ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାଷୀ ଆତ୍ମହତ୍ୟାରେ ଲାଗିପାରୁନି ରୋକ୍। ସରକାରୀ ପ୍ୟାକେଜ୍ ଚାଷୀଙ୍କୁ ଦେଇ ପାରିନି ଆଶ୍ବସ୍ତି। ଫଳରେ ଚକଡ଼ା ଚିନ୍ତାରେ ଜଣକ ପରେ ଜଣେ ଚାଷୀ ଜୀବନ ହାରୁଛନ୍ତି।

ଚାଷୀଙ୍କ ପାଇଁ ସରକାର ଘୋଷଣା କରିଛନ୍ତି ସ୍ବତନ୍ତ୍ର ପ୍ୟାକେଜ। ହେଲେ ଏହି ପ୍ୟାକେଜ ଉପରେ ଭରସା କରିପାରୁ ନାହାନ୍ତି ଚାଷୀ। ଫଳରେ ଜଣକ ପରେ ଜଣେ ଚାଷୀ ଜୀବନ ହାରୁଛନ୍ତି। ଚକଡ଼ା ପୋକ ଏବଂ ମରୁଡ଼ି ଚିନ୍ତାରେ ଚାଷୀ ଆତ୍ମହତ୍ୟା କରୁଛନ୍ତି। ଗତ ୨୪ ଘଣ୍ଟାରେ ୩ ଜଣ ଚାଷୀ ପ୍ରାଣ ହରାଇବା ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ପ୍ୟାକେଜ ଉପରେ ପ୍ରଶ୍ନବାଚୀ ଉଠାଇଛି।

୨୪ ଘଣ୍ଟାରେ ୩ ଜଣ ଚାଷୀ ଜୀବନ ହାରିଛନ୍ତି। ସୁନ୍ଦରଗଡ଼, ବରଗଡ଼ ଓ ସମ୍ବଲପୁରରେ ଋଣ ଚିନ୍ତା ଓ ଚକଡ଼ା ପୋକ ପ୍ରଭାବରେ ଫସଲ ନଷ୍ଟ କାରଣରୁ ଚାଷୀ ଆତ୍ମହତ୍ୟା କରିଥିବା କୁହାଯାଉଛି। ଏମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା କୁଅଁରକେଲାର ଚାଷୀ ମନୋଜ ସିଂ, ବରଗଡ଼ ଜିଲ୍ଲା ବେହେରା ଗାଁର ପ୍ରଦୀପ ଖମାରୀ। ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକର ଚାଷୀ କାହ୍ନୁ ମୁଣ୍ଡା।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, “କ୍ଷୟକ୍ଷତି ପ୍ରଦାନ ନେଇ ଚାଷୀଙ୍କୁ ଭରସା ଦେଇ ପାରି ନାହାନ୍ତି ସରକାର। ସରକାର ଚାଷୀଙ୍କ ନିକଟତର ହୋଇପାରୁ ନଥିବାରୁ ଚାଷୀ ଆତ୍ମହତ୍ୟା କରୁଛନ୍ତି।

ସୁନ୍ଦରଗଡ଼ର ଚାଷୀ ମନୋଜ ୫ ଏକର ଜମିରେ କରିଥିଲେ ଧାନ ଚାଷ। ଚଳିତବର୍ଷ ଭଲ ଧାନ ବି ହୋଇଥିଲା। ହେଲେ ଛକଡ଼ା ପୋକ ଦେଢ଼ ଏକର ଜମିରେ ଚରି ଯିବାରୁ ଫସଲ ନଷ୍ଟ ହୋଇଗଲା। ଏହି ଦୁଃଖ ସହି ନପାରି ପ୍ରଦୀପ ପିଇଥିଲେ କୀଟନାଶକ। ସେହିପରି ଆଉ ଏକ ଦୁଃଖଦ ଘଟଣା ଘଟିଛି ବରଗଡ଼ର ଚାଷୀ ପ୍ରଦୀପ ଖମାରୀଙ୍କ କ୍ଷେତ୍ରରେ। କରଜ କରି ଦେଢ଼ ଏକର ଜମିରେ ଧାନ ଚାଷ କରିଥିଲେ ପ୍ରଦୀପ। ହେଲେ ଚକଡ଼ା ପୋକ ସବୁ ନଷ୍ଟ କରିଦେଲା। ଏଥିରେ ମାନସିକ ଭାରସାମ୍ୟ ହରାଇ ବସିଲେ ପ୍ରଦୀପ। ଫଳରେ କୀଟନାଶକ ପିଇ ଜୀବନ ହାରିଲେ ଏହି ଯୁବ ଚାଷୀ।

ସମ୍ବଲପୁରର ଚାଷୀ କାହ୍ନୁ ମୁଣ୍ଡାଙ୍କ କ୍ଷେତ୍ରରେ ଘଟିଛି ସମାନ ଘଟଣା। ଧାର ଉଧାର କରି ଚାଷ କରିଥିବା କାହ୍ନୁଙ୍କ ଜମିରେ ଚକଡ଼ା ପୋକ ଲାଗି ଯାଇଥିଲା। ଫଳରେ କାହ୍ନୁ ମୁଣ୍ଡରେ ହାତ ଦେଇ ବସିଥିଲେ। ଶେଷରେ ଉପାୟଶୂନ୍ୟ ହୋଇ ଜୀବନ ହାରିଲେ।

ବିଜେଡି ମୁଖପାତ୍ର ଅମର ପ୍ରସାଦ ଶତପଥୀ କହିଛନ୍ତି, “ମରୁଡ଼ି ଓ ଚକଡ଼ା ପୋକ ଜନିତ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିପୂରଣ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଏହାକୁ ନେଇ ରାଜନୀତି କରା ନଯାଉ।”

Comment