ଓଡ଼ିଶାଲାଇଭ୍‍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ପୂରା ଖୁସି। ଆନ୍ତର୍ଜାତିକ ରେଟିଂ ସଂସ୍ଥା ମୁଡିଜ୍ ଭାରତର ମାନ୍ୟତା ବଢାଇବା ପରେ ସରକାର ଏବେ ଆଉ ଏକ ବଡ଼ ଯୋଜନାରେ ହାତ ଦେଇଛନ୍ତି। ଭାରତରେ ବ୍ୟବସାୟ ଆରମ୍ଭ କରିବା ଆଗ ଅପେକ୍ଷା ସହଜ ବୋଲି ମୁଡିଜ୍ କହିବା ପରେ ସରକାର ଏହି ସ୍ୱୀକୃତିକୁ ଆଗକୁ ନେବା ପାଇଁ ଚାହୁଁଛନ୍ତି।

ମୋଦି ସରକାର ଯେଉଁ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି ତାହା ହେଉଛି ୧୦୦ କୋଟି + ୧୦୦ କୋଟି + ୧୦୦ କୋଟି। ଏହି ଟ୍ରିପଲ ୱାନର ଉଦ୍ଦେଶ୍ୟ ହେଉଛି ଆଗାମୀ ଦିନରେ ୧୦୦ କୋଟି ବ୍ୟାଙ୍କ ଆକାଉଣ୍ଟ, ୧୦୦ କୋଟି ଆଧାର ଲିଙ୍କ ଓ ୧୦୦ କୋଟି ମୋବାଇଲ ସଂଯୋଗକୁ ବାସ୍ତବ ରୂପ ଦିଆଯିବ।
ମୁଡିଜ୍ ନୋଟବନ୍ଦୀ, ଜିଏସଟି ଓ ଆଧାର ଲିଙ୍କିଂ ଆଦି ପଦକ୍ଷେପକୁ ଖୁବ୍ ପ୍ରଶଂସା କରିଛନ୍ତି। ଏହି କାରଣରୁ ସେ ଦିଗରେ ସରକାର ଉତ୍ସାହିତ ହୋଇ ପଡିଛନ୍ତି।

ନୂଆ ଯୋଜନା ଅନୁଯାୟୀ ଦେଶର ୧୦୦ କୋଟି ଲୋକଙ୍କ ମୋବାଇଲ ନମ୍ବର, ଆଧାର ଓ ବ୍ୟାଙ୍କ ଆକାଉଣ୍ଟକୁ ପରସ୍ପର ସହିତ ଲିଙ୍କ କରାଯିବ। ବିଗତ ଏକ ବର୍ଷ ମଧ୍ୟରେ ନୋଟବନ୍ଦୀ ବା ବିମୁଦ୍ରିକରଣ ପରେ ପ୍ରାୟ ୬ ଲକ୍ଷ କୋଟି ଟଙ୍କାର ବଡ଼ବଡ଼ ମୂଲ୍ୟର  ନୋଟ ପ୍ରସାରଣ ବାହାରକୁ ଆସିଯାଇଥିବା ହେତୁ ସରକାର ଚାହୁଁଛନ୍ତି ବ୍ୟାଙ୍କ କାରବାରକୁ ଅଧିକରୁ ଅଧିକ ଡିଜିଟାଇଜ୍ କରିବେ ଏବଂ ଡିଜିଟାଲ ଦେନନେଣକୁ ଉତ୍ସାହିତ କରିବେ।

ସରକାରୀ ସୂତ୍ର ଅନୁସାରେ ଏହି ୧+୧+୧ ଟାର୍ଗେଟ ଖୁବ୍ ଶୀଘ୍ର ପହଞ୍ଚି ହେବ। ଅବଶ୍ୟ ଏଥିପାଇଁ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ କରାଯାଇ ନାହିଁ। ଅଭିଜ୍ଞ ମହଲରେ ଆଲୋଚନା ଅନୁସାରେ ଦେଶର ଆର୍ଥିକ ଓ ଡିଜିଟାଲ କାରବାର ଦିଗରେ ଏହା ଏକ ବଡ଼ ପଦକ୍ଷେପ ହେବ।

ଏ ସମ୍ପର୍କରେ ଆଉ ଏକ ଭଲ ଖବର ହେଉଛି ଯେ ଆଧାର ଲିଙ୍କିଂ ଓ ‘ଭିମ୍’ ୟୁପିଆଇକୁ ବହୁତ ସଂଖ୍ୟାରେ ଲୋକ ଗ୍ରହଣ କରିଛନ୍ତି। ଡିଜିଟାଲ କାରବାରରେ ବ୍ୟାବହାରିକ ବା ଟ୍ରାଞ୍ଜେକ୍ସନ୍ ଖର୍ଚ୍ଚ କମ ହେଉଥିବା କାରଣରୁ ସରକାର ଏହାକୁ ବିଭିନ୍ନ ପ୍ରକାରେ ଆଗେଇ ନେବା ପାଇଁ ଅଣ୍ଟା ଭିଡ଼ିଛନ୍ତି।

Comment