ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅସଙ୍ଗଠିତ ଶ୍ରମିକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବେଶ୍ ଗୁଡିଏ ସୁବିଧା ସୁଯୋଗ ଘୋଷଣା କରିଛନ୍ତି। ଏହି ଶ୍ରମିକମାନଙ୍କୁ ନେଇ ଆଗାମୀ ନିର୍ବାଚନ ବୈତରଣୀ ପାର୍‌ ହେବାକୁ ଅଙ୍କ କଷୁଛି ବିଜେଡି।

୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଭିନ୍ନ ଦଳର ରଣନୀତି ସେହି ପରିମାଣରେ ବଦଳିବା ଦେଖା ଯାଉଛି।ରବିବାର ଦିନ ରାଜଧାନୀରେ ଅସଙ୍ଗଠିତ ଶ୍ରମିକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବେଶ୍ ଗୁଡିଏ ସୁବିଧା ସୁଯୋଗ ଘୋଷଣା କରିଛନ୍ତି।ଏଥିରେ ରହିଛି ପରିଚୟ ପତ୍ର ପ୍ରଦାନ, ବୀମା ଓ ସାମାଜିକ ସୁରକ୍ଷା ବ୍ୟବସ୍ଥା ଆଦି।
ବିଜୁ ଶ୍ରମିକ ସାମ୍ମୁଖ୍ୟ ହେଉଛି ବିଜେଡିର ଶ୍ରମିକ ମୋର୍ଚ୍ଚା।ଆଦିବାସୀ, ଛାତ୍ର, ମହିଳା ଭଳି ବିଭିନ୍ନ  ଫ୍ରଣ୍ଟାଲ ସଙ୍ଗଠନ ସହିତ  ଏହା ବି ଏକ ଭୋଟ କେନ୍ଦ୍ର।

ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ କିଛି ଲୋଭନୀୟ କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କୁ ନିଜ ଆଡକୁ ଟାଣି ଆଣି ଠିକଣା ସମୟରେ  କାମରେ ଲଗାଇବା ପାଇଁ ଶାସକ ଦଳ ବଦ୍ଧପରିକର।ପକ୍କା ଘର ଯୋଗାଇବାଠାରୁ ଆରମ୍ଭ କରି ସେମାନଙ୍କ ଝିଅର ବାହାଘର ପାଇଁ ସୁବିଧା କରିବା ପର୍ଯ୍ୟନ୍ତ ସବୁକିଛି  ଏହି ଯୋଜନାରେ ରହିଛି।ସେମାନଙ୍କ ପାଇଁ ବୀମା ଯୋଜନା ଆରମ୍ଭ କରିବା, ସର୍ବନିମ୍ନ ମଜୁରି ନିଶ୍ଚିତ କରିବା କଥା ସମ୍ମିଳନୀରେ କହିଛନ୍ତି ବିଜୁ ଶ୍ରମିକ ସାମ୍ମୁଖ୍ୟର ସଧାରଣ ସମ୍ପାଦକ ଓ ପ୍ରାକ୍ତନ କମ୍ରେଡ଼ ସୁବାସ ସିଂହ।
ଏହି ସମ୍ମିଳନୀରେ ସବୁ ୩୦ ଜିଲ୍ଲାର କର୍ମୀ ଯୋଗ ଦେଇଥିଲେ।ଦେଖିବାକୁ ଗଲେ,ଶାସକ ଦଳର ଏହି ରଣନୀତି ଏକଦମ୍ ନିର୍ଭୁଲ।ଯଦି ଗାଁ ଗହଳରେ ଥିବା ଶ୍ରମିକଙ୍କୁ  ଟଙ୍କିକିଆ ଚାଉଳ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ଦେଇ ସେମାନଙ୍କ ପାଖରେ ପହଞ୍ଚା ଯାଇ ପାରୁଛି, ସହରର ଅସଙ୍ଗଠିତ ଶ୍ରମିକମାନଙ୍କ ପାଖରେ କାହିଁକି ନୁହେଁ?
ସତ କହିଲେ ,ବିଜେଡି ସରକାର ଶ୍ରମିକମାନଙ୍କ ପାଇଁ ବେଶ୍ ତତ୍ପର।ଯଦି ଖୋଦ ସରକାରଙ୍କ ତଥ୍ୟକୁ ବିଶ୍ୱାସ କରାଯାଏ, ନିର୍ମାଣ ଶ୍ରମିକଙ୍କ ପାଇଁ ଯେଉଁ ବୋର୍ଡ଼ ଗଠନ ହୋଇଛି ସେଥିରେ ୨୧ ଲକ୍ଷ ଶ୍ରମିକ ପଞ୍ଜିକୃତ ହୋଇ ସାରିଛନ୍ତି।ଏବେ ଅଣ ସଂଗଠିତ ଶ୍ରମିକଙ୍କୁ ପଞ୍ଜିକୃତ କରିବାର ପାଳି।ଘରେ କାମ କରୁଥିବା ମହିଳା, ପରିବହନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ,ରିକ୍ସା ଚାଳକ, ବୁଲା ବେପାରି ଏ ସମସ୍ତେ ଅଣସଂଗଠିତ ଶ୍ରମିକ ପର୍ଯ୍ୟାୟରେ ଆସୁଛନ୍ତି।
ବିଜେଡିର କୌଶଳକୁ ବିବେଚନା କରିବା ପାଇଁ ଆପଣଙ୍କୁ ଜଣେ ଗଣିତଜ୍ଞ ହେବାକୁ ପଡ଼ିବ ନାହିଁ।ଶ୍ରମିକ ସାମ୍ମୁଖ୍ୟ ଜରିଆରେ ଯଦି ଦଳ ୫୦ ଲକ୍ଷ ଶ୍ରମିକଙ୍କୁ ଅକ୍ତିଆର କରି ପାରିଲା, ଜାଣନ୍ତୁ ନିର୍ବାଚନରେ ଏହା ଏକ ପାଖିଆ ଫଳ ଦେବ।ଖାସ୍ ଏଇଥି ପାଇଁ ଏହି ଭୋଟବ୍ୟାଙ୍କକୁ ହାତରେ ରଖିବାକୁ ଚାହୁଁଛନ୍ତି ବିଜେଡି ସରକାର।ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଉଛି ସୁବାସ ସିଂହଙ୍କ ଭଳି ଜଣେ ଦକ୍ଷ ଟ୍ରେଡ଼ ୟୁନିଅନ ନେତାଙ୍କୁ ଏହି ଦାୟିତ୍ୱଟି ଦିଆ ଯାଇଛି।ଆଗାମୀ ନିର୍ବାଚନରେ ଏହି ଅଣସଂଗଠିତ ଶ୍ରମିକମାନେ ବେଶ୍ ସହାୟକ ହେବେ। ଏହା ଭଲ ଭାବରେ ଦଳ ଚିନ୍ତା କରି ଦେଖିଛି।

Comment