ଓଡ଼ିଶାଲାଇଭ୍‌ ବ୍ୟରୋ

  • ପୋଲିସକୁ ଭାଇରାଲ ଭିଡିଓ ମୁକାବିଲା ଚିନ୍ତା
  • ଜନସାଧାରଣଙ୍କ ପାଇଁ ପୋଲିସ ଜାରି କଲା ଆଡଭାଇଜରି
  • ଏସ୍‌ପି-ଡିସିପିଙ୍କ ପାଇଁ ଏସ୍‌ଓପି ଜାରି କଲେ ପୋଲିସ ଡିଜି
  • ଭୁବନେଶ୍ବରରେ ଖୋଲିଲା ନୂଆ ସାଇବର ଫୋରେନ୍‌ସିକ ଲାବ

ସୋସିଆଲ ମିଡିଆରେ ଭାଇରାଲ୍‌ ଭୂତ। ଘୂରି ବୁଲୁଛି ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଏବଂ ଭିଡିଓ। ଲଗାତାର ତିନି ତିନୋଟି ଘଟଣାର ଭିଡିଓ ସୋସିଆଲ ମିଡିଆରେ ବୁଲିବା ପରେ ପୋଲିସର ଚେତା ପଶିଛି। ଏହାର ମୁକାବିଲା କରିବା ପାଇଁ ପୋଲିସ ଅଣ୍ଟା ଭିଡ଼ିଛି। ଆପତ୍ତିଜନକ ଫଟୋ ଏବଂ ଭିଡିଓ ଭାଇରାଲ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ହୋଇଛି।

ଏଭଳି ରୁଗ୍ଣ ମାନସିକତା ଥିବା ବ୍ୟକ୍ତିଙ୍କୁ ଜେଲ୍‌ ପଠାଇବାକୁ ଏସ୍‌ପି ଏବଂ ଡିସିପିଙ୍କୁ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି। ଏସ୍‌ପି ଏବଂ ଡିସିପିଙ୍କ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିୟୋର (ଏସ୍‌ଓପି) ଜାରି କରିଥବା ବେଳେ ଜନସାଧାରଣଙ୍କ ପାଇଁ ଜାରି କରିଛି ଆଡଭାଇଜରି।  ଭିଡିଓ ଭାଇରାଲ ଅଭିଯୋଗ ଆସିଲେ କେମିତି ତଦନ୍ତ ହେବ ଏବଂ କି ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ଏସ୍‌ଓପିରେ ନିର୍ଦ୍ଦେଶ ଦିଆଯାଇଛି।

ଆଡଭାଇଜରିରେ କ’ଣ ନିୟମ ରହିଛି?

ଆପତ୍ତିଜନକ ଓ ଅନ୍ତରଙ୍ଗ ଭିଡିଓ ସିଟିଂ କଲେ ଲାଗିବ ଆଇପିସି ଧାରା ୩୫୪। ଏହି ଧାରା ବଳରେ ଜଣେ ଅଭିଯୁକ୍ତଙ୍କୁ ବର୍ଷରେୁ ୩ ବର୍ଷ ଯାଏଁ ଜେଲ ଦଣ୍ଡ ବ୍ୟବସ୍ଥା ରହିଛି। ଆଇଟି ଆକ୍ଟ ସେକ୍ସନ୍ ୬୬ ଅନୁସାରେ ଆପତ୍ତିଜନକ ଭିଡିଓ ସୁଟିଂ କଲେ ଅଭିଯୁକ୍ତ ୩ ବର୍ଷ ଜେଲ୍‌ ଯିବାର ବ୍ୟବସ୍ଥା ରହିଛି। ଆପତ୍ତିଜନକ ଭିଡିଓ ଭାଇରାଲ କଲେ ଆଇଟି ଆକ୍ଟ ସେକ୍ସନ୍ ୬୭ ଏବଂ ୬୭-ଏ ଅନୁଯାୟୀ ୫ ବର୍ଷରୁ ୭ ବର୍ଷ ଯାଏଁ ସଜା ହେବ। ଆପତ୍ତିଜନକ ଭିଡିଓ ନଜରକୁ ଆସିଲେ ପୋଲିସକୁ ଜଣାଇବାକୁ କୁହାଯାଇଛି। ଏଭଳି ଘଟଣାରେ ପୀଡ଼ିତା ଭୟ ନକରି ପୋଲିସରେ ଅଭିଯୋଗ କରିବାକୁ କୁହାଯାଇଛି। ଭାଇରାଲ ଭିଡିଓରୁ ନିବୃତ୍ତ ରହିବାକୁ ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ଅଧିକାରୀ ଏବଂ ଜନପ୍ରତିନିଧି ଜନସଚେତନତା ସୃଷ୍ଟି କରିବାକୁ ଆଡଭାଇଜରିରେ କୁହାଯାଇଛି। ପୀଡ଼ିତା ଏବଂ ତାଙ୍କ ପରିବାରର ପରିଚୟ ପ୍ରକାଶ ନକରିବାକୁ ଗଣମାଧ୍ୟମକୁ କୁହାଯାଇଛି।

 

Comment