ଓଡ଼ିଶାଲାଇଭ୍‍ ବ୍ୟୁରୋ

ଆଉ ଏକ ନୂଆ ସଜବାଜ ନେଇ ଆସୁଛନ୍ତି କେନ୍ଦ୍ର ସରକାର। ଆଧାର କାର୍ଡ ପରେ ଇ-ଠିକଣା ପାଇଁ ଅଣ୍ଟା ଭିଡିଛି ମୋଦି ସରକାର। ଖୁବ୍ ଶୀଘ୍ର ଆପଣଙ୍କ ଘର, ଅଫିସ ଓ ନିବାସ ଠିକଣା ଡିଜିଟାଲ ହେବାକୁ ଯାଉଛି। ଅର୍ଥାତ ଆଧାର ପରିଚୟ ପତ୍ର ଭଳି ରହିବା ଠିକଣାକୁ ମଧ୍ୟ ଡିଜିଟାଲ କରିବା ପାଇଁ ଚାହୁଁଛନ୍ତି ସରକାର।

ସଞ୍ଚାର ମନ୍ତ୍ରାଳୟ ଅଧିନରେ ଆସୁଥିବା ଡାକ ବିଭାଗକୁ ଏ ନେଇ ନିର୍ଦ୍ଦେଶ ଦିଆଯାଇଛି। ଡାକ ବିଭାଗ ଏଥି ପାଇଁ ଏକ ପାଇଲଟ ପ୍ରକଳ୍ପ ତିଆରି କରିବ। ଏହି ପ୍ରକଳ୍ପ ଅନୁସାରେ ତିନୋଟି ପିନ୍ କୋଡ ଥିବା ସ୍ଥାନର ଅସ୍ଥାବର ସମ୍ପତ୍ତି ପାଇଁ  ଛଅ ଅକ୍ଷର ବିଶିଷ୍ଟ ଏକ ଡିଜିଟାଲ ଠିକଣା ଦିଆଯିବ।

ଏଥିପାଇଁ ପ୍ରଥମେ ଇ-ଲୋକେସନ ପ୍ରସ୍ତୁତ କରାଯିବ। ତା’ପରେ ସମ୍ପତ୍ତି ସହିତ ସମସ୍ତ ସୂଚନାକୁ ଏକାଠି କରାଯିବ। ଏହିସବୁ ସୂଚନା ଭିତରେ ଆସୁଛି ଘରର ଟାଇଟଲ, ମାଲିକଙ୍କ ନାମ, ପ୍ରପର୍ଟି ଟ୍ୟାକ୍ସର ବିବରଣୀ, ବିଜୁଳି, ପାଣି ଓ ଗ୍ୟାସ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧି ସମ୍ପର୍କିତ ତଥ୍ୟ ଆଦି।
ଯଦି ପାଇଲଟ ପ୍ରକଳ୍ପରେ ସଫଳତା ମିଳିବ ଏହାକୁ ଜାତୀୟ ସ୍ତରରେ ଲାଗୁ କରାଯିବ।

ଇ-ଲୋକେସନ ପାଇଲଟ୍ ପ୍ରକଳ୍ପ ପାଇଁ ପ୍ରଥମେ ଦିଲ୍ଲୀ ଓ ନୋଏଡାର ଦୁଇଟି ପିନ୍ କୋଡକୁ ବଛାଯାଇଛି। ପରେ ଏହା ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ। ଡିଜିଟାଲ ଘର ପରିଚୟ ପ୍ରଦାନ ପାଇଁ ବର୍ତମାନର ପୋଷ୍ଟାଲ ଠିକଣାକୁ ହିଁ ବ୍ୟବହାର କରିବା ପାଇଁ ସ୍ଥିର କରାଯାଇଛି।

Comment