ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କଟକ ଏସ୍‌ସିବିରେ କୁନ୍ଦୁଲି ପୀଡ଼ିତା
  • ମେଡିସିନ୍‌ ବିଭାଗ ଆଇସିୟୁରେ ଚାଲିଛି ଚିକିତ୍ସା
  • ଚିକିତ୍ସା କରୁଛନ୍ତି ୭ ଜଣିଆ ଡାକ୍ତରୀ ଟିମ୍‌
  • ଅଧିକ ଆଇରନ୍‌ ବଟିକା ଖାଇବା ଯୋଗୁ ଗୁରୁତର ପୀଡ଼ିତା

ଗୁରୁତର ହୋଇ ଯାଇଛନ୍ତି କୁନ୍ଦୁଲି ପୀଡିତା। ଅଧିକ ଚିକିତ୍ସା ନିମନ୍ତେ ପୀଡ଼ିତାଙ୍କୁ ଆଜି କଟକ ଏସ୍‌ସିବି ମେଡିକାଲ କଲେଜର ମେଡିସିନ୍ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଛି। ୭ ଜଣିଆ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଗଠନ କରାଯାଇ ପୀଡ଼ିତାଙ୍କ ଚିକିତ୍ସା କରାଯାଉଛି।

ମେଡିସିନ୍ ବିଭାଗ ମୁଖ୍ୟ ଡାକ୍ତର ପ୍ରଭାତ ପାଢ଼ୀଙ୍କ ନେତୃତ୍ବରେ ଗଠନ ହୋଇଛି ସ୍ବତନ୍ତ୍ର ଟିମ୍। ଏଡଇ ଟିମ୍‌ରେ ମେଡିସିନ୍, ନିଶ୍ଚେତକ ଏବଂ ହୃଦରୋଗ ବିଭାଗର ଡାକ୍ତରଙ୍କୁ ସାମିଲ କରାଯାଇଛି।

ଏସ୍‌ସିବି ମେଡିକାଲ କଲେଜ ଅଧୀକ୍ଷକ ଡାକ୍ତର ଶ୍ୟାମା କାନୁନଗୋ କହିଛନ୍ତି, “ପୀଡ଼ିତା ଅଧିକ ଆଇରନ୍ ବଟିକା ଖାଇ ଦେଇଛନ୍ତି। ସେ ୧୦ରୁ ଅଧିକ ଆଇରନ୍ ବଟିକା ଖାଇ ଦେଇଥିବାରୁ ତାଙ୍କ ସ୍ବାସ୍ଥ୍ୟ ଗୁରୁତର ହୋଇଯାଇଛି। ତାଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି।”

ଅକ୍ଟୋବର ୧୬ ତାରିଖରେ କୋରାପୁଟ ଜିଲ୍ଲା କୁନ୍ଦୁଲିରେ ଜନୈକା ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ୩ ଜଣ ଯବାନଙ୍କ ସଂପୃକ୍ତି ଥିବା ପୀଡ଼ିତାଙ୍କ ଭାଇ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କୁ କୋରାପୁଟ ମେଡିକାଲରେ ଚିକିତ୍ସା କରାଯାଉଥିଲା। ଘଟଣାର ତଦନ୍ତ ଓଡ଼ିଶା ପୋଲିସ କରୁଥିଲା। ହେଲେ ଅଭିଯୁକ୍ତଙ୍କ ପାଖରେ ତଦନ୍ତକାରୀ ଟିମ୍ ପହଞ୍ଚି ନପାରିବାରୁ ବିବାଦ ବଢ଼ିଥିଲା। ବିରୋଧୀ କଂଗ୍ରେସ ଏବଂ ବିଜେପି ଶାସକ ବିଜେଡିକୁ ଟାର୍ଗେଟ କରିଥିଲେ।

କୁନ୍ଦୁଲି ପୀଡ଼ିତାଙ୍କୁ କୌଣସି ଗଣଦୁଷ୍କର୍ମ କରାଯାଇ ନଥିବା ଏଚଆର୍‌ପିସି ଏଡିଜି କହିବା ପରେ ବିବାଦ ଅଧିକ ଦେଖାଦେଇଥିଲା। ପରେ ମୁଖ୍ୟମନ୍ତ୍ରୀ ଘଟଣାର ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here