(ଓଡ଼ିଶାଲାଇଭ୍‌ ବ୍ୟୁରୋ)

କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରୁ ନିଜକୁ ଦୁରେଇ ରଖୁଥିବା ବିଜେପି ଏବେ ରାଜ୍ୟ ସରକାରଙ୍କ ଉପରେ ଜମେଇକି ବର୍ଷୁଛି। ବିଜେପି ଦଳିତ ସେଲ୍‌ ପ୍ରଥମେ ଏନେଇ ମୁହଁ ଖୋଲିବା ପରେ ଆଜି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଆକ୍ଷେପ କରିଛନ୍ତି ରାଜ୍ୟ ସରକାରଙ୍କୁ।

କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ଘଡ଼ିକେ ଘୋଡା ଛୁଟୁଛି। ଏହି ଘଟଣାରୁ ନିଜକୁ ଦୂରେଇ ରଖୁଥିବା ବିରୋଧୀ ବିଜେପି ଆଜି ରାଜ୍ୟ ସରକାରଙ୍କ ଉପରେ ଜମେଇକି ବର୍ଷିଛି। ବିଜେପିର ଅନ୍ୟ କେଉଁ ନେତା ନୁହନ୍ତି, ଖୋଦ୍‌ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ କରିଛନ୍ତି ସରକାରଙ୍କୁ ଟାର୍ଗଟେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଜୁଡିସିଆଲ୍‌ ତଦନ୍ତ ଆଦେଶକୁ ଜୁଏଲ ଡ୍ରାମାବାଜି କହି ସମାଲୋଚନା କରିଛନ୍ତି। ଫଳରେ ଏହି ଗଣଦୁଷ୍କର୍ମ ଘଟଣା ଭିନ୍ନମୋଡ଼ ନେଇଛି।

ଜୁଏଲ ଓରାମ କହିଛନ୍ତି, “ଜୁଡିସିଆଲ୍‌ ତଦନ୍ତ ଆଦେଶ ଏକ ନାଟକବାଜି। ଯଦି ସରକାର ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେବାର ଥିଲା ଆଗରୁ କଣ କରୁଥିଲେ? ଏଣୁ ଏହାକୁ ନେଇ ରାଜ୍ୟ ସରକାର ରାଜନୀତି ବନ୍ଦ କରନ୍ତୁ। ଏହି ଘଟଣା ସମ୍ପର୍କରେ ମୋ ପାଖରେ କିଛି ଠୋସ୍‌ ପ୍ରମାଣ ନାହିଁ। ହେଲେ ଏହି ଘଟଣାରେ ଶାସକ ଦଳର କୌଣସି ପ୍ରଭବଶାଳୀ ବ୍ୟକ୍ତି ରହିଥିବା ସନ୍ଦେହ ହେଉଛି। ଯେଉଁଥିପାଇଁ ସରକାର ରାଜନୀତି କରୁଛନ୍ତି।”

ଜୁଏଲ ଓରାମଙ୍କ ମନ୍ତବ୍ୟରେ ଜବାବ ଦେଇଛି ବିଜେଡି। ବିଜେଡି ସାଂସଦ ବଳଭଦ୍ର ମାଝି କହିଛନ୍ତି, “କୁନ୍ଦୁଲି ଘଟଣାରେ ସରକାର ଯାହା ପଦକ୍ଷେପ ନେବା କଥା ନେଇଛନ୍ତି। ଏସ୍‌ପି କେନ୍ଦ୍ର ସରକାରଙ୍କ ଅଧୀନରେ ରହୁଛନ୍ତି। ଏଣୁ କେନ୍ଦ୍ରମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଉଛନ୍ତି ସେଥିରେ କୌଣସି ସତ୍ୟତା ନାହିଁ।”

କୁନ୍ଦୁଲିର ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇ ନାହାନ୍ତି ବୋଲି ଦୁଇଦିନ ତଳେ ଏଚ୍‌ଆର୍‌ପିସି ଏଡିଜି ମହେନ୍ଦ୍ର ପ୍ରତାପ କହିଥିଲେ। ଡାକ୍ତରୀ ଟିମ୍‌ଙ୍କ ରିପୋର୍ଟ ଆଧାରରେ ସେ ଏହି ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେଇଥିଲେ। କମିଶନ୍‌ ଅଫ୍‌ ଇନ୍‌କ୍ବାରି ଆକ୍ଟ-୧୯୫୨ ଅନୁଯାୟୀ ଜଣେ ଜିଲ୍ଲା ଜଜ୍‌ ତଦନ୍ତ କରିବେ। କ୍ରାଇମବ୍ରାଞ୍ଚ ଓ ବିଚାର ବିଭାଗୀୟ ତଦନ୍ତ ଏକାସାଙ୍ଗେ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

 

Comment