ଓଡ଼ିଶାଲାଇଭ୍ ବ୍ୟୁରୋ

ପଦ୍ମ ପୋଖରୀରୁ ଲମ୍ଫ ମାରିଛନ୍ତି ବରଗଡ଼ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ। ବିଜେପି ସହ ୨୦ ବର୍ଷର ସମ୍ପର୍କ ଛିନ୍ନ କରିଛନ୍ତି ପଶ୍ଚିମଓଡ଼ିଶାର ଏହି ବରିଷ୍ଠ ନେତା। ଅଚାନକ୍ ବିଜେପିରୁ ଇସ୍ତଫା ଦେବା ଏବଂ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନେଇ ବିଜେପି-ବିଜେଡି ଭିତରେ ଚାଲିଛି ଆରୋପ ପ୍ରତ୍ୟାରୋପ।

  • ନାରାୟଣଙ୍କୁ ବହିଷ୍କାର କଲା ବିଜେପି
  • ଅନୁଶାସନ-ଶୃଙ୍ଖଳା ଭଙ୍ଗ ଅଭିଯୋଗ ଆଣିଲା ଦଳ
  • ଡକ୍ଟର ଅରୂପାନନ୍ଦ ସାହୁ ହେଲେ ବରଗଡ଼ ଜିଲ୍ଲାର ବିଜେପି ସଭାପତି
  • ବିଜେପି କହିଲା, ପୁଅର ସୁରକ୍ଷା ପାଇଁ ବିଜେଡି ଗଲେ ନାରାୟଣ
  • ‘ବିଜେପି ପାଦତଳୁ ମାଟି ଧସୁଛି”,- ବିଜେଡି

ନାରାୟଣ ସାହୁ। ବରଗଡ଼ ଜିଲ୍ଲା ବିଜେପିର ଜଣେ ଟାଣୁଆ ନେତା। ୨୦ ବର୍ଷ ଧରି ସେ ବିଜେପିକୁ ନିଜର ସବୁକିଛି ଭାବି ନେଇଥିଲେ। ହେଲେ ଏହି ଦଳରେ ପରିଶ୍ରମର ମୂଲ୍ୟ କିଛିନାହିଁ କହି ଆଜି ବିଜେପି ଛାଡ଼ିଛନ୍ତି ନାରାୟଣ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଦଳ ତାଙ୍କ ହାତ ଛାଡ଼ିବା ସହ ପୁଅ ନାଁରେ ଥିବା ମାମଲାରୁ ରକ୍ଷା ପାଇବା ପାଇଁ ବିଜେଡି ଶରଣକୁ ଯାଇଥିବା ବିଜେପି ଅଭିଯୋଗ କରିଛି। ଏହି ପ୍ରସଙ୍ଗକୁ ନେଇ ଆଜି ରାଜନୀତି ଉଠୁଛି ପଡ଼ୁଛି।

ବିଜେପିରୁ ନାରାୟଣ ବହିଷ୍କୃତ

ବରଗଡ଼ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ପଦ୍ମବନ ଛାଡ଼ି ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ ଶଙ୍ଖ ହାତ ଧରିଥିବାରୁ ବିଜେପି ତାଙ୍କୁ ବହିଷ୍କାର କରିଛି। ଅନୁଶାସନ ଓ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନାରାୟଣଙ୍କ ଜାଗାରେ ଡକ୍ଟର ଅରୂପାନନ୍ଦ ସାହୁଙ୍କୁ ଜିଲ୍ଲା ସଭାପତି ଭାବେ ଦାୟିତ୍ବ ଦେଇଛି ବିଜେପି। ମାତ୍ର ଏତିକିରେ ଶେଷ ହୋଇନି ରାଜନୀତି। ନାରାୟଣଙ୍କୁ ନେଇ ବିଜେପି-ବିଜେଡି ଭିତରେ କାଦୁଅଫିଙ୍ଗା ଆରମ୍ଭ ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନାରାୟଣ ଭେଟିବା ପରେ ଜଟିଳ ହୋଇଯାଇଛି ରାଜନୀତି ଗଣିତ। ଦଳ ଭିତରେ ଏବଂ ବାହାରେ ଉଠିଛି ସମାଲୋଚନାର ସ୍ବର।

