(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ଗ୍ରେଡ୍‌ ପେ ବଢ଼ାଇବା ଦାବିନେଇ ରାଜଧାନୀ ଭୁବନେଶ୍ବରରେ ଆନ୍ଦୋଳନ ଚଳାଇଥିବା ଶିକ୍ଷକ ସଂଘ ମଧ୍ୟରେ ଫାଟ। ସଂଘ ସଭାପତିଙ୍କ ନିଷ୍ପତ୍ତି ଉପରେ ଅସନ୍ତୋଷ ପ୍ରକାଶ କରି ଏହି ଫାଟ ଉପୁଜିଛି।

ଗ୍ରେଡ ପେ ୨୨୦୦ ଟଙ୍କାରୁ ବୃଦ୍ଧି କରି ୨୮୦୦ ଟଙ୍କା କରିବା ଦାବିରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ଏବଂ ଶିକ୍ଷା ସହାୟକ ସଂଘ ପକ୍ଷରୁ ଲୋୟର ପିଏମଜିରେ ଆନ୍ଦୋଳନ କରାଯାଇଛି। ଆନ୍ଦୋଳନରତ ଶିକ୍ଷକ ସଂଘ ସଭାପତି ରାଜେଶ ମହାନ୍ତିଙ୍କ ସହ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଆଜି ଆଲୋଚନା କରିଥିଲେ। ଆଲୋଚନା ପରେ ଆନ୍ଦୋଳନ ୩୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଲା ବୋଲି ସଭାପତି ଘୋଷଣା କରିଥିଲେ। ହେଲେ ସଭାପତିଙ୍କ ଏହି ନିଷ୍ପତ୍ତିକୁ ଅନ୍ୟ ଶିକ୍ଷକମାନେ ଗ୍ରହଣ କରି ନାହାନ୍ତି। ଏହି ଘୋଷଣା ପରେ ଶିକ୍ଷକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି କହିଛନ୍ତି। ଏହାସହ ପିଏମ୍‌ଜି ରାସ୍ତା ଅବରୋଧ କରିଥିଲେ।

ରାସ୍ତାରୋକ କରିଥିବା ଶିକ୍ଷକଙ୍କୁ ଆଜି ବିଜେପି ପ୍ରତିନିଧି ଦଳ ଭେଟିଛନ୍ତି। ବିଜେପି ମୁଖପାତ୍ର ସଜ୍ଜନ ଶର୍ମାଙ୍କ ନେତୃତ୍ବରେ ୩ ଜଣିଆ ଟିମ୍‌ ଶିକ୍ଷକଙ୍କୁ ଭେଟି ଆଲୋଚନା କରିଛନ୍ତି। ସରକାର ଶିକ୍ଷକଙ୍କ ମଧ୍ୟରେ ଫାଟ ସୃଷ୍ଟି କରୁଛନ୍ତି ବୋଲି ଶ୍ରୀ ଶର୍ମା ଅଭିଯୋଗ କରିଛନ୍ତି।

 

Comment