ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରାୟ ମାସେ ହେଲା ‘ନାରାୟଣ ସାହୁ’ଙ୍କୁ ନେଇ ବିଜେପିରେ ଚାଲିଛି ପାଲା। ବିଜେଡିର ବିଦ୍ରୋହୀ ନେତା ଅଶୋକ ପାଣିଗ୍ରାହୀ ଯେବେଠୁ ବିଜେପିରେ ସାମିଲ ହେଲେଣି ସେବେଠୁ ନାରାୟଣ ପଦ୍ମ ପୋଖରୀ ଛାଡ଼ିବା ପାଇଁ ମନ ବଳାଇଛନ୍ତି।

୨୦ ବର୍ଷ ହେଲା ବିଜେପି ରାଜନୀତି ସହ ଜଡ଼ିତ ହୋଇ ରହିଥିଲେ ନାରାୟଣ ସାହୁ। ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳ ପ୍ରତି ଆନୁଗତ୍ୟ ଦେଖାଇ ଆସିଥିଲେ ନାରାୟଣ। ହେଲେ ବିଜେପୁର ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ ନାରାୟଣ ପଦ୍ମ ପୋଖରୀ ଛାଡ଼ି ଦେଇଛନ୍ତି। ଆସନ୍ତା ୩ ତାରିଖରେ ସେ ବିଜେଡିରେ ଯୋଗଦେବେ। ତେବେ ଜଣେ ୨୦ ବର୍ଷର କର୍ମୀ ବିଜେପୁର ଯୁଦ୍ଧ ପୂର୍ବରୁ ଦଳ ଛାଡ଼ିବା ଘଟଣା ବିଜେପି ଫଶଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ବଜେପୁର ଉପ-ନିର୍ବାଚନ ବିଗୁଲ୍‌ ବାଜିବା ପୂର୍ବରୁ ବିଜେଡି ପ୍ରଥମେ ଚଳାଇଥିଲା ରାଜନୀତିକ ଗୋଟି। କଂଗ୍ରେସରୁ ସୁବଳ ସାହୁଙ୍କ ପରିବାରକୁ ଆଣି ବିଜେଡିରେ ମିଶାଇଥିଲେ ନବୀନ ପଟ୍ଟନାୟକ। ଖାଲି ସେତିକି ନୁହେଁ, ସୁବଳଙ୍କ ସ୍ତ୍ରୀ ରିତା ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରି ବିଜେପି-କଂଗ୍ରେସକୁ ଚକ୍‌ମା ଦେଇଥିଲେ। ଆଉ ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ ବିଜେପୁର ନେତା ଅଶୋକ ପାଣିଗ୍ରାହୀ।

ରିତା ସାହୁଙ୍କ ପ୍ରାର୍ଥିତ୍ବକୁ ସମାଲୋଚନା କରିଥିଲେ ଅଶୋକ। ବିଜେଡିର ଏହି ନୀତିକୁ କଟୁ ଭାଷାରେ ସମାଲୋଚନା କରି ଅଶୋକ ବିଜେପି ଶିବିରକୁ ଲମ୍ଫ ମାରିଥିଲେ। ଚର୍ଚ୍ଚା ହେଲା ବିଜେଡିର ରିତାଙ୍କୁ ଟକ୍କର ଦେବା ଲାଗି ବିଜେପି ବିଜେଡିର ଅଶୋକ ପାଣିଗ୍ରାହୀଙ୍କୁ ଆପଣାଇଛି। ଆଉ ଏହାକୁ ସହଜରେ ଗ୍ରହଣ କରି ପାରିଲେନି ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ। ଖୋଲାଖୋଲି ନିଜ ମନରେ ଥିବା ଅସନ୍ତୋଷ ଜାହିର କଲେ।

ନାରାୟଣ କହିଥିଲେ ଯେ, ଅଶୋକ ମିଶିଲେ ଦଳରେ ଅସନ୍ତୋଷ ବଢ଼ିବ। କାରଣ ଯାହାଙ୍କ ବିରୋଧରେ ଆମେ ଲଢ଼ି ଆସୁଛୁ ତାଙ୍କୁ କେମିତି ସମର୍ଥନ କରିବୁ ବୋଲି ନାରାୟଣ ପ୍ରଶ୍ନ କରିଥିଲେ। ଗତ ପଞ୍ଚାୟତ ନିର୍ବାଚନରେ ବରଗଡ଼ ଜିଲ୍ଲାରେ ବିାଜେପିକୁ ଯାହା ବି ସଫଳତା ମିଳିଛି ତାହା କେବଳ କର୍ମୀଙ୍କ ପାଇଁ। ଏଣୁ ବିନା ଅଶୋକରେ ବିଜେପି ବିଜେପୁର ଜିତିପାରିବ।

