ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଢ଼େଇ ବର୍ଷର ତଦନ୍ତ ପରେ ସିବିଆଇ ସୁପ୍ରିମକୋର୍ଟରେ ଦାଖଲ କରିଛି ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାର ତଦନ୍ତ ରିପୋର୍ଟ।

  • ଇତିଶ୍ରୀଙ୍କୁ ନିଆଁ ଲଗାଇ ପୋଡ଼ି ଦିଆଯାଇଥିଲା
  • ରାଜ୍ୟ ସରକାର ଦେଇଥିଲେ କ୍ରାଇମବ୍ରାଞ୍ଚ ତଦନ୍ତ ଆଦେଶ
  • ୨୦୧୪ରେ ସୁପ୍ରିମକୋର୍ଟରେ ଦାଖଲ ହେଲା ପିଆଇଏଲ୍‌
  • ୨୦୧୫ରେ ଜାନୁୟାରୀରେ ସିବିଆଇ ନେଇଥିଲା ତଦନ୍ତ ଭାର

ସୁପ୍ରିମକୋର୍ଟରେ ଦାଖଲ ହେଲା ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାର ତଦନ୍ତ ରିପୋର୍ଟ। ସିବିଆଇ ଆଜି ସୁପ୍ରିମକୋର୍ଟରେ ଦାଖଲ କରିଛି ଚୂଡ଼ାନ୍ତ ରିପୋର୍ଟ। ବନ୍ଦ ଲଫାପାରେ ସିବିଆଇ ତାର ରିପୋର୍ଟକୁ ଦାଖଲ କରିଥିବା ବେଳେ ୨୦୧୮ ଫେବୃୟାରୀରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ସୁପ୍ରିମକୋର୍ଟ।

୪ ବର୍ଷ ତଳର ଘଟଣା

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଟିକିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହି ସ୍କୁଲରେ ଶିକ୍ଷୟିତ୍ରୀ ଭାବେ ଚାକିରି କରିଥିଲେ ଇତିଶ୍ରୀ ପ୍ରଧାନ। ଘରଠାରୁ ସ୍କୁଲ ବହୁ ଦୂର ହୋଇଥିବାରୁ ଇତିଶ୍ରୀ ଏହି ସ୍କୁଲରେ ହିଁ ରହୁଥିଲେ। କିନ୍ତୁ ୨୦୧୩ ଅକ୍ଟୋବର ୨୭ରେ ଘଟିଥିଲା ଅଭାବନୀୟ ଘଟଣା। କେତେକ ଦୁର୍ବୃତ୍ତ ଇତିଶ୍ରୀଙ୍କୁ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ଇତିଶ୍ରୀଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ରାୟଗଡ଼ା ଓ ପରେ ବିଶାଖାପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର  ୨୦୧୩ ନଭେମ୍ବର ୧ରେ ଇତିଶ୍ରୀଙ୍କ ମୃତ୍ୟୁ ଘଟିଥିଲା।

ଇତିଶ୍ରୀଙ୍କ ମୃତ୍ୟୁ ସମଗ୍ର ରାଜ୍ୟରେ ଖେଳାଇଥିଲା ଚାଞ୍ଚଲ୍ୟ। ଏହି ଘଟଣାରେ ଇତିଶ୍ରୀଙ୍କ ପରିବାରବର୍ଗ ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ଦଣ୍ଡସେନାଙ୍କୁ କରିଥିଲେ ସନ୍ଦେହ। ଏପରିକି ଦଣ୍ଡସେନାଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଏହି ସମ୍ବେଦନଶୀଳ ଘଟଣାରେ ଟାଳଟୂଳ ନୀତି ଅବଲମ୍ବନ କରିବାରୁ ରାଜ୍ୟ ସରକାର ୨୦୧୩ ନଭମ୍ବେର ୨ରେ ଦେଇଥିଲେ କ୍ରାଇମବ୍ରାଞ୍ଚ ତଦନ୍ତ  ନିର୍ଦ୍ଦେଶ।

ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନେତ୍ରାନନ୍ଦ ଦଣ୍ଡସେନା ଗିରଫ ହୋଇଥିଲେ। ଦଣ୍ଡସେନା ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ତଦନ୍ତରେ କାଳେ ବାଧା ଉପୁଜିବ ସେହି ଆଶଙ୍କାରେ ସମାଜସେବୀ ସୁଦ୍ଦୀପ୍ତ ଲେଙ୍କା ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ।

୨୦୧୪ରେ ସୁପ୍ରିମକୋର୍ଟରେ ଦାଖଲ ହେଲା ପିଆଇଏଲ୍‌

୨୦୧୪ ମାର୍ଚ୍ଚରେ ଏହି ମାମଲା ଯାଇଥିଲା ସୁପ୍ରିମକୋର୍ଟକୁ। ୭ ଦିନରେ ତଦନ୍ତ ଟିମ୍ ଗଠନ ସହ ୨ ମାସରେ ରିପୋର୍ଟ ଦେବାକୁ କହିଥିଲେ କୋର୍ଟ। ରାଜ୍ୟ ସରକାରଙ୍କୁ ପ୍ରଶାସନିକ ତଦନ୍ତ ଆଦେଶ ଦେଇଥିଲେ। ହେଲେ ଏହି ଘଟଣା ପଛର ରହସ୍ୟ କଣ ତାହା ଜଣା ନପଡ଼ିବାରୁ ୨୦୧୫ ଜାନୁୟାରୀ ୨୦ରେ ସିବିଆଇ ତଦନ୍ତ ଆଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ୨୦୧୬ ଏପ୍ରିଲ ୨୬ରେ ଦଣ୍ଡସେନାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

ସିବିଆଇ ଇତିଶ୍ରୀ ହତ୍ୟା ମାମଲାର ତଦନ୍ତ ଅଢ଼େଇ ବର୍ଷ ଧରି ତଦନ୍ତ କରିବା ପରେ ଆଜି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛି।

Comment