ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କେନ୍ଦ୍ରକୁ ବାଣ ମାରିଲେ ଦାମ
  • ବିନା ଅନୁରୋଧରେ ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌
  • କେନ୍ଦ୍ର କୃଷିମନ୍ତ୍ରୀ କହୁଛନ୍ତି ଅସାମ୍ବିଧାନିକ କଥା
  • ସୀମା ଉଲ୍ଲଂଘନ କରୁଛନ୍ତି ଧର୍ମେନ୍ଦ୍ର

ଚାଷୀ ପ୍ରସଙ୍ଗକୁ ନେଇ ଆଜି କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଦମ୍‌ ଦେଖାଇଛନ୍ତି। ସିଧାସଳଖ କେନ୍ଦ୍ରମନ୍ତ୍ରୀ ଏବଂ କେନ୍ଦ୍ରୀୟ ଟିମ୍‌କୁ ନିଶାନା ବନାଇଛନ୍ତି। ରାଜ୍ୟ ସରକାରଙ୍କ ବିନା ଅନୁରୋଧରେ କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶାରେ ଅନୁପ୍ରବେଶ କରୁଛନ୍ତି କହି କେନ୍ଦ୍ର ଉପରେ ଅସନ୍ତୋଷ ଜାହିର୍‌ କରିଛନ୍ତି ଦାମ।

କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଆସିବା ନେଇ ଦାମ କହିଛନ୍ତି, କୃଷି ହେଉଛି ରାଜ୍ୟର ବିଷୟ। ରାଜ୍ୟ ସରକାର ଚାଷୀଙ୍କ ଦାୟିତ୍ବ ବୁଝୁଛନ୍ତି। ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ କେନ୍ଦ୍ର ସହାୟତା ଦେଇଥାଏ। ମାତ୍ର ରାଜ୍ୟର ବିନା ଅନୁରୋଧରେ କେନ୍ଦ୍ରୀୟ ଟିମ୍‌ ଆସନ୍ତି ନାହିଁ।

ଏହି ଅବସରରେ ଦାମ କେନ୍ଦ୍ର କୃଷିମନ୍ତ୍ରୀ ରାଧା ମୋହନ ସିଂଙ୍କୁ ଜବାବ ଦେଇଛନ୍ତି। ଆଉ ୧୨ ତାରିଖରେ ଆସିବାକୁ ଥିବା କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଶେଖାଓ୍ବତ ସିଂଙ୍କୁ ଟାର୍ଗଟେ କରିଛନ୍ତି। କହିଛନ୍ତି, ପ୍ରାକୃତିକ ବିପତ୍ତି ବେଳେ ରାଜ୍ୟ ସରକାର ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଆସନ୍ତି। ରାଜ୍ୟ ସରକାରଙ୍କ ସହ ଆଲୋଚନା କରନ୍ତି। ହେଲେ ବିନା ତଥ୍ୟରେ ରାଜ୍ୟ ଉପରେ ଦୋଷ ଲଦିବା ଅସାମ୍ବିଧାନିକ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଛାଡ଼ି ନାହାନ୍ତି ଦାମ। ଧର୍ମେନ୍ଦ୍ର ତାଙ୍କ ସୀମାରେ ରହୁ ନାହାନ୍ତି କହି ରାଜନୀତିକୁ ଉଷ୍ମ କରିଛନ୍ତି। ସେ ଓଡ଼ିଶାର ହୋଇ ମଧ୍ୟ ରାଜ୍ୟ ସରକାରଙ୍କ ସହ ଆଲୋଚନା କରୁ ନାହାନ୍ତି। କେବଳ କେନ୍ଦ୍ର ପାଖରେ ଗୁହାରି କରୁଛନ୍ତି।

ଦୁଇଦିନ ହେଲା ବିଜେପି କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଆସି ବିଭିନ୍ନ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରୁଛନ୍ତି। ରାଜ୍ୟ ସରକାରଙ୍କୁ ଦାୟୀ କରୁଛନ୍ତି। ଏହାକୁ ରାଜ୍ୟ କୃଷିମନ୍ତ୍ରୀ ଡାକ୍ତର ରାଉତ ଗ୍ରହଣ କରିପାରି ନାହାନ୍ତି।

ଚାଷୀ ସମସ୍ୟାକୁ ନେଇ କିଛିଦିନ ହେଲା ରାଜ୍ୟ ରାଜନୀତି ଉଷ୍ମ ରହିଛି। ଚକଡ଼ା ପୋକ ପ୍ରଭାବରେ ଫସଲହାନି ହେବାରୁ ଚାଷୀ ଜୀବନ ହାରିବା ଘଟଣାକୁ କେନ୍ଦ୍ରକରି ରାଜ୍ୟ-କେନ୍ଦ୍ର ମୁହାଁମୁହିଁ ହୋଇଛନ୍ତି। କେନ୍ଦ୍ର କୃଷିମନ୍ତ୍ରୀ ଏଥିପାଇଁ ରାଜ୍ୟ ଉପରେ ଦୋଷ ଲଦିବା ପରେ ଦାମ ତାଙ୍କ ବାଣ ସିଧା କେନ୍ଦ୍ରକୁ ଛାଡ଼ିଛନ୍ତି।

 

Comment