ଓଡ଼ିଶାଲାଇଭ୍‌ ବ୍ୟୁରୋ

କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ପୁଣି ଦେଇଛନ୍ତି ବିବାଦୀୟ ବୟାନ୍। ମୃତ ଚାଷୀ ବୃନ୍ଦା ସାହୁ ବିଜେପିର ଲୋକ କହି ଆଉ ଏକ ବିବାଦ ସୃଷ୍ଟି କରିଛନ୍ତି ଏହି ବରିଷ୍ଠ ମନ୍ତ୍ରୀ।

ପୁଣିଥରେ ରାଜ୍ୟ କୃଷିମନ୍ତ୍ରୀ ଡାକ୍ତର ଦମୋଦର ରାଉତ ମାରିଛନ୍ତି ବାଣ। କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ମୃତ ଚାଷୀ ବୃନ୍ଦା ସାହୁଙ୍କ ପରିବାରକୁ ଭେଟିବା ପରେ ଦାମ ଚାଷୀମାନଙ୍କର ଦଳ ନିର୍ଣ୍ଣୟ କରିଛନ୍ତି। ଚାଷୀ ବୃନ୍ଦା ସାହୁ ବିଜେପିର ଲୋକ କହି ଦାମ ହୁତହୁତ ହୋଇ ଜଳୁଥିବା ଚାଷୀ ନିଆଁରେ ଘିଅ ଢାଳିଛନ୍ତି।

ସୋମବାର ଶ୍ରୀ ଶେଖାଓ୍ବତ ବୃନ୍ଦା ସାହୁଙ୍କ ଦୁଇ ଝିଅଙ୍କୁ ଭେଟି ଆଶ୍ବାସନା ଦେଇଛନ୍ତି। କହିଛନ୍ତି, ଯଦି ସ୍ଥାନୀୟ ପ୍ରଶାସନ ସମସ୍ୟା ସମାଧାନ ନକରନ୍ତି ତାହାଲେ ମୋତେ ସିଧାସଳଖ ଜଣାଇବ। କେନ୍ଦ୍ର କୃଷିମନ୍ତ୍ରୀଙ୍କ ଭଳି ରାଜ୍ୟ କୃଷି ମନ୍ତ୍ରୀ ମୃତ ଚାଷୀଙ୍କ ପରିବାରକୁ ଭେଟିବା ଉଚିତ୍‌ ନୁହେଁ କି ବୋଲି ଗଣମାଧ୍ୟମ ପ୍ରତିନିଧି ଦାମଙ୍କୁ ପ୍ରଶ୍ନ କରିଥିଲେ। ଆଉ ଦାମ ପ୍ରତିକ୍ରିୟା ଦେବାକୁ ଯାଇ ମୃତ ଚାଷୀ ବୃନ୍ଦା ସାହୁଙ୍କୁ ବିଜେପିର କହି ହଟଚମଟ ସୃଷ୍ଟି କରିଛନ୍ତି।

ଡାକ୍ତର ଦାମୋଦର ରାଉତ କହିଛନ୍ତି, “ବୃନ୍ଦା ସାହୁ ତାଙ୍କ ଦଳୀୟ ଲୋକ ହୋଇଥିବେ ବୋଲି କେନ୍ଦ୍ରମନ୍ତ୍ରୀ ଗସ୍ତ କରିଛନ୍ତି। ସେମାନେ ମୋ ଦଳର ନୁହନ୍ତି। ଏଣୁ ମୋର ସେଠାକୁ ଯିବା ଆବଶ୍ୟକତା ମନେ କରୁନି।”

ରାଜ୍ୟ କୃଷିମନ୍ତ୍ରୀଙ୍କର ଏଭଳି ବିବାଦୀୟ ବୟାନରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବୃନ୍ଦା ସାହୁଙ୍କ ପରିବାର। ସେମାନେ ନିର୍ଦ୍ଦିଷ୍ଟ କେଉଁ ଦଳର ନୁହନ୍ତି ବୋଲି କହିଛନ୍ତି। ଏହାକୁ ନେଇ ଏବେ ଦାମ ପୁଣି ହଟହଟା ହୋଇଛନ୍ତି।

କେନ୍ଦ୍ରୀୟ ଟିମ୍‌ ଏବଂ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଆସିବା ଦିନରୁ ଦାମ ଗୋଟିଏ ପରେ ଗୋଟିଏ ବିବାଦୀୟ ବୟାନ ଦେଇ ରାଜ୍ୟ ରାଜନୀତିକୁ ଉଷ୍ମ କରି ରଖିଛନ୍ତି। ପ୍ରଥମେ କେନ୍ଦ୍ର ଓଡ଼ିଶାରେ ଅନୁପ୍ରବେଶ କରୁଛି କହି ବିବାଦରେ ରହିଥିବା ବେଳେ ଏବେ ସେ ଚାଷୀଙ୍କୁ ରାଜନୀତିକ ଦଳରେ ସଂପୃକ୍ତ କରି ଆଉ ଏକ ନୂଆ ବିବାଦରେ ଛନ୍ଦି ହୋଇଛନ୍ତି। ଖାଲି ସେତିକି ନୁହେଁ, ଫସଲ ଜାଳୁଥିବା ଚାଷୀଙ୍କୁ କ୍ଷତିପୂରଣ ମିଳିବନି କହି ଦାମ ଚାଷୀ ଏବଂ ବିରୋଧୀଙ୍କ ଆକ୍ରୋଶର ଶିକାର ହୋଇଥିଲେ।

 

Comment