ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନବରଙ୍ଗପୁର-ମାଲକାନଗିରି ଜିଲ୍ଲାର ଜଳସେଚନ ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଦୁଇଟି ଜିଲ୍ଲାରେ ଜଳସେଚନ କରାଯାଇ କିପରି କୃଷିକୁ ସମୃଦ୍ଧ କରାଯିବ ସେନେଇ ମୁଖ୍ୟମନ୍ତ୍ରୀ କରିଛନ୍ତି ସମୀକ୍ଷା।

କୃଷି ଏବଂ ଉଦ୍ୟାନକୃଷି ଉପରେ ନବରଙ୍ଗପୁର ଓ ମାଲକାନାଗିରି ଜିଲାବାସୀ ନିର୍ଭର କରି ଜୀବୀକା ନିର୍ବାହ କରିଥାନ୍ତି। କୃଷି ଏବଂ ଉଦ୍ୟାନ କୃଷିରୁ ଯାହା ଆୟ ହୋଇଥାଏ ସେଥିରେ ଜିଲ୍ଲାର ଅର୍ଥନୀତି ସମୃଦ୍ଧ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଅଧିକରୁ ଅଧିକ କ୍ଷୁଦ୍ର ଏବଂ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଦେଇଛନ୍ତି।

ବୁଧବାର ସଚିବାଳୟରେ ନବରଙ୍ଗପୁର ଜିଲ୍ଲା ଜଳସେଚନ ବ୍ୟବସ୍ଥା ଉପରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଜିଲ୍ଲାର ୪ଟି ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ପରାମର୍ଶ ଦେଇଛନ୍ତି।

ଝୁରୀ, ଗୁନତାଟ, ନବରଙ୍ଗପୁର ବ୍ୟାରେଜ, ତେଲ ସମ୍ବନ୍ଧିତ ପ୍ରକଳ୍ପ ଏବଂ ଲୋୟର ପ୍ରକଳ୍ପଗୁଡ଼ିକ ସହ ଜିଲାର ଅନ୍ୟ ୧୧ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟକୁ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ଆରମ୍ଭ କରାଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଗଭୀର ନଳକୂପ ଯୋଜନା ନବରଙ୍ଗପୁର ଜିଲାର ଚାଷୀମାନଙ୍କ ଦ୍ବାରା ଆଦୃତ ହେଉଥିବାରୁ ଅଧିକରୁ ଅଧିକ ନଳକୂପ ଏବଂ ବିଦ୍ୟୁତ୍ ସଂଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ୨୦୧୮ ଜୁନ୍ ମାସ ସୁଦ୍ଧା ଇନ୍ଦ୍ରାବତୀ ଓ ଭାସକେଲ ନଦୀକୂଳରେ ଅଧିକ ମେଗା ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସେ ଗୁରୁତ୍ବାରୋପ କରିଛନ୍ତି। ଫଳରେ ୪ ହଜାର ହେକ୍ଟର ଜମିକୁ ଜଳସେଚନ ସହଜରେ କରାଯାଇପାରିବ।

ନବରଙ୍ଗପୁର ଜିଲାରେ ବର୍ତ୍ତମାନସୁଦ୍ଧା ୨୦୦ଟି ଆଡିବନ୍ଧ ନିର୍ମାଣ ସରିଛି। ବାକି ୧୩୦ଟି ଆଡିବନ୍ଧ କାର୍ଯ୍ୟ ଚାଲୁ ରହିଛି। ୪୧୫ କୋଟି ଟଙ୍କା ବ୍ୟୟରେ ଆଉ ୭ ଗୋଟି ନୂଆ ଉଠାଜଳସେଚନ ପ୍ରକଳ୍ପ ପାଇଁ ସର୍ଭେ ଶେଷ ହୋଇଛି। ଏହି ନୂଆ ୭ଟି ପ୍ରକଳ୍ପ ହେଲେ ୧୭୦୦ ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯିବ।

ସମୀକ୍ଷା ବୈଠକରେ ଅନୁସୂଚିତ ଜାତି, ଜନଜାତି ବିକାଶ ମନ୍ତ୍ରୀ ରମେଶ ମାଝି, ସାଂସଦ ବଳଭଦ୍ର ମାଝି, ବିଧାୟକ ମାନସ ମାଡକାମୀ, ସୁବାସ ଗଣ୍ଡଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Comment