶାରେ ପହଞ୍ଚିବେ। ୪ ଦିନ ରହି ବିଭିନ୍ନ ଅଞ୍ଚଳ ଗସ୍ତ କରିବେ। ରୋଗ ପୋକ ପାଇଁ ହୋଇଥିବା ଫସଲହାନି ଏବଂ ମରୁଡ଼ି ପରିସ୍ଥିତିର ଅନୁଧ୍ୟାନ କରିବେ। ସାଂସଦ ଓମ୍‌ ପ୍ରକାଶ ଯାଦବଙ୍କ ନେତୃତ୍ବରେ ଏହି ଟିମ୍‌ ଓଡ଼ିଶା ଆସୁଛନ୍ତି।

ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ବାଳ କହିଛନ୍ତି, “ଏହି ଟିମ୍‌ ୭ଟି ଜିଲ୍ଲା ଗସ୍ତ କରିବେ। ବରଗଡ଼, ସୁବର୍ଣ୍ଣପୁର, ନୟାଗଡ଼, ନୂଆପଡ଼ା, ବୌଦ୍ଧ, ଗଞ୍ଜାମ ଆଦି ଜିଲ୍ଲା ବୁଲି ପରିସ୍ଥିତି ସମୀକ୍ଷା କରିବେ। ଏହି ରିପୋର୍ଟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ପ୍ରଦାନ କରିବେ।”

ଏପଟେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପୁଣିଥରେ ନକଲି କୀଟନାଶକକୁ ଟାର୍ଗଟେ କରିଛନ୍ତି। ରାଜ୍ୟକୁ ନକଲି କୀଟନାଶକ ଆସିଲା କେମିତି ବୋଲି ଜୁଏଲ ପ୍ରଶ୍ନ କରିଛନ୍ତି। କୀଟନାଶକରେ ପିସି କାରବାର ହୋଇଥିବା ସେ ଅଭିଯୋଗ କରିଛନ୍ତି।

 

Comment