ଓଡ଼ିଶାଲାଇଭ୍‌ ବ୍ୟୁରୋ

କିସ୍‌ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କୁ ତୀବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ଶାନ୍ତିର ମନ୍ତ୍ର ଦେଇଛନ୍ତି।  ଅତୀତକୁ ଭୁଲି ମନରେ ଆତ୍ମବିଶ୍ବାସ ରଖି ସଫଳତା ହାସଲ କରିବାକୁ ପରାମର୍ଶ ଦେଇଛନ୍ତି।

“ତୁମେମାନେ ହେଉଛ ଏକବିଂଶ ଶତାବ୍ଦୀର ବଂଶଧର। ଆଗକୁ ବଢ଼ିବା ପାଇଁ ତୁମମାନଙ୍କ ହାତରେ ପ୍ରଚୁର ସୁଯୋଗ ରହିଛି। ଏହାସହ ସମାଜ ପାଇଁ ତୁମମାନଙ୍କର ମଧ୍ୟ କିଛି ଦାୟିତ୍ବ ରହିଛି। ଶାନ୍ତିରେ ବଞ୍ଚିବା ସହ ସଫଳତା ହାସଲ କରିବା ପାଇଁ ମନରେ ଆତ୍ମବିଶ୍ବାସ ରଖ। ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ”, – କିସ୍ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଆଜି ଏହି ମନ୍ତ୍ର ଦେଇଛନ୍ତି ତୀବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା।

୧୦ମ କିସ୍‌ ହ୍ୟୁମାନିଟାରିଆନ୍‌ ପୁରସ୍କାର ଗ୍ରହଣ କରିବା ଅବସରରେ ଧର୍ମଗୁରୁ ଏହି ସମ୍ମାନ ପାଇ ଖୁସି ପ୍ରକାଶ କରିଥିଲେ। ୨୭ ହଜାର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦେଉଥିବାରୁ କିଟ୍‌ ଏବଂ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ପ୍ରଶଂସା କରିଥିଲେ।

ନୈତିକତାର ଅଧୋପତନ

ଏହି ଅବସରରେ ତୀବ୍ଦତୀୟ ଧର୍ମଗୁରୁ ଆହୁରି କହିଥିଲେ ଯେ, ଆଧୁନିକ ପୃଥିବୀରେ ନୈତିକତାର ଅଧୋଃପତନ ଘଟିଛି। ଲୋକଙ୍କ ଭାବାବେଗ ଏବଂ ସମ୍ବେଦନଶୀଳତାକୁ କିପରି ଉଠାଯିବ ସେ ସମ୍ପର୍କରେ ଜ୍ଞାନର ଅଭାବ ରହିଛି। ଏଣୁ ଆଜିକାର ଯୁବପିଢ଼ିମାନେ ପ୍ରଚୀନ ଭାରତର କିଛି ଜ୍ଞାନ ଅହରଣ କରିବା ଦରକାର। ସମାଜରେ କିପରି ଶାନ୍ତି ପ୍ରତିଷ୍ଠା ହୋଇପାରିବ ସେ ଦିଗରେ ଉଦ୍ୟମ କରିବା ଆବଶ୍ୟକ। ସମାଜରୁ ଦୁର୍ନୀତି ମୂଳୋତ୍ପାଟନ କରିବା ପାଇଁ ଏହା ହେଉଛି ଶ୍ରେଷ୍ଠ ମାଧ୍ୟମ।

ଶାନ୍ତି ବାହାରୁ ଆସେନି

ଶାନ୍ତି ପାଇଁ ନୋବେଲ୍ ପୁରସ୍କାର ପାଇଥିବା ତୀବ୍ଦତୀୟ ଧର୍ମଗୁରୁ ଆଜି କିସ୍‌ କ୍ୟାମ୍ପସରେ ଶାନ୍ତିର କଥା କହିଛନ୍ତି। ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି, ଅତୀତରେ ଚାରିଆଡେ ହିଂସା ରାଜୁତି କରୁଥିଲା। ଲୋକେ ହିଂସା ପଥକୁ ଆପଣାଇ ନେଉଥିଲେ। ଫଳରେ ଦୁଇ ଦୁଇଟି ବିଶ୍ବଯୁଦ୍ଧର କରାଳ କାହାଣୀ ବିଶ୍ବ ଇତିହାସରେ ଲିପିବଦ୍ଧ  ହୋଇ ରହିଛି। ଏହି ବିଶ୍ବଯୁଦ୍ଧରେ ଆଟମ୍‌ ବମ୍‌ ବ୍ୟବହାର କରାଯାଇ ବିଶ୍ବକୁ ବିନାଶ ପଥରେ ନିଆଯାଉଥିଲା। କିନ୍ତୁ ଏବେ ସମୟ ବଦଳିଛି। ଏକବିଂଶ ଶତାବଦ୍ଦୀ ଶାନ୍ତି ଏବଂ ପ୍ରେମର ଶତାବ୍ଦୀ ହେଉ ବୋଲି ଧର୍ମଗୁରୁ ଆହ୍ବାନ ଦେଇଛନ୍ତି।

କ୍ରୋଧ ପରିହାର କର

କ୍ରୋଧ ବା ରାଗ ପରିହାର କରିବାକୁ ଧର୍ମଗୁରୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ରାମ ଏବଂ ହିଂସା ସବୁବେଳେ ଝଡ଼ ସୃଷ୍ଟି କରିଥାଏ। ମନକୁ ଅଶାନ୍ତ ରଖେ ଏବଂ ସମାଜରେ ଭୟର ବାତାବରଣ ସୃଷ୍ଟି କରିଥାଏ। ଏଣୁ ଏହାଠାରୁ ଦୂରେଇ ରହିବାକୁ ସେ କହିଥିଲେ। ମନରେ ଶାନ୍ତି ଆସିଲେ ବିଶ୍ବରେ ଶାନ୍ତି ଆସିଥାଏ।

ନୂଆ ପୃଥିବୀ ଗଠନ କରିବାକୁ ପରାମର୍ଶ

ଅତୀତ ସବୁବେଳେ ଅତୀତ। ଏହାକୁ ମନେ ପକାଇ କିଛି ଲାଭ ନାହିଁ। ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଗକୁ ବଢ଼। ଏକ ନୂତନ ବିଶ୍ବ ଗଠନ ପାଇଁ ଏକବିଂଶ ଶତାବ୍ଦୀର ଛାତ୍ରଛାତ୍ରୀଙ୍କ ହାତରେ ସୁଯୋଗ ରହିଛି। ସୁଯୋଗକୁ ବିନିଯୋଗ କରି ଏବଂ ଦାୟିତ୍ବର ସବୁ କାର୍ଯ୍ୟ ତୁଲାଇ ନୁଆ ବିଶ୍ବ ଗଠନ କରିବାକୁ ଦଲାଇ ଲାମା ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଏହାସହ ସବୁ ମଣିଷ ସମାନ ବୋଲି ତୀବ୍ଦତୀୟ ଧର୍ମଗୁରୁ କହିଛନ୍ତି।

Comment