ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୯ ବର୍ଷ ପରେ ବଦଳିବାକୁ ଯାଉଛି କଂଗ୍ରେସ ଇତିହାସ। ସୋନିଆ ଗାନ୍ଧିଙ୍କ  ପରେ ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ଗାଦିରେ ବସିବେ। ଏଥିପାଇଁ କଂଗ୍ରେସ ଶିବିରରେ ଆରମ୍ଭ ହୋଇଯାଇଛି କସରତ।

ରାହୁଲ ଗାନ୍ଧି ହୋଇ ପାରନ୍ତି କଂଗ୍ରେସ ଅଧ୍ୟକ୍ଷ। ଏନେଇ ଆଜି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଏକ ପ୍ରକାର ନିଷ୍ପତ୍ତି ହୋଇଛି। ଯଦିଓ କଂଗ୍ରେସର ଏହି ସର୍ବୋଚ୍ଚ ପଦବୀ ପାଇଁ ସାଙ୍ଗଠନିକ ନିର୍ବାଚନ ହେବ, ହେଲେ ରାହୁଲଙ୍କ ବିପକ୍ଷରେ କେହି ପ୍ରାର୍ଥିପତ୍ର ଦାଖଲ କରିବାର ସମ୍ଭାବନା ନାହିଁ। ଏଣୁ ନାମାଙ୍କନ ଦାଖଲର ଶେଷ ତାରିଖ ଡିସେମ୍ବର ୪ରେ ରାହୁଲ ଗାନ୍ଧିଙ୍କୁ ସଭାପତି ଭାବେ ଘୋଷଣା କରାଯିବ।

ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଆଜି କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ବସିଥିଲା। ପ୍ରାୟ ୧ ଘଣ୍ଟା ଧରି କଂଗ୍ରେସ ବରିଷ୍ଠ ନେତାମାନେ ସଭାପତି ପଦକୁ ନେଇ ମନ୍ଥନ କରିଥିଲେ। ସାଙ୍ଗଠନିକ ନିର୍ବାଚନ କିପରି ହେବ ତାକୁ ନେଇ ଆଲୋଚନା କରିଥିଲେ।

 

ଡିସେମ୍ବର ୧ରେ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ୪ ଡିସେମ୍ବର ସୁଦ୍ଧା ଆଶାୟୀ ପୟାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରି ପାରିବେ। ୫ ଡିସେମ୍ବରରେ ନାମାଙ୍କନପତ୍ର ଯାଞ୍ଚ କରାଯିବା ସହ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ ଡିସେମ୍ବର ୧୧ ତାରିଖ ରହିଛି। ୧୬ ତାରିଖରେ ସଭାପତି ପଦ ପାଇଁ ଭୋଟ ହେବ ଏବଂ ୧୯ରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ।

ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ କହିବା ଅନୁଯାୟୀ, ଗଣତାନ୍ତ୍ରିକ ପଦ୍ଧତିରେ କଂଗ୍ରେସ ବିଶ୍ବାସ କରୁଛି। ଏଣୁ ଦଳର ସାଙ୍ଗଠନିକ ନିର୍ବାଚନ ହେବ। ହେଲେ ରାହୁଲ ଗାନ୍ଧି କିଛି ବର୍ଷ ହେଲା ଦଳର ଦାୟିତ୍ବ ବୁଝୁଛନ୍ତି। ଏଣୁ ଆଗାମୀ ଦିନରେ ହେବାକୁ ଥିବା ସାଙ୍ଗଠନିକ ନିର୍ବାଚନରେ ରାହୁଲଙ୍କ ବିପକ୍ଷରେ ଆଉ କୌଣସି ନେତା ନାମାଙ୍କନପତ୍ର ଦାଖଲ କରିବା ସମ୍ଭାବନା ନାହିଁ। ଫଳରେ ନାମାଙ୍କନ ଦାଖଲର ଶେଷ ତାରିଖ ଡିସେମ୍ବର ୪ ସନ୍ଧ୍ୟାରେ ରାହୁଲଙ୍କୁ କଂଗ୍ରେସର ସଭାପତି ଭାବେ ଘୋଷଣା କରାଯିବ।

ଯଦିବା କୌଣସି ପ୍ରାର୍ଥୀ ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରନ୍ତି ତାହାଲେ ସେ ୧୧ ତାରିଖରେ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିନେବେ।

ସୋନିଆ ଗାନ୍ଧି କିଛି ବର୍ଷ ହେଲା ଅସୁସ୍ଥ ରହୁଛନ୍ତି। ସେ ଏକାଧିକ ବାର ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଫଳରେ ସୋନିଆ ସକ୍ରିୟ ରାଜନୀତିରୁ ଦୂରେଇ ରହୁଛନ୍ତି। ସୋନିଆଙ୍କ ଅନୁପସ୍ଥିତିରେ ରାହୁଲ ଦଳର ହାଲଚାଲ ବୁଝୁଛନ୍ତି। ହିମାଚଳ ପ୍ରଦେଶ ନିର୍ବାଚନଠାରୁ ଗୁଜୁରାଟ ଭୋଟ ପର୍ଯ୍ୟନ୍ତ ସବୁଠି ରାହୁଲ ହିଁ ଆଗରେ ରହିଛନ୍ତି। ଗୁଜୁରାଟ ବିଧାନସଭା ଭୋଟ ପାଇଁ ରାହୁଲ କଂଗ୍ରେସର ପ୍ରଚାର ମଙ୍ଗ ଧରିଛନ୍ତି। ଫଳରେ ରାହୁଲ ହିଁ ସୋନିଆଙ୍କ ପରେ କଂଗ୍ରେସ ଅଧ୍ୟକ୍ଷ ହେବେ ବୋଲି ସ୍ପଷ୍ଟ ଜଣାପଡ଼ୁଛି। ୧୯୯୮ରୁ ସୋନିଆ କଂଗ୍ରେସ ଅଧ୍ୟକ୍ଷ ରହି ଆସିଛନ୍ତି।

ଏହା ପୂର୍ବରୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାହୁଲଙ୍କୁ ସଭାପତି କରାଯାଉ ବୋଲି ପ୍ରସ୍ତାବ ଦିଆଯାଇଛି। ରାହୁଲ ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ କଂଗ୍ରେସର ନୂଆ କାର୍ଯ୍ୟକାରୀ କମିଟି ଗଠନ କରାଯିବ।

 

 

Comment