ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍‌ ପରେ ପୁଣି ତାଜା ହୋଇଛି ଜୟୀ ରାଜଗୁରୁଙ୍କୁ ନେଇ ବିବାଦ। ଶ୍ରାଦ୍ଧ ବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀ ଜୟୀ ରାଜଗୁରୁଙ୍କୁ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଓଡ଼ିଆ ସହିଦ୍ କହିଥିବା ବେଳେ ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଏଥିରେ ଏକମତ ହୋଇ ନାହାନ୍ତି।

ବିବାଦରେ ପୁଣି ଛନ୍ଦି ହୋଇଯାଇଛି ଜୟୀ ରାଜଗୁରୁ ପ୍ରସଙ୍ଗ। ଶ୍ରାଦ୍ଧ ବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟୀ ରାଜଗୁରୁଙ୍କୁ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଓଡ଼ିଆ ସହିଦ୍ ଭାବେ ବିବେଚନା କରିଛନ୍ତି। ମାଆ, ମାଟି ପାଇଁ ସେ ଜୀବନକୁ ଉତ୍ସର୍ଗ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି। ହେଲେ ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ସେ ଇତିହାସକୁ କେବେ ବଦଳାଇ ପାରିବେ ନାହିଁ ବୋଲି କହିଛନ୍ତି।

ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି କହିଛନ୍ତି ଯେ, “ମହାନ୍ ବିପ୍ଲବୀ ତଥା ସ୍ୱାଧୀନତା ସଂଗ୍ରାମୀ ସହିଦ୍ ଜୟୀ ରାଜଗୁରୁଙ୍କୁ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଜଣେ ନିର୍ଭିକ ସଂଗ୍ରାମୀ ଭାବେ ସେ ମା’ ମାଟି ପାଇଁ ତାଙ୍କ ଜୀବନ ଉତ୍ସର୍ଗୀକୃତ କରିଛନ୍ତି।”

ମୁଖ୍ୟମନ୍ତ୍ରୀଙ୍କ ଏହି ଟ୍ବିଟ୍‌ ପରେ ଗଣମାଧ୍ୟମ ଡାକ୍ତର ଦାମୋଦର ରାଉତଙ୍କ ପ୍ରତିକ୍ରିୟ ନେବାକୁ ଚାହିଁଥଇଲା। ହେଲେ ଡାକ୍ତର ରାଉତ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ସହ ଏକମତ ହୋଇ ନାହାନ୍ତି।

ଡାକ୍ତର ଦାମୋଦର ରାଉତ କହିଛନ୍ତି, “୧୯୪୮ରେ ହରେକୃଷ୍ଣ ମହତାବ ମୁଖ୍ୟମନ୍ତ୍ରୀ ହେବା ପରେ ଐତିହାସିକମାନେ ପୁସ୍ତକ ରଚନା କରିଥିଲେ। ଏଥିରେ ଜୟୀ ରାଜଗୁରୁଙ୍କୁ ସ୍ୱାଧୀନତା ସଂଗ୍ରାମୀ ଭାବେ ଅଭିହିତ କରାଯାଇ ନଥିଲା। ଏହି ବହିକୁ ସରକାର ଗ୍ରହଣ କରିଥିଲେ। ଏବେ ଏହି ଇତିହାସକୁ ମିଛ କେମିତି କୁହାଯିବ?”

ନଭେମ୍ବର ୨୯ ତାରିଖରେ ଦିଲ୍ଲୀର ଏକ ଉତ୍ସବରେ ଗଜପତି ମହାରାଜ ଦିବ୍ୟସିଂହଦେବ ମଧ୍ୟ ଡାକ୍ତର ରାଉତଙ୍କ ମନ୍ତବ୍ୟକୁ ଖଣ୍ଡନ କରିଥିଲେ। ଜୟୀ ରାଜଗୁରୁଙ୍କ ନେତୃତ୍ବରେ ୧୮୦୪ରେ ସ୍ୱାଧୀନତା ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହାପରେ ବକ୍ସି ଜଗବନ୍ଧୁ ଏହି ଆନ୍ଦୋଳନକୁ ଆଗକୁ ନେଇଥିଲେ।

ନଭେମ୍ବର ୨୪ରେ ଡାକ୍ତର ରାଉତ ଜୟୀ ରାଜଗୁରୁଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଖୋର୍ଦ୍ଧା ଲୋକ ଉତ୍ସବରେ ଜୟୀ ରାଜଗୁରୁ ସ୍ବାଧୀନତା ସଂଗ୍ରାମୀ ନଥିଲେ ବୋଲି ଗଣମାଧ୍ୟମରେ ବିବୃତି ଦେଇଥିଲେ। ଏହାକୁ ନେଇ ରାଜନୀତିରେ ଝଡ଼ ବହିଥିଲା। ଦାମଙ୍କ ମନ୍ତବ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ହେଲେ ଦାମ ତାଙ୍କ ମନ୍ତବ୍ୟକୁ ନେଇ ଦୃଢ଼ତାର ସହ ଯୁକ୍ତି ଉପସ୍ଥାପନ କରିଥିଲେ। କିଛିଦିନ ହେଲା ଏହି ବିବାଦ ଥଣ୍ଡା ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍‌ ପରେ ଏହି ବିବାଦ ପୁଣି ତାଜା ହୋଇଛି।

Comment