ଓଡ଼ିଶାଲାଇଭ୍ ବ୍ୟୁରୋ

ରଙ୍ଗାରଙ୍ଗ ପରିବେଶରେ ଆୟୋଜିତ ହୋଇଛି ୨୮ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଭୁବନେଶ୍ବର ଉତ୍କଳ ମଣ୍ଡପରେ ଆୟୋଜିତ ଉତ୍ସବରେ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କୁ ସମ୍ମାନଜନକ ‘ଜୟଦେବ’ ପୁରସ୍କାର ମିଳିଛି। ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ତାଙ୍କୁ ମିଳିଛି। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ପ୍ରଣବ କିଶୋର ପଟ୍ଟନାୟକ ହେଉଛନ୍ତି ପ୍ରଥମ କଣ୍ଠଶିଳ୍ପୀ, ଯିଏକି ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି।

୨୦୧୬ର ଶ୍ରେଷ୍ଠ ଫିଲ୍ମ ଭାବେ  ‘ଚିନି’କୁ ମିଳିଛି ମୋହନ ସୁନ୍ଦର ଦେବ ଗୋସ୍ବାମୀ ସମ୍ମାନ। ଏହାସହ ନାମାର୍ଦ୍ଦ ଫିଲ୍ମ ପାଇଁ ସମରେଶ ରାଉତରାୟଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ମିମାଂସା ଫିଲ୍ମ ପାଇଁ ସଙ୍ଗୀତା ମହାପାତ୍ର(ଲିପି)ଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ସେହିପରି ନାମାର୍ଦ୍ଦ ଫିଲ୍ମ ପାଇଁ ଅଜୟ ରଥଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମିଳିଛି।

ସେହିପରି ମିମାଂସା ଫିଲ୍ମ ପାଇଁ ଶ୍ରେଷ୍ଠ ସହ ଅଭିନେତା ପୁରସ୍କାର ମୀନକେତନଙ୍କୁ, ଦେଲେ ଧରା କଥା ସରେ ଫିଲ୍ମ ପାଇଁ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ମହାଶ୍ବେତା ରାୟଙ୍କୁ ପୁରସ୍କାର ମିଳିଛି। ଲଭ୍‌ ୟୁ ଜେସିକା ଫିଲ୍ମ ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ଚିତ୍ତ ରଞ୍ଜନ ତ୍ରିପାଠୀଙ୍କୁ ମିଳିଛି।

ପୁରସ୍କାର ପ୍ରଦାନ ଉତ୍ସବରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶି ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Comment