ବିଜେପି-ବିଜେଡି କାଦୁଅଫିଙ୍ଗା

ନାରାୟଣ ସାହୁ ବିଜେପିର ସାଧାରଣ କର୍ମୀ ନଥିଲେ। ୧୯୯୭ରୁ ସେ ବିଜେପି ସହ ଜଡ଼ିତ ଥିଲେ। ମାତ୍ର ସେ ଏବେ ବିଜେପି ହାତ ଛାଡ଼ି ଦେଇଛନ୍ତି। ବିଜେପିରେ ତ୍ୟାଗ ଓ ପରିଶ୍ରମର ମୂଳ୍ୟ କିଛିନାହିଁ ବୋଲି କହିବା ପରେ ବିଜେପି ତାଙ୍କ ଉପରେ ବର୍ଷିଛି। ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, “ନାରାୟଣ ସାହୁଙ୍କ ପୁଅଙ୍କ ନାଁରେ ପୂର୍ବରୁ ଫୌଜଦାରି ମାମଲା ରହିଛି। ଏଥିରୁ ବର୍ତ୍ତିବା ପାଇଁ ସେ ବିଜେଡିକୁ ଯାଇଛନ୍ତି।“

ଏପଟେ ବିଜେଡି ମଧ୍ୟ ଏହାର ଜବାବ ଦେଇଛି। ମୁଖପାତ୍ର ପ୍ରଶାନ୍ତ ନନ୍ଦ କହିଛନ୍ତି, “ଯଦି ନାରାୟଣଙ୍କ ନାମରେ ଫୌଜଦାରି ମାମଲା ରହିଥିଲା ତାହାଲେ ନାରାୟଣଙ୍କୁ ବିଜେପି ନେତା ସୁରେଶ ପୂଜାରୀ ପ୍ରଶଂସା କରୁଥିଲେ କେମିତି? ସେ କ’ଣ ଜାଣି ନଥିଲେ ତାଙ୍କ ପୁଅ ନାଁରେ ଫୌଜଦାରି ମାମଲା ରହିଛି। ବିଜେପି ପାଦ ତଳୁ ମାଟି ଧସୁଥିବାରୁ ତାଙ୍କ ନେତା ଏଭଳି ବିବୃତି ଦେଉଛନ୍ତି।“

ବିଜେପିରେ ଚକଡ଼ା ପୋକ

ନାରାୟଣ ସାହୁଙ୍କୁ ନେଇ ବିଜେପି ଅଡ଼ୁଆରେ ପଡ଼ିଛି। ଶାସକ ବିଜେଡି ଏହାକୁ ନେଇ ବିଜେପି ଉପରେ ଜମେଇକି ବର୍ଷିବା ପରେ ଏବେ ବିଜେପି ଭିତରେ ଅସନ୍ତୋଷ ଦେଖାଦେଇଛି। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ନାରାୟଣ ପ୍ରସଙ୍ଗକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି। ବିଜୟ ମହାପାତ୍ର କହିଛନ୍ତି, “ବିଜେପିରେ ଅହଙ୍କାରୀ ଚକଡ଼ା ପୋକ ମାଡ଼ିଗଲାଣି। ନାରାୟଣ ସାହୁଙ୍କ ଭଳି ବ୍ୟକ୍ତିଙ୍କ ପାଇଁ ଦଳ ଅଡ଼ୁଆରେ ପଡ଼ିଛି। ଏଣୁ ଏଭଳି ଲୋକଙ୍କ ପ୍ରତି ସତର୍କ ରହି ଦଳୀ ଆଗକୁ ବଢ଼ିବା ଦରକାର।“ ଶାସକ ବିଜେଡି ବାଣକୁ ମୁକାବିଲା କରୁଥିବା ବିଜେପି ମୁଖପାତ୍ର ଏବେ ନିଜ ଦଳର ବରିଷ୍ଠ ନେତାଙ୍କ ଚକଡ଼ା ପୋକ ମନ୍ତବ୍ୟକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି।

 

Comment