ଓଡ଼ିଶାଲାଇଭ୍ ବ୍ୟୁରୋ

ପେନ୍‌ସନ୍‌ ଉପଭୋକ୍ତାଙ୍କୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯୋଗାଇବା ଉଦ୍ଦେଶ୍ୟରେ ଶୁଭାରମ୍ଭ ହୋଇଛି ‘ଅର୍ପଣ’ ଆପ୍‌। ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ଏହାର ଲୋକାର୍ପଣ।

ପେନ୍‌ସନ୍‌ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ପେନ୍‌ସନ୍‌ ସଂକ୍ରାନ୍ତୀୟ  ଅଧିକ ସୁବିଧା ଏବଂ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯୋଗାଇଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଲୋକାର୍ପଣ କରିଛନ୍ତି ନୂଆ ପୋର୍ଟାଲ୍‌ ‘ଅର୍ପଣ’। ଏହି ପୋର୍ଟଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟାରେ ସଚିବାଳୟରେ ଭିଡିଓ କନଫରେନ୍ସିଂ ଜରିଆରେ ଲୋକାର୍ପଣ କରିଛନ୍ତି।

ଏହି ଆପ୍‌ ମାଧ୍ୟମରେ ରାଜ୍ୟର ପେନସନ ଉପଭୋକ୍ତା ବହୁ ତଥ୍ୟ ପାଇ ପାରିବେ। ଏହାସହ ପେନସନ ରାଶିର ପୁନଃ ନିର୍ଦ୍ଧାରିଣ ପାଇଁ ଏହି ପୋର୍ଟାଲ କାର୍ଯ୍ୟ କରିବ। ଯେ କୌଣସି ତଥ୍ୟ ପାଇଁ ଅର୍ପଣ ପୋର୍ଟାଲରେ ଜଣେ ପେନସନଭୋଗୀ ନିଜର ଆଧାର ନମ୍ବର ସହ ଅନ୍ ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଯେଉଁମାନଙ୍କର ଆଧାର ନମ୍ବର ନାହିଁ ସେମାନେ ମଧ୍ୟ ଆବେଦନ କରିପାରିବେ। ସେମାନେ ନିଜ ଆବେଦନପତ୍ରର ନକଲ ପେନସନ ବିତରଣ ଅଧିକାରୀଙ୍କ ପାଖରେ ଦାଖଲ କରିବାକୁ ପଡ଼ିବ।

ସେହିପରି ଅବସର ଗ୍ରହଣ କରିବାକୁ ଯାଉଥିବା କର୍ମଚାରୀମାନଙ୍କ ପାଇଁ ଅନ୍ ଲାଇନ୍ ପେନସନ ଆପ୍ଲିକେସନର ବ୍ୟବସ୍ଥା କରାଯାଇଛି। ଏହି ଆପ୍‌ ପାଇଁ କୌଣସି ଆଇଡି ଓ ପାସଓ୍ବାର୍ଡ ଦେବାକୁ ପଡ଼ିବ ନାହିଁ।

ଲୋକାର୍ପଣ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ଏହି ଆପ୍‌ରେ ଥ୍ରୀ-ଟି ବ୍ୟବସ୍ଥା ରହିଛି। ଏହାସହ ପେନସନ ଉପଭୋକ୍ତା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଏହି ନୂଆ ଆପ୍‌ ପାଇଁ ମୁଁ ଅର୍ଥ ବିଭାଗକୁ ଧନ୍ୟବାଦ ଦେଉଛି।ଏହି ପୋର୍ଟଲ ଜରିଆରେ ଅନେକ ହିତାଧିକାରୀ ଉପକୃତ ହେବେ।”

ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି, “ଓଡ଼ିଶାର ସରକାରୀ କର୍ମଚାରୀମାନଙ୍କ ପାଇଁ ଆଜି ହେଉଛି ଐତିହାସିକ ଦିନ। ପେନସନ ହିତାଧିକାରୀମାନଙ୍କ ଅସୁବିଧା ଦୂର କରାଯାଇଛି। ଟେକ୍ନୋଲୋଜି ମାଧ୍ୟମରେ ହିତାଧିକାରୀ ପେନସନ୍ ସମ୍ପର୍କୀତ ସମସ୍ତ ତଥ୍ୟ ପାଇ ପାରିବେ।”

 

Comment