ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଜୁରାଟରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ମିଶନ୍-୧୫୦ ଫେଲ୍ ମାରିବା ପରେ ଏବେ ଓଡ଼ିଶା ଉପରେ ସମସ୍ତଙ୍କ ନଜର। ଓଡ଼ିଶାରେ ଶାହା ମିଶନ୍-୧୨୦ର ଟାର୍ଗେଟ ଦେଇଛନ୍ତି। ମୋଦି-ଶାହାଙ୍କ ଗଡ଼ରେ ଯଦି ବିଜେପି ମିଶନ୍ ଫେଲ୍ ମାରୁଛି ତାହାଲେ ଅଣ ବିଜେପି ରାଜ୍ୟ ଓଡ଼ିଶାରେ ଶାହାଙ୍କ ମିଶନ୍ କିପରି ସଫଳ ହେବ ତାକୁ ନେଇ ଚର୍ଚ୍ଚା ହେଉଛି।

ଗୁଜୁରାଟରେ ବିଜେପି ପାଇବ ୧୫୦ ଆସନ। ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା। ଖାଲି ଶାହା ନୁହନ୍ତି, ବିଜେପିର ଅନ୍ୟ ବରିଷ୍ଠ ନେତା ବି ଅନୁରୂପ ଦାବି କରିଥିଲେ। ହେଲେ ଫଳାଫଳ ପ୍ରକାଶ ପାଇବା ପରେ ସବୁକିଛି ବଦଳି ଯାଇଛି। ବିଜେପି ୧୫୦ ବଦଳରେ ୧୦୦ ଆସନ ବି କବ୍‌ଜା କରିପାରି ନାହିଁ। ୯୯ରେ ବିଜେପି ଅଟକି ଯାଇଛି।

ବିଜେପିର ଆସନ ସଂଖ୍ୟା ହ୍ରାସ ପାଇବାକୁ ଦେଖି ବିଜେଡି ସମାଲୋଚନା କରିଛି ବିଜେପିକୁ। କହିଛି ବିଜେପିର ଗର୍ବ ରହିଲା ନାହିଁ।

ଗୁଜୁରାଟ ବିଜୟକୁ ନେଇ ଓଡ଼ିଶା ବିଜେପି ନେତା ଖୁସି ମନାଇଛନ୍ତି। ବାଜାର ତାଳେ ତାଳେ ନାଚିଛନ୍ତି। ଓଡ଼ିଶାରେ ମିଶନ୍-୧୨୦ ସଫଳ ହେବ ବୋଲି ଦାବି କରିଛନ୍ତି। ହେଲେ ମୋଦି-ଶାହାଙ୍କ ଗଡ଼ ଗୁଜୁରାଟରେ ଯଦି ମିଶନ ସଫଳ ହୋଇ ପାରିଲା ନାହିଁ ତାହାଲେ ଓଡ଼ିଶାରେ କେମିତି ଶାହାଙ୍କ ମିଶଳ ସଫଳ ହେବ ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୨୦୧୯ ନିର୍ବାଚନରେ ବିଜେପି ଦଖଲ କରିବ ଓଡ଼ିଶା ଶାସନ। ଏମିତି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଶାହା। ମୋ ବୁଥ୍ ସବୁଠୁ ମଝବୁତ କାର୍ଯ୍ୟକ୍ରମରେ ଯୋଗଦେଇ ଶାହା ଏହି ମିଶନର ପାଠ ପଢ଼ାଇଥିଲେ। ଏହି ମିଶନକୁ ସଫଳ କରିବା ପାଇଁ ଶାହା ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ରାଜଧାନୀ ଭୁବନେଶ୍ବରରେ ରହି ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଶେଷରେ ଜନତା ମଇଦାନରେ ଜନସଭାରେ ଉଦବୋଦନ ଦେଇ ମିଶନ୍-୧୨୦କୁ ସଫଳ କରିବା ପାଇଁ ଆହ୍ବାନ ଦେଇଥିଲେ। ଏହି ଆହ୍ବାନକୁ ଗ୍ରହଣ କରି ରାଜ୍ୟ ବିଜେପି ନେତାମାନେ ମିଶନ୍ -୧୨୦ ମନ୍ତ୍ର ଜପୁଛନ୍ତି।

ଏବେ ଗୁଜୁରାଟ ଫଳାଫଳ ପ୍ରକାଶ ପାଇବା ପରେ ଓଡ଼ିଶାରେ ନାନା କଳ୍ପନା ଜଳ୍ପନା ଦେଖାଦେଇଛି। ଓଡ଼ିଶାରେ ଗୁଜୁରାଟ ପ୍ରଭାବ ପଡ଼ିବ ବୋଲି ବିଜେପି ନେତାମାନେ କହୁଥିବା ବେଳେ ବିଜେଡି, କଂଗ୍ରେସ କିନ୍ତୁ ମନା କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “କେବଳ ଓଡ଼ିଶା ନୁହେଁ, ସାରା ଦେଶ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ଉପରେ ଭରସା କରୁଛି। ଗୁଜୁରାଟ ଏବଂ ହିମାଚଳ ପ୍ରଦେଶର ରାୟ ଓଡ଼ିଶାର ପଡ଼ିବ।”

ବିଜେପିର ଏହି ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ବିଜେଡି ଓ କଂଗ୍ରେସ।

“ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ବିଜେପି ବିଜୟୀ ହୋଇଛି। ହେଲେ ଫଳାଫଳ ସନ୍ତୋଷଜନକ ନୁହେଁ। ଭୋଟ ହାର ହ୍ରାସ ପାଇଛି। ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ ନାହିଁ”, କହିଛନ୍ତି ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, “କଂଗ୍ରେସ କେବେ ବି ପଛରେ ପଡ଼ି ନାହିଁ। ବିଜେପିକୁ କାଉଣ୍ଟର କରି ଆସିଛି। ରାହୁଲ ଗାନ୍ଧିଙ୍କ ନେତୃତ୍ବରେ କଂଗ୍ରେସ ବିଜେପିକୁ ଟକ୍କର ଦେଇଛି। ତେବେ ଗୁଜୁରାଟ ଓ ହିମାଚଳ ପ୍ରଦେଶ ରାୟ ଓଡ଼ିଶା ରାଜନୀତିରେ ପଡ଼ିବ ନାହିଁ।”

Comment