ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରଗଡ଼ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ଦେଇଛି ବୃନ୍ଦା ସାହୁଙ୍କ ଆତ୍ମହତ୍ୟା ସମ୍ପର୍କୀତ ରିପୋର୍ଟ। ହେଲେ ଋଣ ଚାପରେ ବୃନ୍ଦ ଜୀବନ ହାରି ନଥିବା ରିପୋର୍ଟରେ ଉଲ୍ଲେଖ ଥିବାରୁ ପୁଣି ତେଜିଛି ରାଜନୀତି

ବରଗଡ଼ ଜିଲ୍ଲା କଳାପାଣି ଗାଁର ଚାଷୀ ବୃନ୍ଦାବନ ସାହୁଙ୍କ ଆତ୍ମହତ୍ୟା ପ୍ରସଙ୍ଗ ଏବେ ଭିନ୍ନ ମୋଡ଼ ନେଇଛି। ଜିଲ୍ଲା ପ୍ରଶାସନ ଦେଇଥିବା ରିପୋର୍ଟରେ ଏମିତି କିଛି ତଥ୍ୟ ଉଲ୍ଲେଖ କରାଯାଇଛି ଯାହାକୁ ନେଇ ଏବେ ପୁଣି ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି। ଋଣ ବୋଝ ପାଇଁ ବୃନ୍ଦା ସାହୁ ଜୀବନ ହାରି ନଥାଇ ପାରନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ରିପୋର୍ଟରେ କୁହାଯାଇଛି, ବୃନ୍ଦାଙ୍କ ଜମିରେ ଚକଡ଼ା ପୋକ ଲାଗିଥିଲା। ଚାଷ ପାଇଁ ସେ ହାତ ଉଧାରି ଆଣିଥିଲେ। ୩ରୁ ୪ ଲକ୍ଷ ଟଙ୍କା ସେ ହାତ ଉଧାରି କରିଥିଲେ। ହେଲେ ସେ ଏଥିପାଇଁ ଆତ୍ମହତ୍ୟା କରି ନଥିବା ରିପୋର୍ଟରେ କୁହାଯାଇଛି। ବୃନ୍ଦାଙ୍କ ପରିବାର ଲୋକେ ହାତ ଉଧାରି ନେଇଥିବା ମହାଜନଙ୍କ ନାଁ କିମ୍ବା ଏ ସମ୍ପର୍କରେ ପ୍ରମାଣ ଦେଇପାରୁ ନାହାନ୍ତି। ଚକଡା ପୋକ ଦ୍ବାରା ବୃନ୍ଦାଙ୍କର ୬ ଏକର ୫୮ ଡେସିମିଲ୍‌ ଜମିରେ ଫସଲ ନଷ୍ଟ ହୋଇଛି। ହେଲେ କେଉଁ ପରିସ୍ଥିତିରେ ବୃନ୍ଦା ବିଷ ପିଇଲେ ସେନେଇ କେହି କିଛି କହିପାରୁ ନାହାନ୍ତି।

ଏହି ରିପୋର୍ଟକୁ ନେଇ ଉଭୟ କଂଗ୍ରେସ ଏବଂ ବିଜେପି ରାଜ୍ୟ ସରକାରଙ୍କୁ ଘେରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ସମବେଦନା ତ ଦେଲ ନାହିଁ କଟା ଘାରେ ଚୂନ ଦିଅନି।

କଂଗ୍ରେସ ବିଧାୟକ ନବ କିଶୋର ଦାସ କହିଛନ୍ତି, “ଯେତେ ଚାଷୀ ଆତ୍ମହତ୍ୟା କଲେଣି ସରକାର ତାହାକୁ ମାନୁ ନାହାନ୍ତି। ବୃନ୍ଦା ସାହୁଙ୍କ ଆତ୍ମହତ୍ୟାକୁ ମାନିବେ କିପରି? ଏ ପ୍ରସଙ୍ଗ ବିଧାନସଭାରେ ଉଠାଯିବ।“

ଏପଟେ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଧର୍ମେନ୍ଦ୍ରଙ୍କୁ ପାଲଟା ବାଣ ମାରିଛନ୍ତି। ରାଜନୈତିକ ଫାଇଦା ନେବା ପାଇଁ ଧର୍ମେନ୍ଦ୍ର ଏଭଳି କଥା କହୁଛନ୍ତି କହି ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛନ୍ତି।

ଫସଲରେ ଚକଡ଼ା ପୋକ ଲାଗିବାରୁ ବୃନ୍ଦା ପ୍ରଥମେ ଫସଲ ଜାଳିଦେଇଥିଲେ। ପରେ ଆତ୍ମହତ୍ୟା କରିଥିଲେ। ଏହାକୁ ନେଇ ରାଜନୀତି ତେଜିଥିଲା। ବୃନ୍ଦାଙ୍କ ପରିବାରକୁ ବିଭିନ୍ନ ଦଳର ରାଜନେତା ଭେଟିଥିଲେ। କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ମଧ୍ୟ ବରଗଡ଼ ଆସିଥିଲେ।

 

 

Comment