ଓଡ଼ିଶାଲାଇଭ୍‍ ବ୍ୟୁରୋ

ଉତ୍କଳ ବିଶ୍ୱବିଦ୍ୟାଳୟର ମନସ୍ତତ୍ୱ ବିଭାଗ ଓ ୟୁନିସେଫ ଓଡ଼ିଶାର ମିଳିତ ସହଯୋଗରେ ଆୟୋଜିତ ହୋଇଛି ‘ଇଗ୍ନାଇଟିଙ୍ଗ ୟଙ୍ଗ ମାଇଣ୍ଡିସ୍’ ଶୀର୍ଷକ ଆଲୋଚନାଚକ୍ର। ଏହି ଆଲୋଚନାଚକ୍ରରେ ଶିଶୁର ଯତ୍ନ ଓ ଶିକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା। ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ  ପ୍ରଫୁଲ୍ଲ ସାମଲ ଏହି ଆଲୋଚନାଚକ୍ରକୁ ଉଦ୍ଘାଟନ କରିଥିଲେ।

ଶିଶୁଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ, ଶିକ୍ଷା ଆଦି ପ୍ରଦାନ କରିବା ପାଇଁ ଲୋକଙ୍କୁ ସଚେତନ କରିବା ହେଉଛି ଆଲୋଚନାଚକ୍ରର ମୁଖ୍ୟ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମରେ ୨୦୧୩ ମସିହାରେ ହୋଇଥିବା ଜାତୀୟ ସ୍ତରୀୟ ଇସିସିଇ ପଲିସିର ଉପାଦାନ ଓ ସୁଯୋଗ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ଏହି ଅବସରରେ ୟୁନିସେଫ ଓଡ଼ିଶାର ମୁଖ୍ୟ ୟୁମି ବେ କହିଛନ୍ତି, “ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା ଦରକାର। ଜନ୍ମରୁ ଛଅ ବର୍ଷ ମଧ୍ୟରେ ଶିଶୁର ଲୁକାଇତ ପ୍ରତିଭାକୁ ପ୍ରକାଶ କରିବା ଆମ ମାନଙ୍କର ବଡ଼ ଦାୟିତ୍ୱ। କେବଳ ପିଲାଙ୍କୁ ସ୍କୁଲ ଓ ସମାଜ ପାଇଁ ପ୍ରସ୍ତୁତ କରା ନଯାଇ କର୍ତ୍ତବ୍ୟ ବିଷୟରେ ମଧ୍ୟ ପିଲାମାନଙ୍କୁ ପ୍ରସ୍ତୁତ କରିବା ଦରକାର।”

ଏହି ଆଲୋଚନାଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏସ୍.ଏମ ପଟ୍ଟନାୟକ, ମନସ୍ତତ୍ୱ ବିଭାଗର ମୁଖ୍ୟ ପ୍ରଫେସର ଭାସ୍ୱତି ପଟ୍ଟନାୟକ ଓ ଏସ୍ସିପିସିଆରର ଅଧ୍ୟକ୍ଷ କସ୍ତୁରୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comment