ଓଡ଼ିଶାଲାଇଭ୍‌ ବ୍ୟୁରୋ

୩ ଦିନ ଧରି ଲାଗି ରହିଛି ବର୍ଷା। ବର୍ଷା ଯୋଗୁଁ ଜମିରେ ସୃଷ୍ଟି ହୋଇଛି କୃତ୍ରିମ ଜଳାଶୟ। ୧୫ଟି ଜିଲ୍ଲାରେ ଉଜୁଡ଼ି ଯାଇଛି ଚାଷ। ଚାଷ କ୍ଷୟକ୍ଷତି ଆକଳନ କରିବାକୁ ସରକାରୀ କର୍ମଚାରୀଙ୍କୁ ରାଜସ୍ବ ମନ୍ତ୍ରୀ ଦେଇଛନ୍ତି ନିର୍ଦ୍ଦେଶ।

“ବର୍ଷା ଛାଡ଼ିଲେ କ୍ଷୟକ୍ଷତିର ଆକଳନ କରାଯିବ। ସରକାରୀ କର୍ମଚାରୀ ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରିବେ। ଏଥିପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି”, – ଏହା କହିଛନ୍ତି ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି।

ଲଘୁଚାପଜନିତ ବର୍ଷା ଯୋଗୁଁ ୧୫ଟି ଜିଲ୍ଲାରେ ଅବସ୍ଥା ଶୋଚନୀୟ ହୋଇଯାଇଛି। ଚାଷଜମିରେ ବର୍ଷାପାଣି ଜମି ରହିବାରୁ ପାଚିଲା ଧାନ ବୁଡ଼ି ରହିଛି। ଗତ ୩ ଦିନ ଧରି ବର୍ଷା ଲାଗି ରହିଛି। ଫଳରେ ଗଞ୍ଜାମରୁ ମୟୁରଭଞ୍ଜ ଏବଂ ବାଲେଶ୍ବରରୁ କଟକ ପର୍ଯ୍ୟନ୍ତ ଚାଷୀ ହତାଶ ହୋଇ ଯାଉଛନ୍ତି।

ଏ ସମ୍ପର୍କରେ ରାଜସ୍ବ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଯେଉଁ ପ୍ରଭାବିତ ଅଞ୍ଚଳରେ ସାଧାରଣ ବର୍ଷାଠାରୁ ଅଧିକ ରେକର୍ଡ ବର୍ଷା ହୋଇଥିବ ତାକୁ ଅତ୍ୟଧିକ ବର୍ଷା ପ୍ରଭାବିତ ଅଞ୍ଚଳ ଭାବେ ଧରାଯିବ। ସେହି ଅନୁସାରେ କ୍ଷତିପୂରଣ ଦିଆଯିବ।

ବର୍ଷା ଛାଡ଼ୁ ନଥିବାରୁ କେତେ ଜମିରେ ପାଣି ମାଡ଼ିଛି ତାହା ଆକଳନ ହୋଇ ପାରୁନି। ବର୍ଷା ଛାଡ଼ିବା ପରେ କର୍ମଚାରୀ ଗାଁ ଗାଁ ବୁଲି କ୍ଷୟକ୍ଷତି ଆକଳନ କରିବାକୁ ସରକାର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଗୁରୁବାର ସଚିବାଳୟରେ ସମୀକ୍ଷା କରିଥିଲେ। ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସଂ ମାଧ୍ୟମରେ ଆଲୋଚନା କରିଥିଲେ। ଶନିବାର ଓ ରବିବାର ଛୁଟି ବାତିଲ କରି କ୍ଷୟକ୍ଷତି ଆକଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷା ଛାଡ଼ିବାର ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

 

Comment