ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭିଡିଓ କନଫରେନ୍ସରେ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ
  • ବର୍ଷା ଛାଡ଼ିବା ମାତ୍ରେ କ୍ଷୟକ୍ଷତିର ରିପୋର୍ଟ ଦିଅ
  • ଶନି-ରବିବାର କର୍ମଚାରୀଙ୍କ ଛୁଟି ବାତିଲ୍‌
  • ରବିଚାଷ ପାଇଁ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ଲଗାଣ ବର୍ଷାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ଷା ଛାଡ଼ିବାମାତ୍ରେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ଦେଇଛନ୍ତି ନିର୍ଦ୍ଦେଶ। ଭିଡିଓ କନଫରେନ୍ସିଂ ଜରିଆରେ ଉପକୂଳବର୍ତ୍ତୀ ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଅଦିନିଆ ବର୍ଷା ଓ ଫସଲ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅଫିସରମାନଙ୍କ ଶନିବାର-ରବିବାର ଛୁଟି ବାତିଲ୍‌ କରି କ୍ଷୟକ୍ଷତି ଆକଳନ କରିବାକୁ କହିଛନ୍ତି।

ପୋକ ଓ ମରୁଡ଼ି କ୍ଷତିଗ୍ରସ୍ତ ଚାଷୀମାନଙ୍କ ପାଇଁ ଘୋଷଣା କରାଯାଇଥିବା ପ୍ୟାକେଜ୍‌କୁ ଠିକ୍ ଭାବରେ ଚାଷୀଙ୍କୁ ଦେବା ଲାଗି ମୁଖ୍ୟମନ୍ତ୍ରୀ କହିଛନ୍ତି। ଚାଷୀ କିପରି ଆଗୁଆ ରବିଚାଷ ଆରମ୍ଭ କରିପାରିବେ ସେଥିପାଇଁ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମଣ୍ଡିରେ ଧାନ ସଂଗ୍ରହ ସମୟରେ ଚାଷୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଏ ସେଥିପ୍ରତି ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଯୋଗାଣ ସଂକ୍ରାନ୍ତୀୟ ସବିଶେଷ ତଥ୍ୟ ନିୟମିତ ଭାବରେ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ନିକଟକୁ ପଠାଇବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣନ, କୃଷି ଉତ୍ପାଦନ କମିଶନରଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ସଚିବ ଓ ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ।

 

 

 

Comment