ଓଡ଼ିଶାଲାଇଭ୍‌ ବ୍ୟରୋ

ଚାଷୀ ଆତ୍ମହତ୍ୟାକୁ ନେଇ ରାଜନୀତି ଜୋର୍‌ ଧରିଥିବା ବେଳେ ଜଗତସିଂହପୁରରେ ନବ ନିର୍ମାଣ କୃଷକ ସଙ୍ଗଠନ ଗୁରୁବାର ଆୟୋଜନ କରୁଛି କିଷାନ୍ ସମାବେଶ। ଏଥିରେ ଯୋଗଦେବା ପାଇଁ ଆସିଛନ୍ତି ବିଶିଷ୍ଟ ଗାନ୍ଧିବାଦୀ ନେତା ଆନ୍ନା ହଜାରେ।

ଓଡ଼ିଶାରେ ଚାଷୀ ପ୍ରସଙ୍ଗକୁ ନେଇ ରାଜନୀତି ଜୋର୍‌ ଧରିଛି। ଚକଡା ପୋକ ଏବଂ ଋଣ ଚିନ୍ତାରେ ଚାଷୀ ଆତ୍ମହତ୍ୟା କରୁଛନ୍ତି। ଏହି ପ୍ରସଙ୍ଗକୁ ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମୁହାଁମୁହିଁ ହୋଇଥିବା ବେଳେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆୟୋଜନ କରାଯାଉଛି ‘ଜୟ କିଷାନ୍’ ସମାବେଶ। ଜଗତସିଂହପୁରରେ ହେବାକୁ ଥିବା ସମାବେଶରେ ବିଶିଷ୍ଟ ଗାନ୍ଧିବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଯୋଗଦେବେ।

ଏଥିପାଇଁ ସେ ବୁଧବାର ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି। ନବ ନିର୍ମାଣ କୃଷକ ସଙ୍ଗଠନ କର୍ମକର୍ତ୍ତମାନେ ଆନ୍ନା ହଜାରେଙ୍କୁ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମଟର ସାଇକେଲ ରାଲିରେ ରାଜ୍ୟ ଅତିଥଭବନ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। ରାଜ୍ୟ ଅତିଥି ଭବନରେ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ସହ ଆଲୋଚନା କରିବା ବେଳେ ଆନ୍ନା ହଜାରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ବିଶେଷକରି ଓଡ଼ିଶାରେ ଚାଷୀ ଆତ୍ମହତ୍ୟା ଚାଲିଥିବା ବେଳେ ଆନ୍ନା ହଜାରେ ଚାଷୀ ସମାବେଶରେ ଯୋଗଦେଉଥିବାରୁ ଚାଷୀଙ୍କ ମନରେ ଆଶା ସଞ୍ଚରିତ ହୋଇଛି।

ଗଣମାଧ୍ୟମକୁ ଆନ୍ନା କହିଛନ୍ତି, “ଉତ୍ପାଦର ଦେଢ଼ଗୁଣା ଚାଷୀ ପାଇବେ ବୋଲି ମୋଦି ସରକାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ସେ ଏବେ ଚାଷୀଙ୍କ ସହ ପ୍ରତାରଣା କରିଛନ୍ତି। ସେହିପରି ଓଡ଼ିଶା ସରକାର ମଧ୍ୟ ଚାଷୀଙ୍କୁ ସହାନୁଭୂତି ଦେଖାଉ ନାହାନ୍ତି। ଶିଳ୍ପପତିଙ୍କୁ ରାଜ୍ୟ ସରକାର ଅଧିକ ପ୍ରଶୟ ଦେଉଛନ୍ତି।”

 

Comment