ନାରାୟଣଙ୍କ ଏହି ଅସନ୍ତୋଷକୁ ଗୁରୁତ୍ବ ଦେଲେନି ବିଜେପି ନେତା। ଶେଷରେ ଅଶୋକଙ୍କୁ ଦଳରେ ମିଶାଇବା ପାଇଁ ବିଜେପି ବରପାଲ୍ଲିରେ ଅକ୍ଯୋବର ୨ରେ ଆୟୋଜନ କରିଥିଲା ସଭା। ମିଶ୍ରଣ ପର୍ବ ନାଁରେ ସଭା କରି ବିଜେପି ଶକ୍ତି ପ୍ରଦର୍ଶନ କରିଥିଲା। ହେଲେ ଏହି ସମାବେଶରେ ଯୋଗ ଦେଇ ନଥିଲେ ନାରାୟଣ। ନାରାୟଣଙ୍କୁ ଅନୁପସ୍ଥିତିକୁ ନେଇ ଗଣମାଧ୍ୟମରେ ସେତେବେଳେ ଚର୍ଚ୍ଚା ହୋଇଥିଲା। ହେଲେ ଦଳର ନେତା ଅସନ୍ତୋଷ ନାହିଁ କହି ଏହି ପ୍ରସଙ୍ଗରେ ପୂର୍ଣ୍ଣଛେଦ ପକାଇଥିଲେ।

ବିଜେପିର ବରପାଲ୍ଲି ସଭାର ଠିକ୍‌ ଦୁଇ ଦିନ ପରେ ପୁଣି ଦଳରେ ଦେଖା ଦେଇଥିଲା ଫାଟ। ନାରାୟଣ ସାହୁ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଫୋନ୍‌ କରି ତାଙ୍କ ସଭାପତି ପଦରୁ ଅବ୍ୟାହତି ଦେବା ପାଇଁ କହିଥିଲେ। ଏହା ବିଜେପି ଶିବିରରେ ସୃଷ୍ଟି କରିଥିଲା କମ୍ପନ। ନାରାୟଣଙ୍କ ଭଳି ଜଣେ ବରିଷ୍ଠ କର୍ମୀ ସଭାପତି ପଦ ଛାଡ଼ିବା ପାଇଁ ସଙ୍କେତ ଦେବା ଦଳରେ ଆଲୋଡ଼ନ ସୃଷ୍ଟି କରିଥିଲା।

ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, “ବିଜେପି କୌଣସି ବ୍ୟକ୍ତି ଆଧାରରେ କୌଣସି କଥା କୁହେ ନାହିଁ। ନିଜ ସଙ୍ଗଠନର ନୀତି ଆଦର୍ଶର କଥା କହିଥାଏ। ବରଗଡ଼ରେ ବିଜେପି ବିଜୟୀ ହେବ। ସେନେଇ ପ୍ରସ୍ତୁତି ଚାଲିଛି।

ଶେଷରେ ନାରାୟଣଙ୍କୁ ବୁଝାଇବା ପାଇଁ ଦଳରେ ଗଠନ ହୋଇଥିଲା ଟିମ୍‌। ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ବାସଭବନରେ ବସିଲା ବୈଠକ। ବରିଷ୍ଠ ନେତା ନାରାୟଣଙ୍କ ମାନ ଭଞ୍ଜନ କଲେ। ପରେ ନାରାୟଣ ଗଣମାଧ୍ୟମରେ କହିଲେ ବିଜେପୁରରେ ବିଜେପି ବିଜୟ ନିଶ୍ଚିତ। ମୁଁ ଦଳରେ ଥିଲି ଏବଂ ଆଗକୁ ମଧ୍ୟ ରହିବି।

ଏହି ମନ୍ତବ୍ୟ ଦେବାର ଠିକ୍‌ ମାସକ ମଧ୍ୟରେ ନାରାୟଣ ପଟ୍ଟ ପରିବର୍ତ୍ତନ କରିଛନ୍ତି। ବିଜେପି ଶିବିର ଛାଡ଼ି ନାରାୟଣ ବିଜେଡି ଶିବିରକୁ ଲମ୍ଫ ମାରିଛନ୍ତି।

ଗୋଟିଏ ପଟେ ବିଜେପି ଅଧିକରୁ ଅଧିକ କର୍ମୀଙ୍କୁ ଦଳରେ ସାମିଲ୍ କରି ସୁଦୃଢ଼ ହେଉଥିବା କହୁଛି। ଅନ୍ୟପଟେ ନାରାୟଣ ସାହୁଙ୍କ ଭଳି ବରିଷ୍ଠ ନେତା ଦଳ ଛାଡ଼ିବା ପ୍ରସଙ୍ଗ ବିଜେପି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।

 

 

 

LEAVE A REPLY

Please enter your comment!
Please enter your name here